ଆମେରିକାରେ ଜାରି ହେଲା ବରଫ ଝଡ଼ ସତର୍କତା, ଆସୁଛି ଦଶନ୍ଧୀର ସବୁଠୁ ଶକ୍ତିଶାଳୀ ହୀମ ଝଡ଼

Published By : Prameya-News7 Bureau | January 05, 2025 IST

ୱାସିଂଟନ ୫।୧: ଆମେରିକାରେ ଏବେ ଭୀଷଣ ଥଣ୍ଡା ପଡୁଛି। ଏଥି ମଧ୍ୟରେ ଦେଶର ପାଣିପାଗ ବିଭାଗ ଏକ ବଡ଼ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ନେଇ ସତର୍କ କରିଛି। ଜାତୀୟ ପାଣିପାଗ ସେବା ଦ୍ୱାରା ଜାରି ସୂଚନା ଅନୁସାରେ ଏହି ଝଡ଼ ୨୦୨୫ ମସିହାର ପ୍ରଥମ ଶୀତକାଳୀନ ଝଡ଼ ହେବ। ଏହାର ପ୍ରଭାବ ଆମେରିକାର ୧,୩୦୦ ମାଇଲ ଅଞ୍ଚଳ ଉପରେ ପଡିବ, ଯେଉଁଠି ଭୀଷଣ ହୀମପାତ, ବର୍ଷା ସହ ବରଫ ଝଡ ବହିବାର ଆକଳନ କରାଯାଇଛି। 

ଆର୍କଟିକ୍ ପବନ ବହିବା ଯୋଗୁ ସୋମବାର ଠାରୁ ପୂର୍ବ ଆମେରିକାରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହେବ। ତେବେ ଆସିବାକୁ ଥିବା ହୀମ ଝଡର ପ୍ରଭାବ ଦେଶର ୬୦ ନିୟୁତ ଅର୍ଥାତ ୬ କୋଟି ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଇଛି। ହେବାକୁ ଥିବା ଶ୍ୱେତ ଝଡକୁ ନେଇ ପାଣିପାଗ ବିଭାଗ ଅଗ୍ରୀମ ସତର୍କତା ଜାରି କରିଛନ୍ତି। ଦେଶର ଉତ୍ତର-ପଶ୍ଚିମରେ ରକି ମାଉଣ୍ଟେନ ସ୍ଥିତ ମୋଣ୍ଟାନା, ଡେଲାୱେୟର, ମେରି ଲ୍ୟାଣ୍ଡ ତଥା ଭର୍ଜିନିୟାର ଉପକୂଳ ରାଜ୍ୟମାନଙ୍କରେ ଏହି ଝଡ଼କୁ ନେଇ ସତର୍କତା ଜାରି କରାଯାଇଛି। 

ଅନୁମାନ କରାଯାଉଛି ଏହି ଝଡ଼ ଯୋଗୁ ସଡକ ଉପରେ ବହଳ ବରଫ ଜମା ହୋଇପାରେ। ଝଡ଼ ଯୋଗୁ କେତେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ମଧ୍ୟ ପ୍ରଭାବିତ ହୋଇପାରେ। ଏଣୁ ତାପମାତ୍ରା ହ୍ରାସ ହେବା ସହ ଲୋକେ ଥଣ୍ଡାର ସମ୍ମୁଖୀନ ହୋଇ ପାରନ୍ତି। ପାଣିପାଗ ବିଭାଗଙ୍କ ଅନୁମାନ ଅନୁସାରେ କିଛି ଅଞ୍ଚଳର ତାପମାତ୍ରା ବିଯୁକ୍ତ ୧୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଏହି ହୀମ ଝଡକୁ ନଜରରେ ରଖି ଆମେରିକାର କେତେକ ରାଜ୍ୟରେ ଏବେଠାରୁ ଜରୁରିକାଳୀନ ପରିସ୍ଥିତି ଜାରି ହୋଇସାରିଲାଣି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.