ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ସୁଜିତ କୁମାର !

Published By : Prameya-News7 Bureau | December 10, 2024 IST

ଭୁବନେଶ୍ଵର: ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଆଜି ଥିଲା ଶେଷ ତାରିଖ। ଆଉ ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଛନ୍ତି ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ସୁଜିତ କୁମାର ନିର୍ଦ୍ଵନ୍ଦ୍ଵରେ ସଂସଦର ଉଚ୍ଚସଦନକୁ ଦ୍ଵିତୀୟ ଥର ନିର୍ବାଚିତ ହେବାକୁ ଯାଉଛନ୍ତି।  ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ ଏବେ ରାଜ୍ୟସଭାକୁ ନିର୍ବାଚିତ ହେବେ। 

ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ମନମୋହନ ସାମଲଙ୍କ ସହ ୩୦ ବିଧାୟକ ଉପସ୍ଥିତ ରହିଥିଲେ ।ନାମାଙ୍କନ ଭରିବା ପୂର୍ବରୁ ସୁଜିତ କହିଥିଲେ, ପଶ୍ଚିମ ଏବଂଦକ୍ଷିଣ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ପଶ୍ଚିମ ଓଡ଼ିଶାରେ ରେଳପଥର ବିକାଶ ସହ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦିଆଯିବ। ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ବିଜେପି ଦଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଵଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସୁଜିତ କୁମାର ଧନ୍ୟବାଦ୍ ଜଣାଇଥିଲେ।

Also read: ମିଶନ୍ ଶକ୍ତି ମହିଳାଙ୍କ ଦରମା ବନ୍ଦ୍‌କୁ ବିରୋଧ କଲେ ନବୀନ, କହିଲେ ଏହା ନିନ୍ଦନୀୟ

ସୁଜିତ କୁମାରଙ୍କ ଇସ୍ତଫା ଦେବା ପରେ ଓଡ଼ିଶାରୁ ରାଜ୍ୟସଭାର ଗୋଟିଏ ଆସନ ଖାଲି ପଡ଼ିଥିଲା ।  ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହା ପୂର୍ବରୁ ଗତ ସେପ୍ଟେମ୍ବର ୬ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବା ପରେ ବିଜେଡି ଛାଡ଼ିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। 

ତାଙ୍କ ପୂର୍ବରୁ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ଥରେ ସେ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ । ମମତା ମହାନ୍ତଙ୍କ ଭଳି ବିଜେପି ପୁଣି ଥରେ ସୁଜିତଙ୍କୁ ରାଜ୍ୟସଭାକୁ ପଠାଉଛି।  ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବେ ବୋଲି ପୂର୍ବରୁ ସୁନିଶ୍ଚିତ ହୋଇଥିଲା। ତେବେ ନାମାଙ୍କନ ଦାଖଲର ଶେଷ ଦିନରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଭରି ନାହାନ୍ତି। ତେଣୁ ସୁଜିତ ନିର୍ଦ୍ଵନ୍ଦ୍ଵରେ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ବର୍ତ୍ତମାନ ବିଜେପି ରାଜ୍ୟସଭା ସାଂସଦ ହେଉଛନ୍ତି ଅଶ୍ଵିନୀ ବୈଷ୍ଣବ ଓ ମମତା ମହନ୍ତ। ସୁଜିତଙ୍କୁ ମିଶାଇଲେ ଏବେ ସଂସଦର ଉଚ୍ଚ ସଦନରେ ଓଡ଼ିଶାରୁ ବିଜେପିର ୩ ଜଣ ସାଂସଦ ହେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.