ନୂଆଦିଲ୍ଲୀ: ତାମିଲନାଡ଼ୁରେ ହିନ୍ଦୀ ବନାମ ତାମିଲ କରିଥିବା ସିଏମ୍ ଷ୍ଟାଲିନ ଲଗାତାର ଆକ୍ରାମକ ଅଭିମୁଖ୍ୟ ଦେଖାଉଛନ୍ତି । ଏବେ ପୁଣି ଥରେ ସେ ନିଜ କଥାକୁ ଦୋହରାଇ କହିଛନ୍ତି ଯେ ଆମେ ତାମିଲନାଡ଼ୁରେ ହିନ୍ଦୀ ଲଦିବାକୁ ବିରୋଧ କରିବୁ । ସେ ଏହା ବି କହିଛନ୍ତି ଯେ ହିନ୍ଦୀ ଯୋଗୁ ଉତ୍ତର ପ୍ରଦେଶର ୨୫ରୁ ଅଧିକ ଭାଷା ଶେଷ ହୋଇଯାଇଛି । ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରି ଏକ ଚିଠିରେ ସେ ଲେଖିଛନ୍ତି, 'ଆମେ ହିନ୍ଦୀକୁ ଜୋର କରି ଲଦିବାକୁ ବିରୋଧ କରିବୁ । ହିନ୍ଦୀ ଚ୍ଛଦ୍ମ ଚେହେରା, ସଂସ୍କୃତ ଏହା ପଛରେ ଥିବା ଚେହେରା ।' ଡିଏମକେ ଅଭିଯୋଗ କରିଛି ଯେ କେନ୍ଦ୍ରର ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି)ରେ ତିନି ଭାଷା- ଫର୍ମୁଲା ମାଧ୍ୟମରେ ହିନ୍ଦୀ ଲଦିବା ପାଇଁ ଉଦ୍ୟମ କରାଯାଉଛି । ତେବେ, କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଚିଠିରେ ସିଏମ୍ ଷ୍ଟାଲିନ ଦାବି କରିଛନ୍ତି ଯେ ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶରେ ବ୍ୟବହାର କରାଯାଉଥିବା ମୈଥିଲୀ, ବ୍ରଜଭାଷା, ବୁନ୍ଦେଲଖଣ୍ଡୀ ଏବଂ ଅବଧୀ ପରି ଅନେକ ଉତ୍ତର-ଭାରତୀୟ ଭାଷାକୁ ଅଧିପତ୍ୟବାଦୀ ହିନ୍ଦୀ ନଷ୍ଟ କରିଦେଇଛି । ଡିଏମ୍କେ ପ୍ରମୁଖ କହିଛନ୍ତି, ଅଧିପତ୍ୟବାଦୀ ହିନ୍ଦୀ-ସଂସ୍କୃତ ଭାଷାଙ୍କ ହସ୍ତକ୍ଷେପ ଯୋଗୁ ୨୫ରୁ ଅଧିକ ଉତ୍ତର ଭାରତୀୟ ମୂଳ ଭାଷା ବିଲୁପ୍ତ ହୋଇଛି । ସଚେତନତା ଯୋଗୁ ଶତାବ୍ଦୀ ପୁରୁଣା ଦ୍ରାବିଡ଼ ଆନ୍ଦୋଳନ ଏବଂ ବିଭିନ୍ନ ଆନ୍ଦୋଳନ ତାମିଲ ଓ ଏହାର ସଂସ୍କୃତିର ରକ୍ଷା କରିଛି । ସେ କହିଛନ୍ତି ଯେ ତାମିଲନାଡ଼ୁ ଏନ୍ଇପିକୁ ଏଥିପାଇଁ ବିରୋଧ କରୁଛି କାରଣ କେନ୍ଦ୍ରୀୟ ଶିକ୍ଷା ନୀତି ମାଧ୍ୟମରେ ହିନ୍ଦୀ ଓ ସଂସ୍କୃତକୁ ଲଦିବା ପାଇଁ ଉଦ୍ୟମ କରାଯାଉଛି ।
ଏନ୍ଇପି ଅନୁସାରେ ତୃତୀୟ ଭାଷା ବିଦେଶୀ ବି ହୋଇପାରିବ । ବିଜେପିର ଏହି ଦାବିର ଜବାବ ଦେଇ ଷ୍ଟାଲିନ୍ କହିଛନ୍ତି ଯେ ତ୍ରିଭାଷା ନୀତି କାର୍ଯ୍ୟକ୍ରମ ଅନୁସାରେ, ଅନେକ ରାଜ୍ୟରେ କେବଳ ସଂସ୍କୃତକୁ ପ୍ରୋତ୍ସାହନ ଦିଆଯାଉଛି । ବିଜେପି ଶାସିତ ରାଜସ୍ଥାନରେ ଉର୍ଦୁ ଶିକ୍ଷକଙ୍କ ପରିବର୍ତ୍ତେ କେବଳ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି । ସେ କହିଛନ୍ତି ଯେ ଯଦି ତାମିଲନାଡ଼ୁ ତ୍ରିଭାଷା ନୀତିକୁ ସ୍ୱୀକାର କରେ, ତେବେ ମାତୃଭାଷାକୁ ଅଣଦେଖା କରାଯିବ ଏବଂ ଭବିଷ୍ୟତରେ ସଂସ୍କୃତିକରଣ ହେବ । ସିଏମ୍ ଷ୍ଟାଲିନ୍ ଦାବି କରିଛନ୍ତି ଯେ ଏନ୍ଇପି ପ୍ରବଧାନରେ କୁହାଯାଇଛି ଯେ ସଂସ୍କୃତ ବ୍ୟତୀତ ଅନ୍ୟ ଭାରତୀୟ ଭାଷାରେ ସ୍କୁଲରେ ପଢାଯିବ ଏବଂ ତାମିଲ ପରି ଅନ୍ୟ ଭାଷାକୁ ଅନଲାଇନ୍ ପଢା ଯାଇପାରିବ ।