ମୁମ୍ଵାଇ ୨୦।୦୭; ସୁଟିଂ ସେଟରେ ଶାହାରୁଖ ଖାନ ଆହତ । ଫିଲ୍ମ ସୁଟିଂ ବେଳେ ଶାହରୁଖ ଖାନ ଆହତ ହୋଇଛନ୍ତି। ଅଭିନେତା ଶାହରୁଖ ଖାନ ନିକଟରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ’ର ଆକ୍ସନ ସିନ୍ ସୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ପିଠିରେ ଆଘାତ ଲାଗିଛି। ଏଥିସହ ଫିଲ୍ମର ସୁଟିଂ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ପ୍ରଡକ୍ସନ ଟିମ ପକ୍ଷରୁ ସୂଚନା ମିଳିଛି ।
ଆହତ ପରେ ତେବେ ଚିକିତ୍ସା ପାଇଁ ଶାହାରୁଖ ଆମେରିକା ଯାଇଥିବା ସୂଚନା ମିଳିଛି । ସେଠାକାର ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ଏବେ ସେ ତାଙ୍କ ପରିବାର ସହ ଯୁକ୍ତରାଷ୍ଟ୍ରରେ ଅଛନ୍ତି। ଅନ୍ୟପଟେ ଶାହରୁଖଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସେ ଅସୁସ୍ଥ ଥିବାରୁ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘କିଙ୍ଗ’ ଚଳଚ୍ଚିତ୍ରରେ ଶାହରୁଖଙ୍କ ସହ ତାଙ୍କ ଝିଅ ମଧ୍ୟ ଅଭିନୟ କରିଛନ୍ତି। ‘କିଙ୍ଗ’ ଜରିଆରେ ଶାହରୁଖଙ୍କ ଝିଅ ସୁହାନା ଖାନ ପ୍ରଥମ କରି ବଡ଼ ପରଦାରେ ନଜର ଆସିବେ। ସେ ଶେଷ ଥର ନେଟଫ୍ଲିକ୍ସର ‘ଦି ଆର୍ଚିସ୍’ରେ ଦେଖା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଜୟଦୀପ ଅହଲାଓ୍ଵତ, ଅନିଲ କପୁର ଏବଂ ଅଭୟ ବର୍ମା ମଧ୍ୟ ଅଭିନୟ କରୁଛନ୍ତି। ଏହା ଏକ ବଡ ବଜେଟ ଫିଲ୍ମ। ଶାହରୁଖ ସୁସ୍ଥ ହେବା ପରେ ଫିଲ୍ମ ସୁଟିଂ ଆରମ୍ଭ ହେବ। ପ୍ରଶଂସକମାନେ ଶାହରୁଖଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।