ନୂଆଦିଲ୍ଲୀ: ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନର ରାଜଧାନୀ କାବୁଲ। ତାଲିବାନ ସରକାରକୁ ଟାର୍ଗେଟ କରି କରାଯାଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ ଶରଣାର୍ଥୀ ଏବଂ ବିଦେଶ ମନ୍ତ୍ରୀ ଖଲୀଲ ରହମାନ ହକ୍କାନୀଙ୍କ ମୃତ୍ୟୁ ହୋଇଛି। କେବଳ ହକ୍କାନୀ ହିଁ ନୁହେଁ ତାଙ୍କ ବ୍ୟତୀତ ତାଙ୍କର ତିନି ଅଙ୍ଗରକ୍ଷକଙ୍କ ସମେତ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଏହି ଆକ୍ରମଣ ଶରଣାର୍ଥୀ ମନ୍ତ୍ରଣାଳୟ ନିକଟରେ ହୋଇଛି। ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଖୋସ୍ତରୁ ଆସିଥିବା ଏକ ଗ୍ରୁପ ସହ ହକ୍କାନୀ ଆଲୋଚନା କରୁଥିଲେ। ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଅବଶ୍ୟ ଆତ୍ମଘାତୀ ଆକ୍ରମଣକାରୀ ମନ୍ତ୍ରଣାଳୟ ଭିତରକୁ କିଭଳି ଆସିଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଶରଣାର୍ଥୀ ମନ୍ତ୍ରଣାଳୟରେ ହୋଇଥିବା ଏହି ବିସ୍ଫୋରଣରେ ଇସଲାମିକ ଷ୍ଟେଟର ହାତ ଥିବା ନେଇ ଆଶଙ୍କା କରାଯାଉଛି।
ପ୍ରକୃତରେ ୨୦୨୧ରେ ଆଫଗାନିସ୍ତାନର ଶାସନ ତାଲିବାନ ହାତକୁ ଗଲା ପରେ ଆମେରିକା ସେନା ତାଲିବାନ ଯୁଦ୍ଧକୁ ସମାପ୍ତ କରିଛି। କିନ୍ତୁ ଇସଲାମିକ ଷ୍ଟେଟ ଏବଂ ଖୁରାସନା ଏବେବି ଆଫଗାନିସ୍ତାନରେ ସକ୍ରିୟ ରହିଛି, ଆଉ ବିଭିନ୍ନ ସମୟରେ ସେଠିକାର ନାଗରିକ ଏବଂ ତାଲିବାନ ଅଧିକାରୀଙ୍କୁ ଟାର୍ଗେଟ କରୁଛି।
ଖଲୀଲ ରହମାନ ହକ୍କାନୀ ?
ଖଲୀଲ ରହମାନ ହକ୍କାନୀ ତାଲିବାନ ସରକାରରେ ଶରଣାର୍ଥୀ ଏବଂ ବିଦେଶ ମନ୍ତ୍ରୀ ଥିଲେ। ତାଙ୍କୁ ୨୦୨୧ରେ ତାଲିବାନରେ ଶାସନକୁ ଫେରିବା ପରେ କାର୍ଯ୍ୟବାହୀ ଭାବରେ ଦାୟିତ୍ବ ଦିଆଯାଇଥିଲା। ସେ ତାଲିବାନର ଅନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦୀନ ହକ୍କାନୀଙ୍କ ଦାଦା। ଆଫଗାନିସ୍ତାନର ପକ୍ତିୟାରେ ତାଙ୍କ ଜନ୍ମ। ହକ୍କାନୀପସ୍ତୁନୋର ଜଦରାନ ଜନଜାତି ସହ ଜଡ଼ିତ। ଆଫଗାନ ଯୁଦ୍ଧ ସମୟରେ ହକ୍କାନୀଙ୍କ ଉପରେ ଅନ୍ତର୍ଜାତୀୟ ପାଣ୍ଠି ସଂଗ୍ରହ ଦାୟିତ୍ବ ରହିଥିଲେ।
ସେ ହକ୍କାନୀ ନେଟଓ୍ବର୍କର ପ୍ରମୁଖ ନେତା ମଧ୍ୟ ଥିଲେ। ଅବଶ୍ୟ ସେ ଗତ କିଛି ବର୍ଷରୁ ତାଲିବାନ ସହ କାମ କରୁଥିଲେ। ଏହା ପୂର୍ବରୁ ସେ ଅଲକାଏଦା ସହ ମଧ୍ୟ ଜଡ଼ିତ ଥିଲେ। ୨୦୦୨ରେ ହକ୍କାନୀଙ୍କୁ ପକ୍ତିୟାରେ ଅଲକାଏଦାକୁ ମଜଭୁତ କରିବା ଦାୟିତ୍ବ ମିଳିଥିଲା।