ଏପଷ୍ଟିନ ଫାଇଲ୍ସରେ ନାଁ ଆସିବା ପରେ ନୀରବତା ଭାଙ୍ଗିଲେ ବିଲ୍ ଗେଟ୍ସ, କହିଲେ କଣ କଲି ମୁଁ...

NEWS7
soa-community-radio-broadcasts-special-program-on-world-menstrual-hygiene-day

ନୂଆଦିଲ୍ଲୀ ୦୫/୦୨: ସାରା ବିଶ୍ୱରେ ଚର୍ଚ୍ଚା ଏପଷ୍ଟିନ୍ ଫାଇଲ୍ସ । ଫାଇଲ୍ସ ସ୍କାନରରେ ବିଶ୍ୱର ବଡ଼ ବଡ଼ ରଥି ମହାରଥୀ । ପ୍ରଥମ ନାଁ ଆସିଥିଲା ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କର । ତେବେ ତା ନାଁକୁ ନେଇ ଚର୍ଚ୍ଚା ହେବା ପରେ ନିଜର ନୀରବତା ଭାଙ୍ଗିଛନ୍ତି ବିଲ୍ ଗେଟ୍ସ । ଋଷୀୟ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ ପରେ ସେ ଯୌନ ସଂକ୍ରମଣ (STD) ହୋଇଥିବା ଦାବିକୁ ସେ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି । ଏହି ଅଭିଯୋଗଗୁଡ଼ିକ ଜେଫ୍ରି ଏପଷ୍ଟାଇନ୍ ଦ୍ୱାରା ଲିଖିତ ଇମେଲ ମାଧ୍ୟମରେ କରାଯାଇଥିଲା । ଯାହା ସମ୍ପ୍ରତି ପ୍ରକାଶିତ ଦଲିଲରେ ଅନ୍ତର୍ଭୁକ୍ତ ।

ଅଷ୍ଟ୍ରେଲିଆର ଚ୍ୟାନେଲ ୯ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ, ଗେଟ୍ସ କହିଛନ୍ତି ଯେ ଇମେଲଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ କପୋଳକଳ୍ପିତ । ସେ କହିଛନ୍ତି, ଜେଫ୍ରି ନିଜକୁ ଏକ ଇମେଲ୍ ଲେଖିଥିଲେ ଯାହା କେବେ ପଠାଯାଇ ନଥିଲା । ସେହି ଇମେଲ୍ ମିଥ୍ୟା । ମୁଁ ଏହା ପଛରେ ତାଙ୍କର ଚିନ୍ତାଧାରା କଣ ଜାଣିନାହିଁ । ଏହା ମୋତେ ପ୍ରତ୍ୟେକ ମୁହୂର୍ତ୍ତର ଅନୁତାପର କଥା ମନେ ପକାଉଛି, ଯେ ମୁଁ କାହିଁକି ଭେଟିଲି ତାଙ୍କୁ । ତାଙ୍କ ସହିତ ବିତାଇଥିବା ପ୍ରତିଟି ସମୟକୁ ମନେ ପକାଇ ସେ କ୍ଷମା ପ୍ରାର୍ଥନା କରୁଛନ୍ତି ।

 

ବିଲ୍ ଗେଟ୍ସଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ବି ଗେଟ୍ସ ମଧ୍ୟ ଇମେଲଗୁଡ଼ିକର ଉତ୍ତର ଦେଇ ସେଗୁଡ଼ିକୁ ଅତି ହୃଦୟ ବିଦାରକ ବୋଲି କହିଥିଲେ । ସେ କହିଥିଲେ ଏ ବିଷୟରେ ଜାଣିବା ପରେ ତାଙ୍କ ନିଜ ଝିଅମାନଙ୍କର କଥା ମନେ ପଡ଼ିଥିଲା । କାରଣ ସେମାନେ ମଧ୍ୟ ସେହି ସମ ବୟସର ଥିଲେ । ସାକ୍ଷାତକାରରେ, ବିଲ୍ ଗେଟ୍ସ ଏପଷ୍ଟିନଙ୍କ ସହ ତାଙ୍କର ସୀମିତ ସମ୍ପର୍କକୁ ମଧ୍ୟ ସ୍ପଷ୍ଟ କରିଥିଲେ।

ମୁଁ କେବେ ଏପଷ୍ଟିନଙ୍କ ଦ୍ୱୀପକୁ ଯାଇନଥିଲି:

​​​​​​​ସେ କହିଥିଲେ, "ମୁଁ ତାଙ୍କ ସହିତ ବିତାଇଥିବା ପ୍ରତ୍ୟେକ ମିନିଟ୍ ପାଇଁ ଅନୁତାପ କରୁଛି। ଏହା ବାସ୍ତବରେ ସତ୍ୟ ଯେ ମୁଁ କେବଳ ରାତ୍ରୀଭୋଜନ କରିବାକୁ ଯାଇଥିଲି। ମୁଁ କେବେ ଏପଷ୍ଟାଇନଙ୍କ ଦ୍ୱୀପକୁ ଯାଇ ନଥିଲି କିମ୍ବା କୌଣସି ମହିଳାଙ୍କୁ ଭେଟି ନଥିଲି।" ବିଲ୍ ଗେଟ୍ସ ଆହୁରି କହିଛନ୍ତି ଯେ ଅଧିକ ସୂଚନା ପ୍ରକାଶ ପାଇବା ପରେ, ଏହା ସ୍ପଷ୍ଟ ହୋଇଯିବ ଯେ ଏପଷ୍ଟାଇନଙ୍କ ସହିତ ତାଙ୍କର ସମୟ ଏକ ଭୁଲ ଥିଲା, କିନ୍ତୁ ଅଭିଯୋଗ ସହିତ ଏହାର କୌଣସି ସମ୍ପର୍କ ନାହିଁ।

ଗେଟ୍ସ ପୁଣି ଥରେ ସେହି କଥା ଦୋହରାଇଛନ୍ତି ଯେ ଏହି ଇମେଲରେ ଥିବା ଅଭିଯୋଗଗୁଡ଼ିକର କୌଣସି ତଥ୍ୟଗତ ଆଧାର ନାହିଁ ।ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ସମ୍ପ୍ରତି ପ୍ରକାଶିତ ଏପଷ୍ଟାଇନ ଫାଇଲ୍ସରେ ୧୮ ଜୁଲାଇ ୨୦୧୩ ତାରିଖରେ ଦୁଇଟି ଇମେଲ୍ ଅନ୍ତର୍ଭୁକ୍ତ । ଯାହା ଏପଷ୍ଟାଇନଙ୍କ ଆକାଉଣ୍ଟରୁ ପଠାଯାଇଥିବା ଅଭିଯୋଗ। ଏହି ଇମେଲଗୁଡ଼ିକ ମଧ୍ୟରୁ ଗୋଟିଏ, ଯାହାକୁ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଇସ୍ତଫା ପତ୍ର ବୋଲି କୁହାଯାଉଛି । ତଥାପି, ଏହି ଇମେଲଗୁଡ଼ିକୁ ସମର୍ଥନ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିନାହିଁ।