ନୂଆଦିଲ୍ଲୀ, ୧୦/୦୭: ଗତ ଦୁଇ ମାସରୁ ମଣିପୁରରେ ଜାରି ରହିଥିବା ହିଂସା ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର କଡ଼ା ଟିପ୍ପଣୀ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ମଣିପୁରରେ ହିଂସା ବଢ଼ାଇବା ପାଇଁ କୋର୍ଟକୁ ଏକ ମଞ୍ଚ ଭାବରେ ବ୍ୟବହାର କରାଯାଇପାରିବନାହିଁ। ସୂଚନାଥାଉକି, ଗତ ମେ ମାସରୁ ମଣିପୁରରେ ମୈତେଇ ସଂପ୍ରଦାୟକୁ ମାନ୍ୟତା ଦାବି ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିଲା ଏହି ହିଂସା। ଯାହା ଏପର୍ଯ୍ୟନ୍ତ ଥମିନାହିଁ।
ତେବେ ସୋମବାର ମାମଲାରେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି ଏସ ନରସିଂହଙ୍କ ପୀଠ କହିଛନ୍ତି ଯେ, ‘‘ହିଂସା ସମାପ୍ତ କରିବା ପାଇଁ ଥିବା ଆଇନ ବ୍ୟବସ୍ଥାକୁ ଆମେ ନିଜ ହାତକୁ ନେଇ ପାରିବୁ ନାହିଁ। ଆମେ ଅଧିକରୁ ଅଧିକ କେବଳ ଅଧିକାରୀଙ୍କୁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବୁ। ଏଥିପାଇଁ ବିଭିନ୍ନ ସମୂହଙ୍କ ଠାରୁ ସାହାଯ୍ୟ ତଥା ସକାରାତ୍ମକ ପରାମର୍ଶର ଆବଶ୍ୟକତା ରହିଛି।’’ ସରକାରଙ୍କ ମୁଖ୍ୟ ସଚିବଙ୍କ ତରଫରୁ ଦାଖଲ ରିପୋର୍ଟରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ବେଞ୍ଚ ଏକଥା କହିଛନ୍ତି।
ଆହୁରି ପଢ଼ନ୍ତୁ: ମଣିପୁର ହିଂସାରେ ହେଲାନି ଆଲୋଚନା, ସଂସଦୀୟ କମିଟିର ବୈଠକ ବହିଷ୍କାର କଲେ ବିରୋଧୀ ସାଂସଦ
ଉଲ୍ଲେଖଯୋଗ୍ୟ, ମଣିପୁରରେ ମେ ୩ରେ ମୈତେଇ ସମୁଦାୟକୁ ଆଦିବାସୀ ମାନ୍ୟତା ଦିଆଯିବା ପରାମର୍ଶକୁ ନେଇ ହିଂସା ସୃଷ୍ଟି ହୋଇଥିଲା। ଏହି ପରାମର୍ଶ ବିଷୟରେ ହାଇକୋର୍ଟ ନିଜର ଏକ ନିଷ୍ପତ୍ତିରେ କହିଥିଲେ। ତେବେ ଏହା ଉପରେ କୁକି ସମୁଦାୟ ଆପତ୍ତି ଦର୍ଶାଇଥିଲା। ଆଉ ଏହାପରେ, ଅଦାଲତଙ୍କ ନିଷ୍ପତ୍ତି ବିରୋଧରେ କୁକି ସମାଜ ରାଲି କରିଥିଲେ। କିନ୍ତୁ ରାଲି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ଫଳରେ ବିବାଦ ବଢ଼ିଥିଲା।
ଏହାପରେ ଏହି ସଂପୂର୍ଣ୍ଣ ବିବାଦ ହିଂସାରେ ପରିଣତ ହୋଇଥିଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଆରମ୍ଭ ହୋଇଯାଇଥିଲା। ଏପର୍ଯ୍ୟନ୍ତ ହିଂସାରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ହଜାର ହଜାର ଆହତ ହୋଇଛନ୍ତି। ମଣିପୁର ଜନସଂଖ୍ୟାରେ ମୈତେଇ ସମୁଦାୟର ଲୋକଙ୍କ ସଂଖ୍ୟା ପ୍ରାୟ ୫୩ ପ୍ରତିଶତ ଥିବାବେଳେ ଜନଜାତି ନଗା ଏବଂ କୁକି ଜନସଂଖ୍ୟାର ୪୦ ପ୍ରତିଶତ ରହିଛି।
ଆହୁରି ପଢ଼ନ୍ତୁ: ହିଂସାଗ୍ରସ୍ତ ମଣିପୁରରେ ଖୋଲିଲା ସ୍କୁଲ, ଜୁଲାଇ ୧୦ ପର୍ଯ୍ୟନ୍ତ ବଢିଲା ଇଣ୍ଟରନେଟ୍ କଟକଣା