ନୂଆଦିଲ୍ଲୀ ୧୯।୯: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଆର୍ଥିକ ଅନିୟମିତତା ସହିତ କୋଇଲା ତସ୍କରୀ, ଗାଈ ତସ୍କରୀ ଭଳି ଅନେକ ମାମଲାର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ସକ୍ରିୟତା ଆହୁରି ବଢିବ। ଇଡି ସତ୍ୟବ୍ରତ କୁମାରଙ୍କୁ କୋଲକାତାରେ ପୂର୍ବାଞ୍ଚଳ ମୁଖ୍ୟ ରୂପେ ନିଯୁକ୍ତ କରିଛି। ସତ୍ୟବ୍ରତ କୁମାର ୨୦୦୪ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ। ସୂଚନା ଅନୁସାରେ ସତ୍ୟବ୍ରତ ଏ ପର୍ଯ୍ୟନ୍ତ ମୁମ୍ବାଇରେ ଇଡିଙ୍କ ପଶ୍ଚିମାଞ୍ଚଳ ବିଶେଷ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ଥିଲେ।
ସେ ନିରବ ମୋଦି, ମେହୁଲ ଚୌକସୀ, ବିଜୟ ମାଲ୍ୟାଙ୍କଠୁ ଆରମ୍ଭ କରି ମହାଦେବ ଅନଲାଇନ ଫ୍ରଡ ଭଳି ମାମଲାର ତଦନ୍ତ କରିଛନ୍ତି। ବେଙ୍ଗଲରେ କୋଇଲା ତସ୍କରୀ, ଶିକ୍ଷକ ନିଯୁକ୍ତି ଅନିୟମିତତା ସମେତ ଅନେକ ମାମଲାରେ ଏବେ ଟିଏମସି ନେତାଙ୍କୁ ଗିରଫ କରାଯାଇଛି। ତେବେ ଏହିସବୁ ମାମଲାରେ ଅନେକଙ୍କୁ ଜାମିନ ବି ମିଳି ସାରିଛି। ନୂଆ ମୁଖ୍ୟଙ୍କନିଯୁକ୍ତି ପରେ ଇଡି ଯାଞ୍ଚ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି। ଇଡି ମୁଖ୍ୟାଳୟ ଦ୍ୱାରା ଜାରି ବୟାନରେ କୁହାଯାଇଛିଯେ ସତ୍ୟବ୍ରତ କୁମାରଙ୍କ ନିଯୁକ୍ତି ଇଷ୍ଟର୍ଣ୍ଣ ଜୋନର ସ୍ୱତନ୍ତ୍ର ନିର୍ଦ୍ଦେଶକ ସୁଭାଷ ଅଗ୍ରୱାଲଙ୍କ ସ୍ଥାନରେ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ସତ୍ୟବ୍ରତ କୁମାର ଗତ ୧୧ ବର୍ଷ ହେଲା ଇଡିରେ ଅବସ୍ଥାପିତ ଅଛନ୍ତି। ସେ ନିରବ ମୋଦି ଓ ମେହୁଲ ଚୌକସୀଙ୍କ ବିରୋଧରେ ୨ ବିଲିୟନ ଡଲାର ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରିଛନ୍ତି। ଏହା ଛଡା ସେ ମଦ ବେପାରୀ ବିଜୟ ମାଲ୍ୟାଙ୍କ ବ୍ୟାଙ୍କ ଋଣ ଠକେଇ ମାମଲା ଓ ମହାରାଷ୍ଟ୍ର ରାଜନେତାଙ୍କ ସମ୍ପର୍କିତ କେତେକ ସମ୍ବେଦନଶୀଳ ମାମଲାର ଯାଞ୍ଚରେ ମଧ୍ୟ ସାମିଲ ଥିଲେ।
ମହାଦେବ ଅନଲାଇନ ଜୁଆ ଆପ ମାମଲାର ଯାଞ୍ଚ ସତ୍ୟବ୍ରତ କୁମାରଙ୍କ ନେତୃତ୍ୱରେ ହେଉଥିଲା। ଏହି ଆପ ମାମଲାରେ ଛତିଶଗଡର ବିଭିନ୍ନ ରାଜନେତା ଓ ବଲିଉଡ ଅଭିନେତାଙ୍କ ଲିଙ୍କର ଏବେ ତଦନ୍ତ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଇଡି ଅଧିକାରୀ ସତ୍ୟବ୍ରତ କୁମାର ଦୀର୍ଘ ସମୟରୁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀଙ୍କ ସହିତ ସମ୍ପୃକ୍ତ ଅଛନ୍ତି। ସେ ଇଡିର ପୂର୍ବତନ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ ଷ୍ଟାଫ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ।