ଫୋନ୍ ବନ୍ଦ କରିଦିଏ...ସଂଘର୍ଷର କାହାଣୀ ନିଜେ କହିଲେ ସଞ୍ଜୁ ସାମସନ୍‌

NEWS7
seven-person-arrest-in-berhmapur

ନୂଆଦିଲ୍ଲୀ: ସଞ୍ଜୁ ସାମସନ୍ । ଅବସାଦ, ସଂଘର୍ଷ ଏବଂ ଶେଷରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ସାମସନ । ଭାରତ ବିଜୟ ପଛରେ ସଞ୍ଜୁଙ୍କ ଅତୁଳନୀୟ ଅବଦାନକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନପାଇ ଏକପ୍ରକାର ଅବସାଦରେ ଥିଲେ ସଞ୍ଜୁ । ପରେ ସଂଯୋଗବଶତଃ ଦଳକୁ ଫେରି ଏମିତି କମାଲ କଲେ ଯେ, ଏବେ କ୍ରିକେଟ ପ୍ରେମୀଙ୍କ ମନ-ମସ୍ତିଷ୍କରେ କେବେଳ ସଞ୍ଜୁ ସାମସନ । ଇଶାନ କିଶନ ଏବଂ ଅଭିଷେକ ଶର୍ମାଙ୍କ ଯୋଡ଼ି ଓପନିଂ କରୁଥିବା ବେଳେ, ସଞ୍ଜୁଙ୍କୁ ସ୍ଥାନ ମିଳିବ କି ନାହିଁ ଆଶଙ୍କା ଥିଲା । ଅଭିଷେକ ଶର୍ମା ଅସୁସ୍ଥ ହେବା ପରେ ଜିମ୍ବାଓ୍ବେ ବିପକ୍ଷରେ ସଞ୍ଜୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । ଆଉ ସେବେଠାରୁ ପଛକୁ ଫେରି ଚାହିଁନାହାନ୍ତି ସଞ୍ଜୁ ସାମସନ ।

କୋଲକାତାରେ ଓ୍ବେଷ୍ଟଇଣ୍ଡିଜ୍ ବପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଅପରାଜିତ ୯୭ ରନ୍ କରି ସଞ୍ଜୁ ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଏକାକୀ ଭାରତ ବିଜୟର ଶ୍ରେୟ ନେଇଥିଲେ ସଞ୍ଜୁ । ସେହିଭଳି ଗୁରୁବାର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ୮୯ ରନ୍ କରିଥିଲେ । ଏହି ମ୍ୟାଚରେ ଭାରତୀୟ ଟିମର ସ୍କୋର ୨୫୩ରେ ପହଞ୍ଚିଥିଲା । ଏହି ମ୍ୟାଚ୍ରେ ଇଂଲଣ୍ଡକୁ ୭ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ଲଗାତାର ଫ୍ଲପ୍ ପରେ ମଧ୍ୟ, ସଞ୍ଜୁଙ୍କ ଦମଦାର ପ୍ରତ୍ୟାବର୍ତ୍ତନର ରାଜ୍ କଣ ? ଏବେ ନିଜେ ସଞ୍ଜୁ ସାମସନ ଏହାର ଖୁଲାସା କରିଛନ୍ତି ।

ବାରମ୍ବାର ଖରାପ ପ୍ରଦର୍ଶନ କରି ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ ସଞ୍ଜୁ । ଏହି ସମୟରେ ସେ ନିଜକୁ ବାହ୍ୟ ଜଗତରୁ ଦୂରେଇ ରଖିଥିଲେ । କେବଳ ନିଜର ଲୋକଙ୍କ ସହ କଥା ହେଉଥିଲେ ଏବଂ ସେମାନଙ୍କ ସମର୍ଥନରେ ସଂଘର୍ଷ ଜାରି ରଖିଥିଲେ । ସେ କହିଛନ୍ତି, ଧ୍ୟାନ କେନ୍ଦ୍ରିତ କରିବାକୁ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ । ସେ କହିଛନ୍ତି, ‘ଯେତେବେଳେ କଷ୍ଟକର ସମୟ ଆସିଥିଲା, ମୋର ନିକଟତର ଲୋକମାନେ - ଯେଉଁମାନଙ୍କୁ ମୁଁ ଭଲ ପାଏ ଏବଂ ସମର୍ଥନ କରେ ସେମାନେ ମୋ ସହିତ ଥିଲେ । ମୁଁ ମୋର ଫୋନ୍ ବନ୍ଦ କରି ଦେଇଥିଲି । ମୁଁ ସୋସିଆଲ ମିଡିଆରେ ନଥିଲି । ଏବେ ବି ସୋସିଆଲ ମିଡିଆରେ ନାହିଁ। କମ୍ ଲୋକଙ୍କ ସହ ଯୋଗାଯୋଗ କରିବା ହିଁ ମୋତେ ସଠିକ୍ ଦିଗରେ ଧ୍ୟାନ ଦେବାରେ ସାହାଯ୍ୟ କରିଥିଲା ।’

ସେ ଆହୁରି କହିଛନ୍ତି ଯେ, ‘ମୁଁ କିପରି ଆଗକୁ ଯାଉଛି, ସେଥିରେ ବହୁତ ଖୁସି। ମୁଁ ଭାବୁଛି ଏହା ମୋ ପାଇଁ ବହୁତ ଚ୍ୟାଲେଞ୍ଜିଂ ଥିଲା। ମୁଁ ନିଶ୍ଚିତ ଭାବରେ ଦେଶ ପାଇଁ ଏବେ ଯାହା କରିବାକୁ ଚେଷ୍ଟା କରୁଛି, ତାହା କରିବାକୁ ଚାହୁଁଥିଲି । ବିଶ୍ୱକପରେ ଯୋଗଦାନ ଦେଇ ଖେଳ ଜିତିବାକୁ ଚେଷ୍ଟା କରିଆସିଛି । କିନ୍ତୁ ମୁଁ ଭାବୁଛି ନ୍ୟୁଜିଲାଣ୍ଡ ସିରିଜରେ ମୁଁ ଟିକେ ଅଧିକ ଚେଷ୍ଟା କରିଥିଲି। ମୁଁ ଏଠାରେ ଏକ ପ୍ରଭାବ ପକାଇବାକୁ ଏବଂ ବିଶ୍ୱକପ୍ ପାଇଁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ଚାହୁଁଥିଲି।’