ମୁମ୍ୱାଇ ୦୯/୦୪: ଭାରତ ଆସୁଛି ମାଷ୍ଟର ମାଇଣ୍ଡ ତହବୁର ରାଣା । ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣୁଛି NIA ଟିମ୍ । ଆମେରିକାରୁ ସ୍ୱତନ୍ତ୍ର ବିମାନେ ଯୋଗେ ତାକୁ ଭାରତ ଅଣାଯାଉଛି । କଡା ସୁରକ୍ଷା ବଳୟରେ ରାଣାକୁ ଭାରତ ଅଣାଯାଉଛି । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରୁଛନ୍ତି ଅଜିତ୍ ଡୋଭାଲ । ତହବୁର ଭାରତ ଆସିଲେ ମୁମ୍ବାଇ କିମ୍ବା ଦିଲ୍ଲୀର ଜେଲରେ ରହିପାରେ । ଏନେଇ ସବୁ ପ୍ରସ୍ତୁତି ସରିଥିବା ଜଣାପଡିଛି ।
ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ସେ କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ। ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଥିଲେ ଆମେରିକାର ସର୍ବୋଚ୍ଚ ଅଦାଲତ । ଏହା ପୂର୍ବରୁ ଫେବୃଆରୀରେ ତହବୁର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା ।
ତେବେ ସେ ଏହି ଆବେଦନ ଗ୍ରହଣ ନକରିବାରୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜରୁରୀ ଆବେଦନ କରିଥିଲା ତହବୁର। କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ତହୱର ରାଣାକୁ ଆମେରିକାର ଲସ ଏଞ୍ଜେଲସ୍ ଡିଟେନସନ ସେଣ୍ଟରରେ ରଖାଯାଇଛି। ୬୪ ବର୍ଷୀୟ ରାଣା ୨୦୧୧ରେ ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ବର୍ଷ ସଜ୍ଜା କାଟୁଛି ।
ତେବେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟଣାରେ ତହବୁରର ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି । ଭାରତରେ ତାର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଛି ଆମେରିକା ।