ଖଲ୍ଲିକୋଟ ୧୬।୫: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ପରେ ୧୪୪ ଧାରା ଲାଗୁ ହୋଇଛି । ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଧାରା ଜାରି କରିଛି ପ୍ରଶାସନ । ଖଲ୍ଲିକୋଟ ଥାନା ଆଗରେ ଉତ୍ତେଜନା ପରେ ୧୪୪ ଲାଗୁ ହୋଇଛି । ତେବେ ଥାନା ଠାରୁ ଶହେ ମିଟର ପରିଧି ମଧ୍ୟରେ କଟକଣା ଜାରି କରାଯାଇଛି ।
ଖଲ୍ଲିକୋଟରେ ତୀବ୍ର ରୂପ ନେଇଥିଲା ରାଜନୈତିକ ହିଂସାକାଣ୍ଡ । ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ କଲେ ଲୋକ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ଅଭିଯୁକ୍ତଙ୍କୁ କୋର୍ଟ ଫରଓ୍ବାର୍ଡ କଲା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି । ପୋଲିସ ଗାଡ଼ିକୁ ଢେଲା ମାଡ଼ ସହ ପାଣି ବୋତଲ ମାଡ଼ କଲେ ଲୋକେ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍ର କାଚ ଭାଙ୍ଗିଲା । ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରିନପାରି ଥାନାରେ ରଖିଛି ପୋଲିସ ।
ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଜଣ ଗିରଫ ହୋଇଥିଲେ । ବୁଧବାର ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଶ୍ରୀକୃଷ୍ଣଶରଣପୁର ଗାଁର ଦିଲୀପ ପାହାନ । ମୃତକ ଦିଲୀପଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ବର୍ତ୍ତମାନ ୮ ଜଣଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ କରିଥିଲା ।
ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ସହ ଘଟଣାକୁ ନିନ୍ଦା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆହତ ଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।
ସେପଟେ ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଥିଲେ, ନିର୍ବାଚନ ସମୟରେ ହିଂସାକୁ ବରଦାସ୍ତ କରାଯିବନି । ଗଞ୍ଜାମରେ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ସିଇଓ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ବୁଧବାର ପୋଷ୍ଟରମରାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ୨ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ହଣାକଟା ହୋଇଥିଲା । ୪ ଜଣ ଗୁରୁତର ହୋଇଥିବା ବେଳେ ଗୁରୁବାର ବିଜେପି କର୍ମୀ ଦିଲୀପ ପାହାନଙ୍କର ମୃତ୍ୟୁ ହୋଇଛି ।
You Can Read :
ଜି.ଉଦୟଗିରିରେ ହେବ ତ୍ରିମୁଖୀ ଲଢେଇ, ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କ ସହ ସେଲିବ୍ରିଟି