ମୁମ୍ବାଇ ବିଶ୍ୱବିଦ୍ୟାଳୟ ସିନେଟ ନିର୍ବାଚନରେ ଶିବସେନା UBTର ବାଜିମାତ, ଜାଣନ୍ତୁ କ’ଣ କହିଲେ ଆଦିତ୍ୟ ଠାକରେ?

Published By : Prameya-News7 Bureau | September 28, 2024 IST

ମୁମ୍ବାଇ ୨୮।୯: ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଶନିବାର କହିଛନ୍ତି ଯେ ମୁମ୍ବାଇ ବିଶ୍ୱବିଦ୍ୟାଳୟ ସିନେଟ ନିର୍ବାଚନରେ ତାଙ୍କ ପାର୍ଟିର ବିଜୟ ଆରମ୍ଭ ମାତ୍ର, ଏପରି ବିଜୟ ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବି ଦୋହରିବ। ଶିବସେନା ୟୁବିଟିର ଯୁବ ଶାଖା ‘ଯୁବ ସେନା’ ସିନେଟ ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରି ସମସ୍ତ ୧୦ଟି ଜାକ ସ୍ନାତକ ଆସନ ହାତେଇ ନେଇଛି। ଫଳରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ସମ୍ପର୍କିତ ଏବିଭିପିକୁ ହାରର ମୁହଁ ଦେଖିବାକୁ ପଡିଛି। 

ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ଉତ୍ସାହିତ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଆଦିତ୍ୟ ଠାକରେ କହିଛନ୍ତି ଯେ ସିନେଟ ନିର୍ବାଚନ ନିମନ୍ତେ କେବଳ ମୁମ୍ବାଇ ନୁହେଁ ଠାଣେ, ପାଲଘର, ରାୟଗଡ଼ ଓ ସିନ୍ଧୁଦୁର୍ଗ ଜିଲ୍ଲାରେ ବି ମତଦାନ ହୋଇଥିଲା। ଏଣୁ ଏହି ବିଜୟ ତାଙ୍କ ପାର୍ଟିର ପ୍ରଭାବକୁ ଦର୍ଶାଉଥିବା ଆଦିତ୍ୟ ଠାକରେ କହିଛନ୍ତି। ଯୁବ ସେନା ମୁଖ୍ୟ ତଥା ୱର୍ଲିର ବିଧାୟକ ଆଦିତ୍ୟ କହିଛନ୍ତି ଯେ ଏହି ବିଜୟ ସ୍ନାତକମାନଙ୍କ ଦ୍ୱାରା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଶ୍ୱାସକୁ ଦର୍ଶାଉଛି। ସେ ଏହା ମଧ୍ୟ ଘୋଷଣ କରିଛନ୍ତି ରାଜ୍ୟରେ ଛାତ୍ର ଓ ସ୍ନାତଙ୍କ ଲାଗି ହେଲ୍ପଲାଇନ ସ୍ଥାପନା କରାଯିବ। 


ମୁମ୍ବାଇ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନିର୍ଣ୍ଣାୟାକ ନିର୍ବାଚିତ ଅନୁଷ୍ଠାନ ହେଉଛି ସିନେଟ। ଯେଉଁଥିରେ ଶିକ୍ଷକ, ଅଧ୍ୟାପକ ଓ କଲେଜ ମ୍ୟାନେଜମେଣ୍ଟ ସହିତ ପଞ୍ଜିକୃତ ସ୍ନାତଙ୍କ ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିଥାନ୍ତି।  ସିନେଟକୁ ବିଶ୍ୱବିଦ୍ୟାଳୟଙ୍କ ବଜେଟ୍ ଗୃହୀତ କରିବାର ମଧ୍ୟ ଅଧିକାର ରହିଛି।  ନଭେମ୍ବରରେ ହେବାକୁ ଥିବା ସମ୍ଭାବିତ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମିଳିଥିବା ଏହି ପରିଣାମ ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ ଶିବସେନା ୟୁବିଟି ନେତା ଅନିଲ ପରବ ଗତ ଜୁଲାଇରେ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନ ପରିଷଦ (ଏମଏଲସି) ନିର୍ବାଚନରେ ମୁମ୍ବାଇ ସ୍ନାତକ ନିର୍ବାଚନ କ୍ଷେତ୍ରରୁ ବିଜୟୀ ହୋଇଥିଲେ। 


ସିନେଟ ନିର୍ବାଚନରେ ଶିବସେନା(ୟୁବିଟି)ର ବିଜୟ ପାଇଁ ଶନିବାର ମାତ୍ରୋଶ୍ରୀରେ ଉତ୍ସବ ପାଳନ କରାଯାଇଛି, ଏଥିରେ ବରୁଣ ସରଦେସାଇଙ୍କ ଭଳି ଯୁବସେନା ନେତାଙ୍କୁ ତାଙ୍କ ସମର୍ଥକଙ୍କ ସହ ନାଚ କରୁଥିବା ଦେଖାଯାଇଛି। ସରଦେଶାଇ ସମ୍ପର୍କରେ ଆଦିତ୍ୟଙ୍କ ଭାଇ। ଏହି ନୃତ୍ୟଗୀତ ଆସରରେ ଆଦିତ୍ୟ ମଧ୍ୟ କିଛି ସମୟ ପାଇଁ ସାମିଲ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.