ନୂଆଦିଲ୍ଲୀ: ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ୨୫ତମ ଗଭର୍ଣ୍ଣର ଭାବେ ନିଜ କାର୍ଯ୍ୟକାଳ ଡିସେମ୍ୱର ୧୦ରେ ପୂରଣ କରିବେ । ତେବେ ଶକ୍ତିକାନ୍ତ ଦାସ ନିଜ ପଛରେ ଏକ ବଡ଼ ସଫଳ ଯାତ୍ରା ଛାଡ଼ି ଯାଇଛନ୍ତି । ଏଥିରେ ସଂକଟ ସମୟରେ ଦକ୍ଷ ପରିଚାଳନା, ସ୍ଥିର ନୀତି ନିର୍ମାଣ ଏବଂ ଭାରତର ଆର୍ଥିତ ସ୍ଥିରତା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ସାମିଲ ରହିଛି ।
୨୦୧୮ ଡିସେମ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ହୋଇଥିଲା । ବିମୁଦ୍ରୀକରଣ ପରର ଆହ୍ୱାନଠାରୁ ଆରମ୍ଭ କରି ବୈଶ୍ୱିକ ମହାମାରୀର ସାମନା କରିଛନ୍ତି । କରୋନା ମାହମାରୀ ସାରା ଦୁନିଆ ଅର୍ଥନୀତିକୁ ଅସ୍ଥିର କରିଥିବା ବେଳେ ଭାରତକୁ ସମ୍ଭାଳିବାରେ ଶକ୍ତିକାନ୍ତଙ୍କ ଭୂମିକା ସବୁବେଳେ ମନେ ରହିବ ।
ଅସ୍ଥିର ସମୟରେ ସ୍ଥିର ହାତ
ଆରବିଆଇରେ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ବି ବିବାଦରୁ ଅଛୁଆଁ ନଥିଲା । ତାଙ୍କ ପୂର୍ବରୁ ଉର୍ଜିତ୍ ପଟେଲ, ଆରବିଆଇ ଏବଂ ସରକାରଙ୍କ ମଧ୍ୟରେ ବଢୁଥିବା ବ୍ୟକ୍ତିଗତ କାରଣକୁ ଦର୍ଶାଇ ଇସ୍ତଫା ଦେଇଥିଲେ । ଦାସଙ୍କ ନିଯୁକ୍ତି ସମୟରେ ଅନେକ ପ୍ରଶ୍ନ ଉଠିଥିଲା । ଜଣେ ଦକ୍ଷ ପ୍ରଶାସକ, ଯାହାଙ୍କ ମୁଦ୍ରାନୀତି ଉପରେ ପୂର୍ବରୁ କୌଣସି ଅଭିଜ୍ଞତା ନାହିଁ, ସେ କେନ୍ଦ୍ରୀୟ ବ୍ୟାଙ୍କର ପରିଚାଳନାରେ ସଫଳ ହେବେ ? ତେବେ ଶକ୍ତିକାନ୍ତ ଦାସ ଆରବିଆଇର ସ୍ୱାୟତ୍ତତାକୁ ବଜାୟ ରଖି ସହଯୋଗ ଉପରେ ଜୋର ଦେଇ ସମାଲୋଚକଙ୍କ ମୁହଁ ତୁରନ୍ତ ବନ୍ଦ କରିଦେଇଥିଲେ ।
ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇ ଆରବିଆଇ ନୀତି ବିକଶିତ କଲା । ଗଭର୍ଣ୍ଣର ଭାବେ ନିଜର ପ୍ରଥମ ଭାଷଣରେ ଶକ୍ତିକାନ୍ତ ଆର୍ଥିକ ସ୍ଥିରତାକୁ ବଜାୟ ରଖିବା ପାଇଁ ନିଜର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲେ ।
କୋଭିଡ୍-୧୯ ସଂକଟ
କରୋନା ମହାମାରୀ ହୁଏତ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳର ସବୁଠୁ ଆହ୍ୱାନପୂର୍ଣ୍ଣ ସମୟ ଥିଲା । ସାରା ଦୁନିଆର ଅର୍ଥବ୍ୟବସ୍ଥା ଆଣ୍ଠେଇ ଥିବା ବେଳେ, ଶକ୍ତିକାନ୍ତ ଜଣେ ଦକ୍ଷ ସଂକଟ ପରିଚାଳକ ରୂପେ ସାମନାକୁ ଆସିଥିଲେ । ଆରବିଆଇ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ମାହାମାରୀ ପ୍ରଭାବକୁ କମ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲା । ଏଥିରେ ସୁଧ ହ୍ରାର ହ୍ରାସ, ଋଣ ପରିଶୋଧ ଉପରେ ରୋକ ଏବଂ ଅର୍ଥନୀତିକୁ ନମନୀୟ କରି ନଗଦ ବଢାଇବା ସାମିଲ ରହିଛି ।
ମହାମାରୀ ସମୟରେ ଶକ୍ତିକାନ୍ତ ଦାସଙ୍କ ବ୍ୟବହାରିକ ଏବଂ ସହାନୁଭୂତିକୁ ଦୃଷ୍ଟିକୋଣ ସାମନାକୁ ଆସିଥିଲା । ପରିବାର ଏବଂ ବ୍ୟବସାୟୀ ସାମନା କରୁଥିବା ଆର୍ଥିକ ସମସ୍ୟାକୁ ଅନୁଭବ କରିଥିଲେ । ଶକ୍ତିକାନ୍ତଙ୍କ ନେତୃତ୍ୱରେ ଆରବିଆଇ ଏହା ଉପରେ କାମ କରି ଋଣ ପ୍ରବାହ ଯେପରି ସ୍ଥିର ରହିବ ଏବଂ ଆର୍ଥିକ ପ୍ରଣାଳୀ ଯେପରି ପ୍ରଭାବିତ ନହେବ ତାହା ସୁନିଶ୍ଚିତ କରିଥିଲେ । ସାମ୍ୱାଦିକ ସମ୍ମିଳନୀ ବେଳେ ତାଙ୍କ ଶାନ୍ତ ବ୍ୟବହାର ଏବଂ ଆରବିଆଇର ନୀତି ଉପରେ ତାଙ୍କ ସ୍ପଷ୍ଟ ଚିନ୍ତାଧାରା ଯୋଗୁଁ ଏକ ଅସାଧାରଣ ପରିସ୍ଥିତିରେ ସେ ଜନତାଙ୍କ ବିଶ୍ୱାସ ଜିତି ପାରିଥିଲେ ।
ଆର୍ଥିକ ସମାବେଶ ଏବଂ ନବସୃଜନ ଉପରେ ଗୁରୁତ୍ୱ
ସଂକଟମୋଚକ ହେବା ସହ ଭାରତର ଆର୍ଥିକ ଶୃଙ୍ଖଳାକୁ ଆଧୁନିକୀକରଣରେ ଶକ୍ତିକାନ୍ତ ଦାସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ନେତୃତ୍ୱରେ ଆରବିଆଇ ଫିନଟେକ୍ ଇନୋଭେସନ ପାଇଁ ନିୟାମକ ସ୍ୟାଣ୍ଡବକ୍ସ, ଡିଜିଟାଲ୍ ପେମେଣ୍ଟ, ଅଫଲାଇନ ଡିଜିଟାଲ୍ ପେମେଣ୍ଟ, ୟୁପିଆଇକୁ ନେଇ ଲୋକଙ୍କ ଭରସା ଜିତିବା ଏବଂ ଘରେ ଘରେ ପହଞ୍ଚାଇବାରେ ଅନେକ ସଫଳତା ପାଇଛି । ଶକ୍ତିକାନ୍ତ ଦାସ ବ୍ୟାଙ୍କିଂ ଏବଂ ନନ୍ବ୍ୟାଙ୍କିଂ ଫାଇନାନସିଆଲ୍ ସେକ୍ଟରରେ ସଂସ୍କାର ପାଇଁ ଜୋର ଦେଇଆସିଛନ୍ତି । ସମବାୟ ବ୍ୟାଙ୍କକୁ ସଶକ୍ତ କରିବା, ଆସେଟ୍ କ୍ୱାଲିଟିକୁ ମୁଖ୍ୟଧାରାରେ ଆଣିବାରେ ମଧ୍ୟ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ମୁଦ୍ରାନୀତି ଆହ୍ୱାନର ମୁକାବିଲା କରିବା
ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଶକ୍ତିକାନ୍ତ ଦାଶଙ୍କ କାର୍ଯ୍ୟକାଳର ଅନ୍ୟ ଏକ ଆହ୍ୱାନପୂର୍ଣ୍ଣ ଘଟଣା । ବିଶେଷ କରି ବୈଶ୍ୱିକ ସାମଗ୍ରୀର ମୂଲ୍ୟରେ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳାରେ ବାଧା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଏଭଳି ସ୍ଥିତିରେ ଶକ୍ତିକାନ୍ତଙ୍କ ନେତୃତ୍ୱରେ ମୁଦ୍ରାନୀତି କମିଟି ସଠିକ୍ ନିଷ୍ପତ୍ତି ନେଇ ମୁଦ୍ରାସ୍ଫୀତିକୁ ୨-୬% ଟାର୍ଗେଟ୍ ରେଞ୍ଜ ମଧ୍ୟରେ ରଖିବାରେ ବହୁମାତ୍ରାରେ ସଫଳ ହୋଇଛି । କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ମୁଦ୍ରାସ୍ଫୀତି ବୃଦ୍ଧି ଏକ ବଡ଼ ଚାପ ରହିଥିଲା, ପୁଣି ବୈଶ୍ୱିକ ଅସ୍ଥିରତା ଏବଂ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇ ନିଆଁରେ ଘିଅ ଢାଳିବା କାମ କରିଥିଲା । ଏହି ସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ଶକ୍ତିକାନ୍ତ ଦାସ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପ୍ରତିବଦ୍ଧ ଥିବା ବାର୍ତ୍ତାକୁ ଦୋହରାଇଥିଲେ । ୨୦୨୩ ଆର୍ଥିକ ବର୍ଷରେ ତାଙ୍କର ଆର୍ଥିକ ନୀତି ଯୋଗୁଁ ଦେଶର ଜିଡିପି ୭.୬ ପ୍ରତିଶତ ରହିଥିଲା ।