ଭୁବନେଶ୍ୱର,୨୭/୦୨: ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି । ଶୀତରେ ଛାଡ଼ୁନି ତାତି । ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି । ଆଇପିସିସିର ଭୟାନକ ଆକଳନ ଅନୁସାରେ ୨୦୫୦ ମସିହା ବେଳକୁ ବିଶ୍ୱର ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ।
ଏହି ଆକଳନ ଯଦି ସତ ହୁଏ, ଓଡ଼ିଶାରେ ସେତେବେଳକୁ ଭୟାନକ ଗ୍ରୀଷ୍ମ ପ୍ରବାହ ଚାଲିବ । ବର୍ଷକୁ ଗ୍ରୀଷ୍ମ ପ୍ରବାହ ଦିନ ସଂଖା ୭ ଗୁଣା ବଢ଼ି ୮୦ ଛୁଇଁବ । ପୂର୍ବରୁ ହାରାହାରି ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୧ ରହୁଥିଲା । ୨୦୨୩ରେ କିନ୍ତୁ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଦୁଇ ଗୁଣା ବଢ଼ି ୨୨ ହୋଇଥିଲା । ୨୦୨୪ରେ ଏମିତି ସ୍ଥିତି ୩୭ ଦିନ ଥିଲା । ୨୦୫୦ ବେଳକୁ ୮୦ ଦିନ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ ।
ସ୍ୱାଭାବିକ୍ ତାପମାତ୍ରା ଠାରୁ ୪ରୁ ୬ ଡିଗ୍ରୀ ସେଲ୍ସିୟସ ଅଧିକ ରହିଲେ କିମ୍ବା ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଲେ ଏହାକୁ ହିଟ୍ ୱେଭ୍ କିମ୍ବା ଗ୍ରୀଷ୍ମ ପ୍ରବାହ ବୋଲି କୁହାଯାଏ । ଏହାର ଅର୍ଥ ହେଉଛି ବର୍ଷକୁ ୮୦ ଦିନ କଲବଲ କଲା ଭଳି ଅସ୍ୱାଭାବିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୧୯୯୧ ମସିହାରେ ବାର୍ଷିକ ହାରାହାରି ଦିନ ତାପମାତ୍ରା ୩୨.୧ କିମ୍ବା ୩୨.୨ ଡିଗ୍ରୀ ସେଲସିୟସ୍ ପାଖାପାଖି ରହୁଥିଲା । ୧୯୯୫, ୧୯୯୬ରେ ୩୨ ଡିଗ୍ରୀରୁ ବି କମ୍ ଥିଲା ହାରାହାରି ବାର୍ଷିକ ଦିନ ତାପମାତ୍ରା । ଏମିତିକି ଭୟଙ୍କର ଗ୍ରୀଷ୍ମ ପ୍ରବାହର ବର୍ଷ ୧୯୯୮ରେ ବି ବର୍ଷର ହାରାହାରି ଦିନ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିନଥିଲା ।
ମାତ୍ର ୨୦୦୯ରେ ଭୟଙ୍କର ଓ ଅସ୍ୱାଭାବିକ ହାରରେ ବଢ଼ିଲା ଦିନ ତାପମାତ୍ରା । ରାଜ୍ୟର ସର୍ବୋଚ୍ଚ ହାରାହାରି ବାର୍ଷିକ ତାପମାତ୍ରା ୩୩.୨ ଡିଗ୍ରୀରେ ପହଞ୍ଚିଥିଲା । ଏହାପରଠାରୁ ପ୍ରାୟତଃ ବାର୍ଷିକ ହାରାହାରି ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ଉପରେ ରହି ଆସୁଥିଲା ।
୨୦୧୬ ଥିଲା ଅନ୍ୟତମ ଉତ୍ତପ୍ତ ବର୍ଷ । ୨୦୨୩ରେ ପୁଣି ଭୟଙ୍କର ଭାବେ ଦିନ ତାପମାତ୍ରା ବଢ଼ିଥିଲା ।
୨୦୨୩ରେ ଅସ୍ୱାଭାବିକ ଭାବେ ବଢ଼ିଲା ତାପମାତ୍ରା । ସର୍ବୋଚ୍ଚ ହାରାହାରି ବାର୍ଷିକ ତାପମାତ୍ରା ୩୩.୨ ଡିଗ୍ରୀ ଛୁଇଁଥିଲା । ୨୦୨୩ର ତାତି ରେକର୍ଡ ଭାଙ୍ଗିଥିଲା ୨୦୨୪ ।
ଗତ ଦେଢ଼ ଦଶନ୍ଧି ହେଲାଣି ଭୟଙ୍କର ହାରରେ ତାତୁଛି ଓଡ଼ିଶା । ବର୍ଷର ହାରାହାରି ଦିନ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ୨୦୨୨, ୨୦୨୩ ଓ ୨୦୨୪ର ତଥ୍ୟ କହୁଛି, ପ୍ରତିବର୍ଷ ଗରମର ପ୍ରକୋପ ପୂର୍ବଠାରୁ ଆହୁରି ଦ୍ରୁତ ଗତିରେ ବଢ଼ୁଛି । ୨୦୨୪ ଏପ୍ରିଲ ମାସରେ କ୍ରମାଗତ ଭାବେ ୧୬ ଦିନ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ଚିନ୍ତାର ବିଷୟ ହେଲା, ଏହି ଧାରାରେ ସବୁଠାରୁ କମ୍ ତାପମାତ୍ରା ଥିଲା ୪୦.୬ ଡିଗ୍ରୀ । ବାକି ୧୫ ଦିନ ପାରଦ ୪୧ ଡିଗ୍ରୀ ଉପରେ ଥିଲା ।
ଗରମ ଏତେ ବଢ଼ିଗଲାଣି ଯେ ୨୦୨୪ରେ ଜାନୁଆରୀରୁ ହିଁ ତାତି ଅନୁଭୂତ ହୋଇଥିଲା । ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଅସ୍ୱାଭାବିକ ଗରମ ଅନୁଭୂତ ହୋଇଥିଲା । ଖାଲି ସେତିକି ନୁହେଁ, ବର୍ତ୍ତମାନ ସ୍ଥିତି ଏମିତି ହେଲାଣି ଯେ ବର୍ଷା ଓ ଶୀତ ଋତୁରେ ବି ଏସି ବ୍ୟବହାର କରିବାକୁ ପଡ଼ୁଛି । ଋତୁ ଚକ୍ର ଭିତରୁ ଶରତ, ହେମନ୍ତ ଓ ବସନ୍ତକୁ ହଜେଇ ଦେଲାଣି ଅସ୍ୱାଭାବିକ ଗ୍ରୀଷ୍ମର ଅବଧି । ଶୀତ ଅବଧି ୮/୧୦ ଦିନକୁ ଖସି ଯାଇଥିବାବେଳେ ବର୍ଷା କେବେ କେଞ୍ଚାଏ ଆଉ କେବେ ମେଞ୍ଚାଏ । ବର୍ଷା ଯେତିକି ହେବା କଥା ହେଉଛି ସତ, ମାତ୍ର ଏହାର ଅବଧି କମିଛି। କମ୍ ସମୟ ଭିତରେ ଅଧିକ ବର୍ଷା ହେଉଛି । ବାକି ସମୟରେ ବର୍ଷା ଋତୁରେ ଖରାର ରାଜୁତି ଚାଲୁଛି ।
ପାଣିପାଗ ବୈଜ୍ଞାନିକ ଶ୍ରୀ ଦାସଙ୍କ କହିବାନୁସାରେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧି ପାଉଛି । ତେଣୁ ଓଡ଼ିଶାରେ ବି ତାପମାତ୍ରା ବଢ଼ୁଛି । ମାତ୍ର ଆମର ପରିବର୍ତ୍ତିତ ପରିବେଶ ଗରମର ଅହେତୁକ ବୃଦ୍ଧି ପାଇଁ ଅନୁକୂଳ ହେଉଛି । ଗତ ଦୁଇ ଦଶନ୍ଧି ଭିତରେ ଭୁବନେଶ୍ୱର ସମେତ ଅଧିକାଂଶ ଅଞ୍ଚଳରେ ଜମିର କିସମ ଦ୍ରୁତ ହାରରେ ବଦଳିଛି । ଚାଷ ଓ ଜଙ୍ଗଲ ଜମି ଉପରେ କୋଠାବାଡ଼ି ଓ କଂକ୍ରିଟ ଭିତ୍ତିଭୂମି ଛିଡ଼ା ହେଲାଣି। ଜଳାଶୟ, ଜଳ ଉତ୍ସ, ଆର୍ଦ୍ରଭୂମିକୁ ପୋତି କଂକ୍ରିଟ ମୁଣ୍ଡ ଟେକିଛି । ନଦୀ, ନାଳ ଶୁଖିବା ସହ କଂକ୍ରିଟକରଣ ଯୋଗୁ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ପାଉଛି ।
ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ଥିବାବେଳେ ଆସନ୍ତା ଦୁଇଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ବୁଧବାର ରାଜ୍ୟର ୧୩ଟି ସ୍ଥାନରେ ଦିନ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା । ବୌଦ୍ଧରେ ସର୍ବାଧିକ ୩୬.୮, ଝାରସୁଗୁଡ଼ା ୩୫.୪, ସମ୍ବଲପୁର ୩୫.୩, ଟିଟିଲାଗଡ଼ ୩୫ ଡିଗ୍ରୀ ଥିଲା ।