LIVE TV

ଜବରଦଖଲ ନେଇ ମାମଲାର ଶୁଣାଣି ବେଳେ ବର୍ଷିଲେ ହାଇକୋର୍ଟ, କହିଲେ ତୁରନ୍ତ ହଟାଅ

NEWS7
sharad-pawar-became-a-fan-of-sanghs-strategy

କଟକ ୨୧/୧୧: ରାଜ୍ୟରେ ଜବରଦଖଲ ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ ଏହି ସମସ୍ୟା ବଢ଼ିବାରେ ଲାଗିଛି । ଜବରଖଲକାରୀଙ୍କ ପାଇଁ କେବଳ ରାଜ୍ୟ ନୁହେଁଦେଶର ଅଗ୍ରଗତିରେ ବାଧା ସୃଷ୍ଟି ହେଉଛି । ତେଣୁ କୌଣସି ପରିସ୍ଥିତିରେ ଜବରଦଖଲକାରୀଙ୍କ ପ୍ରତି ଦୟା ଦେଖାଇବା ଆବଶ୍ୟକ ନାହିଁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ୍ ଭଗବତୀପୁର ଗ୍ରାମରେ ଜବରଦଖଲକୁ ନେଇ ରୁଜୁ ମାମଲାର ଶୁଣାଣି ଅବସରରେ ହାଇକୋର୍ଟ ଏହା ମତବ୍ୟକ୍ତ କରିଛନ୍ତି ।

ଭଗବତୀପୁର ଗ୍ରାମରୁ ତୁରନ୍ତ ଜବରଦଖଲ ହଟାଇବାକୁ ହାଇକୋର୍ଟ ଏହି ଅବସରରେ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଖୋର୍ଦ୍ଧା ଏସ୍ପିଙ୍କୁ ଆବଶ୍ୟକ ପୁଲିସ୍ କର୍ମଚାରୀ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି । ଯଦି ଆବଶ୍ୟକ ପୋଲିସ୍ କର୍ମଚାରୀ ନାହାନ୍ତି ତେବେ ସିଆର୍ପିଏଫ୍ ଯବାନ ମୁତୟନ କରିବାକୁ ହାଇକୋର୍ଟ କହିଛନ୍ତି । ତିନି ମାସ ମଧ୍ୟରେ ସମସ୍ତ ଜବରଦଖଲ ଉଚ୍ଛେଦ ହେବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଭଗବତୀପୁର ଗ୍ରାମର ବିଜୟ କୁମାର ମହରଣା(ବର୍ତ୍ତମାନ ମୃତ) ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତି ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଏହି ଗ୍ରାମରେ କିଛି ଲୋକ ସରକାରୀ ଜାଗାକୁ ମାଡ଼ିବସିସେଥିରେ ଅନେକ ନିର୍ମାଣ କରିଥିଲେ । ଏହି ଜବରଦଖଲକୁ ହଟାଇବା ଲାଗି ଆବେଦନକାରୀ ପ୍ରଥମେ ସ୍ଥାନୀୟ ତହସିଲ୍ଦାରଙ୍କୁ ଜଣାଇଥିଲେ ।

କିନ୍ତୁ ତହସିଲଦାର କୌଣସି ପଦକ୍ଷେପ ନ ନେବାରୁ ଆବେଦନକାରୀମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଲୋକପାଳଙ୍କ ପର୍ଯ୍ୟନ୍ତ ଯାଇଥିଲେ । କିନ୍ତୁ ଏହାର କୌଣସି ସୁଫଳ ନମିଳିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ହେଉଥିବା ଜବରଦଖଲକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ଜବରଦଖଲକୁ ତୁରନ୍ତ ହଟାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।