ଏୟାରଲାଇନ୍ସଙ୍କ ମନମୁଖୀ ଉପରେ ସବୁଦିନ ପାଇଁ ଲାଗିବ ଲଗାମ, ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀ ମୋଦି

NEWS7
six-member-of-one-family-ill-after-consume-pakudi-in-umerkote

ନୂଆଦିଲ୍ଲୀ ୬।୧୨: ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋର ମନମୁଖୀ ଓ ଚାପର ରଣନୀତି ସରକାରଙ୍କୁ କ୍ଷୁବ୍ଧ କରିଛି। ଲଗାତାର ଉଡାଣ ରଦ୍ଦ ପାଇଁ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ସରକାରୀ ନିୟାମକୀୟ ସଂସ୍ଥା ଡିଜିସିଏ ଯାତ୍ରୀଙ୍କ ସୁବିଧାକୁ ଏଡାଇ ଯେଉଁପରି ନଇଁବାକୁ ବାଧ୍ୟ ହେଲେ ତାହା ସରକାରଙ୍କୁ ଝଟକା ଦେଇଛି। ଏଣୁ ସରକାର ଏବେ ଇଣ୍ଡିଗୋ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଦେଶରେ ଏୟାରଲାଇନ୍ସ ଙ୍କ ଲାଗି ସବୁଦିନ ନିମନ୍ତେ କଡ଼ା ଦେଖରେଖ ବ୍ୟବସ୍ଥା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି।

କୁହାଯାଉଛି ନିଜେ ପ୍ରଧାନମନ୍ତ୍ରୀ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ଏହି ମାମଲାର କଠୋର ମୁକାବିଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବିମାନ ଚଳାଚଳ ମନ୍ତ୍ରାଳୟର ଅଧିକାରୀଙ୍କ ସହିତ ମନ୍ତ୍ରୀ ରାମମୋହନ ନାୟଡୁ ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତି ନେଇ ଅବଗତ କରାଇଛନ୍ତି। ଏୟାର ଲାଇନ୍ସ କମ୍ପାନୀ ଯେପରି ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଅଣଦେଖା ନ କରନ୍ତି ତାହା ସୁନିଶ୍ଚିତ କରିବାକୁ ମୋଦି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ସରକାର ଯଦିଓ ବର୍ତ୍ତମାନ ଲାଗି ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ (ଏଫଡିଟିଏଲ) ପ୍ରତ୍ୟାହାର କରିଛନ୍ତି ତେବେ ଇଣ୍ଡିଗୋକୁ ବି ଏହା ମାନିବାକୁ ପଡିବ।

ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଉପୁଜିଥିବା ପରିସ୍ଥିତିର ଯାଞ୍ଚ ପାଇଁ ଗଠନ କରାଯାଇଥିବା ୪ ସଦସୀୟ ଟିମ୍ ର ରିପୋର୍ଟ ମିଳିବା ପରେ ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିରେ ଇଣ୍ଡିଗୋ ବିରୋଧରେ ମୋଟା ଜରିମନା ସହିତ ଅନ୍ୟ କଟକଣା ବି ଲାଗୁ ହୋଇପାରେ। ଯେଉଁଥିରେ କିଛି ରୁଟରେ ଇଣ୍ଡିଗୋ ବିମାନ ସଂଖ୍ୟା ହ୍ରାସ ମଧ୍ୟ ହୋଇପାରେ। ଜରୁରି ହେଲେ କିଛି ରୁଟ ଫେରସ୍ତ ମଧ୍ୟ ନିଆଯାଇପାରେ। ଏହା ବି ଶୁଣା ଯାଉଛି ସରକାର ଇଣ୍ଡିଗୋ ସିଇଓଙ୍କୁ ହଟାଇବା ନିର୍ଦ୍ଦେଶ ମଧ୍ୟ ଦେଇ ପାରନ୍ତି।

ସରକାର ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଦେଶ କୌଣସି କମ୍ପାନୀ ଚାପରେ ରହିବା ଲାଗି ବାଧ୍ୟ ନୁହେଁ। ତେବେ ଏହା ପୂର୍ବରୁ ୨-୩ ଦିନରେ ଯାତ୍ରା ସ୍ୱଭାବିକ କରିବା ପାଇଁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥି ପାଇଁ ସେ ୭ ଦିନ ସମୟ ମାଗୁଛି। ସୂତ୍ରଙ୍କ କହିବା କଥା ହେଉଛି ଏୟାର ଲାଇନ୍ସର ବୈଶ୍ୱିକ ପରିସ୍ଥିତି ଯାହା ସେଥିରେ ଭଡ଼ା ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ହେଲେ ସମୟ ସମୟରେ ଏୟାର ଲାଇନ୍ସ କମ୍ପାନୀ ଯେଉଁ ପରି ଅନୁଚିତ ଲାଭ କରୁଛନ୍ତି ସେଥି ପାଇଁ କିଛି ଗାଇଡଲାଇନ ଆସିପାରେ। କୋଭିଡ ସମୟରେ ସରକାର ଭଡ଼ା ନିର୍ଦ୍ଧାରଣ କରିଦେଇଥିଲେ, ଏବେ ମଧ୍ୟ ସରକାର ଭଡ଼ା ନିର୍ଦ୍ଧାରଣ କରିଛନ୍ତି।

ଏହା ଛଡା ବଡ଼ ପର୍ବପର୍ବାଣୀ କାଳରେ ଏୟାରଲାଇନ୍ସ ଙ୍କ ପାଇଁ କିଛି ନିୟମ କରାଯାଇ ପାରେ। ତେବେ ତଦାରଖ ପ୍ରଣାଳୀକୁ ମଜଭୁତ କଲେ ଏହା ହୋଇ ପାରିବ। ତଦାରଖ ବ୍ୟବସ୍ଥାକୁ ନିୟମିତ କରିବା ଓ ଉଚ୍ଚସ୍ତରରେ ଏହାର ରିପୋର୍ଟିଂ କରିବାକୁ ଡିଜିସିଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପୁଜିଥିବା ପରିସ୍ଥିତି ସ୍ୱଭାବିକ ହେବା ପରେ ଡିଜିସିଏ ଆଗାମୀ ଦିନମାନଙ୍କରେ କୁହୁଡି କାରଣରୁ ପ୍ରଭାବିତ ହେବାକୁ ଥିବା ଉାଡଣଙ୍କ ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି।