ଦୀପା କର୍ମକାରଙ୍କ ସନ୍ୟାସ ନିଷ୍ପତ୍ତିରେ କ୍ରୀଡ଼ାମନ୍ତ୍ରୀ ଆଶ୍ଚର୍ଯ୍ୟ, ଲେଖିଲେ ପତ୍ର

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ ୯।୧୦: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଜିମ୍ନାଷ୍ଟ ଦୀପା କର୍ମକାରଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ଦୀପା ଅଚାନକ ସନ୍ୟାସ ଘୋଷଣା କରିବା ଯୋଗୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଅଲିମ୍ପିକ କ୍ୱାଲିଫାଏ କରିଥିବା ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ୨୦୧୬ ରିୟୋ ଅଲିମ୍ପିକରେ ଚତୁର୍ଥ ସ୍ଥାନ ପାଇଥିଲେ। ତେବେ ଗତ ସୋମବାର ଦୀପା ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ ସନ୍ୟାସ ଘୋଷଣା କରିଛନ୍ତି। 

ଏଥିରେ ମାଣ୍ଡବ୍ୟ ଦୀପାଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ‘ମୁଁ ଜାଣିବାକୁ ପାଇଲି ଆପଣ ଜିମ୍ନାଷ୍ଟିକ୍‌ରୁ ସନ୍ୟାସ ନେଇଛନ୍ତି। ଆପଣଙ୍କ ନିଷ୍ପତ୍ତିରେ ମୁଁ ଆଶ୍ଚର୍ଯ୍ୟ ଚକିତ, କିନ୍ତୁ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଓ ଅଭିଜ୍ଞତାକୁ ଧ୍ୟାନରେ ରଖି ଆପଣ ଏହି ନିଷ୍ପତ୍ତି ନେଇଥିବେ। ମୁଁ ଆପଣଙ୍କ ଏହି ନିଷ୍ପତ୍ତିକୁ ପୂର୍ଣ୍ଣ ସମ୍ମାନ କରୁଛି’। 

ମାଣ୍ଡବ୍ୟ କହିଛନ୍ତି ଯେ ‘ଜିମ୍ନାଷ୍ଟ ରୂପେ ଆପଣଙ୍କ ଯାତ୍ରା ଯାହା ମାତ୍ର ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା, ତାହା ଅତ୍ୟନ୍ତ ପ୍ରେରଣା ଦାୟକ। ଏହି ଖେଳରେ ଆପଣ ଅନେକ ଜଟିଳତାକୁ ସାମ୍ନା କରି ସଫଳତାର ଉଚ୍ଚ ଶିଖର ଛୁଇଁଛନ୍ତି ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି। ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ପଦ୍ମଶ୍ରୀ ଭଳି ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନୀତ ହେବା ଆପଣଙ୍କ ଅଦ୍ୱିତୀୟ ଯୋଗଦାନର ପ୍ରମାଣ’। 

ମାଣ୍ଡବ୍ୟ ଲେଖିଛନ୍ତି ଯେ ଆପଣ ଅଲିମ୍ପିକରେ ଅଂଶଗ୍ରହଣ କରି ଭାରତୀୟ ଜିମ୍ନାଷ୍ଟିକ୍‌ରେ ଏକ ନୂଆ ଅଧ୍ୟାୟ ଯୋଡିଛନ୍ତି ଓ ଏହି ଖେଳରେ ପ୍ରଥମ ଭାରତୀୟ ମହିଳା ହେବା ଆପଣଙ୍କ ବ୍ୟକ୍ତିଗତ ପରିଶ୍ରମର ଫଳ, ତେବେ ଏହା ପୁରା ଦେଶକୁ ଗୌରବାନ୍ୱିତ କରିଛି। ବିଶେଷ କରି ପ୍ରଡୁନୋଭା ୱାଲ୍ଟରେ ଆପଣଙ୍କ ପ୍ରଦର୍ଶନ ଅଦ୍ୱିତୀୟ ଥିଲା। ଆପଣଙ୍କ ଉପଲବ୍ଧି ନା କେବଳ କ୍ରିଡ଼ା ପ୍ରେମୀଙ୍କୁ ପ୍ରେରିତ କରିଛି ବିଶେଷ କରି ଆମ ଝିଅମାନଙ୍କୁ ଖେଳରେ ନିଜ ସ୍ୱପ୍ନ ସାକାର କରିବାକୁ ସାହସ ପ୍ରଦାନ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.