ସଞ୍ଜୟ ମାଲହୋତ୍ରା RBIର ପରବର୍ତ୍ତୀ ଗଭର୍ଣ୍ଣର, ଶକ୍ତିକାନ୍ତ ଦାସଙ୍କ ନେବେ ସ୍ଥାନ

Published By : Prameya-News7 Bureau | December 09, 2024 IST

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା, ତାହା ସତ ହୋଇଛି । ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ନବଢାଇ, ନୂତନ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସୋମବାର ସଞ୍ଜୟ ମାଲହୋତ୍ରାଙ୍କୁ ଆରବିଆଇର ପରବର୍ତ୍ତୀ ଗଭର୍ଣ୍ଣର ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି । ଡିସେମ୍ୱର ୧୧ରେ ସେ ଦାୟିତ୍ୱ ଗ୍ରହଣ କରିବେ । ଆଗାମୀ ତିନି ବର୍ଷ ପାଇଁ ସରକାର ଏହି ନିଯୁକ୍ତି ଦେଇଛନ୍ତି । ସଞ୍ଜୟ ମାଲହୋତ୍ରା ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟରେ ସଚିବ (ରାଜସ୍ୱ) ଭାବେ କାମ କାର୍ଯ୍ୟରତ ଅଛନ୍ତି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୧୦ ଡିସେମ୍ବରରେ ଶେଷ ହେବେ । ତେବେ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ସରକାର ବଢାଇପାରନ୍ତି । କିନ୍ତୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧିରେ ନିରାଶଜନକ ପ୍ରଦର୍ଶନ ଅନେକ ପ୍ରଶ୍ନ ଉଠାଇଥିଲା । ସେପ୍ଟେମ୍ୱର ତ୍ରୈମାସରେ ଦେଶରେ ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତ ରହିଥିଲା । ଯାହାପରେ ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ବଢାଇବା ନିଷ୍ପତ୍ତି ସରକାର ବଦଳାଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । 

୧୯୯୦ ବ୍ୟାଚ୍‌ର ରାଜସ୍ଥାନର କ୍ୟାଡରର ଆଇଏଏସ୍ ଅଫିସର ସଞ୍ଜୟ ମାଲହୋତ୍ରା । ଆଇଏଏସ୍ ପରୀକ୍ଷାରେ ତାଙ୍କ ବ୍ୟାଚ୍ ଟପ୍ପର ହୋଇଥିଲେ । ଆଇଆଇଟି କାନପୁରରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଏବଂ ଆମେରିକାର ପ୍ରିନ୍ସଟନ ୟୁନିଭରସିଟିରୁ ପବ୍ଲିକ ପଲିସିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । 

୩୩ ବର୍ଷରୁ ଅଧିକ ସମୟ ଧରି ପ୍ରଶାସନିକ ସେବାରେ ଥିବା ସଞ୍ଜୟ ମାଲହୋତ୍ରା ବ୍ୟାଙ୍କିଂ ଏବଂ ରାଜସ୍ୱ ପରିଚାଳନାରେ ଦକ୍ଷ । ରାଜ୍ୟ ତଥା କେନ୍ଦ୍ର ସରକାରରେ ଅର୍ଥ ଏବଂ ଟିକସ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ରାଜସ୍ୱ ସଚିବ ଭାବେ ବଜେଟ୍ ପ୍ରକ୍ରିୟାରେ ଟିକସ ରାଜସ୍ୱ ବୃଦ୍ଧି ଦାୟିତ୍ୱକୁ ମାଲହୋତ୍ରା ପରିଚାଳନା କରୁଥିଲେ ।

ନୂଆ ଗଭର୍ଣ୍ଣରଙ୍କ ଆଗରେ ଅନେକ ଆହ୍ୱାନ ରହିବ । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଏବଂ ଧିମେଇ ଯାଇଥିବା ଅର୍ଥନୀତିକୁ ଅଧିକ ଗତିଶୀଳ କରିବା । ଦ୍ୱିତୀୟ ତ୍ରୈମାସରେ ନିରାଶାଜନକ ରେଜଲ୍ଟ ପରେ ଜିଡିପି ଅଭିବୃଦ୍ଧି ଲକ୍ଷ୍ୟକୁ ହାସଲ କରିବା ଏକ ଆହ୍ୱାନ ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.