ମୁମ୍ବାଇ ୨୯।୧୧: ମହାଯୁତୀ ମେଣ୍ଟର ମୁଖ୍ୟମନ୍ତ୍ରୀ ଛବି ଲାଗି ଜାରି ଅନିଶ୍ଚିତତାରେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ତାଙ୍କର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି। ଶିବସେନା (ସିନ୍ଦେ) ମୁଖପାତ୍ର ମନିଷା କାୟନ୍ଦେ ଏହି ସୂଚନା ଦେଇଛନ୍ତି। ପାର୍ଟି ସୂତ୍ର ଅନୁସାରେ ଏକନାଥ ସିନ୍ଦେ ସତାରା ଜିଲ୍ଲାସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ଗସ୍ତ କରିଛନ୍ତି। ଏହି ଘଟଣାକ୍ରମ ଦିଲ୍ଲୀରେ ଗୁରୁବାର ଅମିତ ଶାହ ଓ ଜେ.ପି.ନଡ୍ଡାଙ୍କ ସହ ସିନ୍ଦେ, ଦେବେନ୍ଦ୍ର ଫଡନବୀଶ ଓ ଅଜିତ ପାୱାରଙ୍କ ବୈଠକର ଦିନକ ପରେ ଘଟିଛି।
ବୈଠକରେ ମେଣ୍ଟରେ ସାମିଲ ୩ ଦଳଙ୍କ ମଧ୍ୟରେ ଶାହ କ୍ୟାବିନେଟ ବର୍ଥ ବଣ୍ଟନ ନେଇ ଗୁରୁତ୍ୱପୂର୍ଣ୍ଣ ଫର୍ମୂଲା ଉପରେ ମଧ୍ୟ ଚର୍ଚ୍ଚା କରିଛନ୍ତି, ଏଣୁ ମନ୍ତ୍ରୀମଣ୍ଡଳ ଆଗାମୀ ସପ୍ତାହ ଆରମ୍ଭରେ ଶପଥ ନେବ ବୋଲି ଅନୁମାନ କରାଯାଉଛି। ଏହି ବୈଠକ ପରେ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦବୀ ମିଳିବା ନିଶ୍ଚିତ ବୋଲି ଅନୁମାନ କରାଯାଉଥିବା ବେଳେ ଶାହ ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ମଞ୍ଜୁରୀ ଦେଇଥିବାର ଆକଳନ କରାଯାଉଛି, ଯେଉଁଥିରେ ସହଯୋଗୀ ଶିବସେନା (ସିନ୍ଦେ) ଓ ଏନସିପି(ଅଜିତ)କୁ ଗୋଟିଏ କରି ମିଳିବ।
ବୈଠକ ପରେ ସିନ୍ଦେ ସାମ୍ବାଦିକଙ୍କୁ ଅମିତ ଶାହ ଓ ଜେ.ପି.ନଡ୍ଡାଙ୍କ ସହ ଚର୍ଚ୍ଚା ଆଲୋଚନାକୁ ସକରାତ୍ମକ ବୋଲି କହିଛନ୍ତି। କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ମହାରାଷ୍ଟ୍ରର ୩ ମେଣ୍ଟ ସହଯୋଗୀଙ୍କ ଏହା ପ୍ରଥମ ବୈଠକ। ତେବେ ସିନ୍ଦେ କହିଛନ୍ତି ଯେ ମହାଯୁତୀର ଆଉ ଏକ ବୈଠକ ହେବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ତାର ନିଷ୍ପତ୍ତି ହେବ। ଏହି ବୈଠକ ମୁମ୍ବାଇରେ ହେବ ବୋଲି ସିନ୍ଦେ କହିଛନ୍ତି।
ନଭେମ୍ବର ୨୩ ତାରିଖ ଦିନ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ତେବେ ବିଜେପି ନେତୃତ୍ୱାଧୀନ କ୍ଷମତାସୀନ ମେଣ୍ଟ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିପାରି ନାହିଁ। ୨୮୦ ସଦସୀୟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ୧୩୨ ଆସନ ସହିତ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି। ଏଥିରେ ସହଯୋଗୀ ଦଳ ଏକନାଥ ସିନ୍ଦେଙ୍କ ଶିବସେନାକୁ ୫୭ ଓ ଅଜିତ ପାୱାରଙ୍କ ଏନସିପିକୁ ୪୧ଟି ଆସନ ମିଳିଛି।