ବୈଭବଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର, ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କରିବେ ସମ୍ମାନ

NEWS7
series-loot-in-salepur

ନୂଆଦିଲ୍ଲୀ, ୨୬/୧୨: ବୟସ ମାତ୍ର ୧୪ । କିନ୍ତୁ ଖାତାରେ ଅନେକ ରେକର୍ଡ । ପ୍ରତିଭା ପ୍ରଦର୍ଶନ ପାଇଁ ଅଧିକ ବୟସ ଦରକାର ପଡେନି । ଯାହାକୁ ପ୍ରମାଣିତ କରିଛନ୍ତି ଭାରତୀୟ କ୍ରିକେଟର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ କାରଣରୁ ତାଙ୍କୁ କ୍ରୀଡା କ୍ଷେତ୍ରରେ ସର୍ବୋଚ୍ଚ ଯୁବ ସମ୍ମାନ ମିଳିବାକୁ ଯାଉଛି । ଶୁକ୍ରବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପିଏମ୍ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଗ୍ରହଣ କରିବେ ।

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ବୈଭବଙ୍କ କ୍ୟାରିଅର ପାଇଁ ନିଆରା ହୋଇ ରହିବ । ବୈଭବଙ୍କ ସହ ଆଉ କିଛି ଯୁବ ପ୍ରତିଭାର ଅଧିକାରୀ ନାବାଳକ ମଧ୍ୟ ଏହି ପୁରସ୍କାର ଗ୍ରହଣ କରିବେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନେକ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ ।

ବିଜୟ ହଜାରେ ଟ୍ରଫିରେ ଦମଦାର୍ ପାଳି

ନିକଟରେ ବୈଭବ ସମସ୍ତଙ୍କ ନଜରରେ ରହିଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଶତକ ଲଗାଇଥିବା ସବୁଠୁ ଯୁବ ବ୍ୟାଟର ହୋଇପାରିଛନ୍ତି । ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସେ ୮୪ ବଲରୁ ୧୯୦ ରନ୍ କରିଥିଲେ । ଏଥିରେ ୧୫ଟି ଛକା ସାମିଲ ଥିଲା । ସେ ମାତ୍ର ୩୬ ବଲରୁ ଶତକ ପୂରଣ କରିଥିଲେ । ନିଜ ବ୍ୟାଟିଂରେ ସମସ୍ତ ବୋଲରଙ୍କ ନିଦ ହଜାଇ ଦେଇଥିଲେ ।

ଅଣ୍ଡର-୧୯ ଏସିଆ କପରେ ରାଜୁତି

ଦୁବାଇରେ ଖେଳାଯାଇଥିବା ଅଣ୍ଡର ୧୯ ଏସିଆ କପରେ ବୈଭବ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଏହାପୂର୍ବରୁ ସେ ରାଇଜିଂ ଷ୍ଟାର୍ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଛକା ଚଉକା ବର୍ଷା କରିଥିଲେ ।

ଆଇପିଏଲରେ ଧୂଆଁଧାର ପାଳି

୨୦୨୫ରେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପଦାର୍ପଣ କରିଥିଲେ ସୂର୍ଯ୍ୟବଂଶୀ । ଟୁର୍ଣ୍ଣାମେଣ୍ଟରେ ସେ ସବୁଠୁ ଚର୍ଚ୍ଚାରେ ଥିଲେ । ଷ୍ଟାର୍ ବୋଲରଙ୍କୁ ସେ ପ୍ରହାର କରିଥିଲେ । ଏପରିକି ଶକ୍ତିଶାଲୀ ଗୁଜରାଟ ଟାଇଟନ୍ସ ବିପକ୍ଷରେ ତାଙ୍କ ବ୍ୟାଟରୁ ଶତକ ବାହାରିଥିଲା ।