ପ୍ରେମ ବ୍ୟାପାରର ସମାଧାନ ପାଇଁ ଗାଁରେ ବସିଥିଲା ବୈଠକ, ଆରୋପୀର ଗୁଳିମାଡ଼ରେ ଗୁରୁତର ହେଲେ ଯୁବକ

NEWS7
seven-person-arrest-in-berhmapur

ମୋହନା: ପ୍ରେମ ବ୍ୟାପାରର ସମାଧାନ ପାଇଁ ଗାଁରେ ବସିଥିଲା ବୈଠକ। ଉଭୟ ପରିବାରର ମୁରବୀଙ୍କ ସମେତ ଗାଁ ମୁଖିଆ, ବୟସ୍କ ସମସ୍ତେ ଉପସ୍ଥିତ ଥିଲେ। ହେଲେ ଏହି ସମୟରେ ହଠାତ୍ ବୈଠକରେ ଆରୋପୀ ଯୁବକ କରିଥିଲେ ଆଖି ବୁଜା ଗୁଳିମାଡ଼। ଏଥିରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅଧୀନ ଚନ୍ଦ୍ରଗିରି ଢେପ ସାହିରେ। ଗୁରୁତର ଯୁବକ ହେଉଛନ୍ତି ରା. ଉଦୟଗିରି ଥାନା ସୁଗାଡ଼ ଗାଁର ଅନିଲ କରାଡ଼ (୨୨)। ସେହିଭଳି ଗୁଳିମାଡ଼ କରିଥିବା ଯୁବକ ଢେପାସାହି ଗାଁର।

ସୂଚନା ଅନୁସାରେ, ଢେପାସାହି ଗାଁର ଯୁବକ ଜଣକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। କିଛି ବର୍ଷ ତଳେ ଉଭୟ ମିଶି ବାହାରକୁ ଚାଲି ଯାଇଥିଲେ। ସେତେବେଳେ ଯୁବତୀ ନାବାଳିକା ଥିଲେ। ଏମିତିରେ ଯୁବତୀଙ୍କ ପରିବାର ଲୋକେ ଝିଅକୁ ଘରକୁ ନେଇ ଆସିବା ସହ ବର୍ଷକ ତଳେ ଅନ୍ୟତ୍ର ବିବାହ କରାଇଦେଲେ।

ହେଲେବି ଯୁବକ ଜଣକ ଯୁବତୀଙ୍କ ସହ ପୂର୍ବଭଳି ସମ୍ପର୍କ ରଖିଥିଲେ। ତେବେ ୨ ଦିନ ତଳେ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ଯୁବତୀଙ୍କ ପରିବାରଲୋକେ। ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକ ଯୁବକକୁ ନିସ୍ତୁକ ମାଡ଼ ମାରିଥିଲେ। ତେବେ ସୋମବାର ମଧ୍ୟାହ୍ନରେ ଏହି ଘଟଣାକୁ ନେଇ ଢେପାସାହି ଗାଁରେ ବୈଠକ ବସିଥିଲା। ବୈଠକରେ ଗ୍ରାମବାସୀ, ଯୁବତୀଙ୍କ ପରିବାର, ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। ଏହାପରେ ବୈଠକକୁ ଯୁବକକୁ ଡକା ଯାଇଥିଲା।

ହେଲେ ଯୁବକ ଜଣଙ୍କ ବୈଠକରେ ପହଞ୍ଚି ଗୁଳିମାଡ଼ କରିଥିଲେ। ୩ ରାଉଣ୍ଡ ଗୁଳି ଚଳାଇଥିବା ବେଳେ, ଏଥିରେ ସୁଗାଡ଼ ଗାଁରେ ନିଜ ପିଉସୀଙ୍କ ଘରକୁ ଆସିଥିବା ଅନିଲ ଆହତ ହୋଇଥିଲେ। ଅନିଲଙ୍କ ଡାହାଣ ପାଦରେ ଗୋଟିଏ ଗୁଳି ବାଜିଛି। ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ।

ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଗାଁ ନିକଟସ୍ଥ ପାହାଡ଼ରୁ ଅଭିଯୁକ୍ତକୁ କାବୁ କରିଥିଲେ। ତା’ଠାରୁ କୋରିଆ ନିର୍ମିତ ମାଉଜରକୁ ଜବତ କରି ଅଧିକ ତଦନ୍ତ କରୁଛି। ତେବେ ଅଭିଯୁକ୍ତ ଯୁବତୀଙ୍କ ପରିବାରକୁ ନା’ ତାଙ୍କ ସ୍ୱାମୀଙ୍କୁ ଟାର୍ଗେଟ କରିଥିଲେ ତାହା ଏବେବି ସ୍ପଷ୍ଟ ହୋଇନାହିଁ।