‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର, ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟ ହେବ ଆଦର୍ଶ ବିଦ୍ୟାଳୟ

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି । ସେମାନେ ସମାଜର ମାର୍ଗଦର୍ଶକ । 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଗୁରୁମାନଙ୍କ ହାତରେ ହିଁ ଭବିଷ୍ୟତର ସୁରକ୍ଷା ଦାୟିତ୍ଵ । ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷା ବ୍ୟବସ୍ଥାର ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷକମାନେ କେବଳ ଉତ୍ତମ ଶିକ୍ଷାରେ ସନ୍ତୁଷ୍ଟ ନ ହୋଇ ପିଲାମାନେ ଯେପରି ଜୀବନରେ ମୂଲ୍ୟବୋଧ, ନୀତି ଓ ଆଦର୍ଶକୁ ଅନୁସରଣ କରିବେ, ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ ।

ନିଜର ଶିକ୍ଷକତା ଜୀବନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପିଲାମାନଙ୍କ ଭବିଷ୍ୟତ ନିର୍ମାଣ ପାଇଁ ଶିକ୍ଷକମାନେ ଯେଉଁ ତ୍ୟାଗ କରନ୍ତି ତାହା ଅମୂଲ୍ୟ । ଛାତ୍ରଛାତ୍ରୀଙ୍କ ସଫଳତାରେ ହିଁ ଶିକ୍ଷକମାନେ ଜୀବନର ସାର୍ଥକତା ଅନୁଭବ କରିଥାନ୍ତି । ସେଥିପାଇଁ ସମସ୍ତେ ଗୁରୁମାନଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ । ଆମ ଦେଶର ଗୁରୁ ଶିଷ୍ୟ ପରମ୍ପରା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରଖିଥିଲା । କିନ୍ତୁ ବିଦେଶୀ ଶାସନ ସମୟରେ ଆମର ସଂସ୍କୃତିଭିତ୍ତିକ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦିଆଯାଇଥିଲା । ବର୍ତ୍ତମାନ ଧିରେ ଧିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି ଏବଂ ନୂତନ ଶିକ୍ଷା ବ୍ୟବସ୍ଥାରେ ସଂସ୍କୃତି ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବେ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଦ୍ୱାରା ୩ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ଉପକୃତ ହେବେ ଓ ଡ୍ରପ ଆଉଟ୍‌ ହାର ହ୍ରାସ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସହିତ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା କାର୍ଯ୍ୟକାରୀ କରିବେ। ଏଥିରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବ।

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କହିଲେ ଯେ ଗୁରୁ ବିନା ଜ୍ଞାନ ପ୍ରାପ୍ତି ଅସମ୍ଭବ । ବାପା ମା’ଙ୍କ ପରେ ଯଦି କିଏ ପିଲାମାନଙ୍କର ମଙ୍ଗଳ ଚିନ୍ତା କରିଥାନ୍ତି ତେବେ ସେ ହେଉଛନ୍ତି ଗୁରୁ ବା ଶିକ୍ଷକ। ଶିକ୍ଷା ଜୀବନ ନିର୍ମାଣ କରିଥାଏ, ଶିକ୍ଷା ଚରିତ୍ର ଗଠନ କରିଥାଏ। ଆମ ସରକାର ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଓଡିଶାର ଶିକ୍ଷାକ୍ଷେତ୍ର କିପରି ଆଗ୍ରାଧିକାର ପାଇବ ସେଥିପାଇଁ ଆମର ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ। 

କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇ କହିଲେ ଆଜିର ଯେ, ସମ୍ବର୍ଦ୍ଧିତ ହେଉଥିବା ବିଦ୍ୟାର୍ଥୀମାନେ ମନେରଖିବା ଉଚିତ୍ ଯେ ଏହା ସେମାନଙ୍କ ସମ୍ବର୍ଦ୍ଧନା ନୁହେଁ ବରଂ ଏକ ସଂକଳ୍ପ। ସମଗ୍ର ବିଶ୍ବରେ ଭାରତର ଶିକ୍ଷା ଏବଂ ସଭ୍ୟତାର ସ୍ବତନ୍ତ୍ର ପରିଚୟ ରହିଛି। ଆଗାମୀ ଦିନରେ ଓଡିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେ କହିଥିଲେ। ଗୁରୁ ଏବଂ ବିଦ୍ୟାର୍ଥୀମାନଙ୍କର ଅଦମ୍ୟ ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ଓଡ଼ିଶା ଭବିଷ୍ୟତ ପିଢ଼ିମାନଙ୍କୁ ଶ୍ରେଷ୍ଠ କରି ଗଢ଼ିବାରେ ସଫଳ ହୋଇପାରିଛି। ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାର୍ଥୀମାନେ ବିଶ୍ଵରେ ପ୍ରଶଂସିତ ହେଉଛନ୍ତି ବୋଲି ସେ କହିଥିଲେ।

ଏହି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟକ୍ରମର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଇଥିଲା । 

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା, ଅନନ୍ୟା ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶିକା ଜାମିନୀ ଷଡଙ୍ଗୀ, ବିଭାଗର ବରିଷ୍ଠ ଅଧିକାରୀ, ୩୦ଟି ଜିଲ୍ଲାରୁ ଆସିଥିବା ଶିକ୍ଷୟ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଭାସୀ ମାଧ୍ୟମରେ ୩୦ ଜିଲ୍ଲାର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

You Can Read:

ବନ୍ଧୁକ ମୁନରେ ଲୁଟ୍, ୩ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.