ଦାଦନ ସମସ୍ୟା ଦୂର ପାଇଁ ଗଠନ ହେଲା ଟାକ୍ସଫୋର୍ସ

Published By : Prameya-News7 Bureau | October 14, 2024 IST

ଭୁବନେଶ୍ଵର: ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏଥିପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ସରକାର । ଉପ-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ସ୍ଵତନ୍ତ୍ର ଟାସ୍କଫୋର୍ସ । ଟାସ୍କଫୋର୍ସରେ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭାଗୀୟ ସଚିବମାନେ ସଦସ୍ୟ ଭାବରେ ରହିଛନ୍ତି । ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ପାଇଁ ସବିଶେଷ ଆଲୋଚନା କରିବା ସହ ସେସବୁ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ । 

ଟାସ୍କଫୋର୍ସ ବିଭିନ୍ନ ସରକାରୀ ସଂସ୍ଥାମାନଙ୍କ ଦ୍ଵାରା ନିଆଯିବାକୁ ଥିବା ପଦକ୍ଷେପଗୁଡିକ ସୁପାରିଶ କରିବ ।  ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସଟି ଲୋକସେବା ଭବନଠାରେ ପଞ୍ଚୟତିରାଜ ଏବଂ ପାନୀୟ ଜଳ ବିଭାଗରେ କାର୍ଯ୍ୟକରିବ । ପ୍ରତି ଛଅ ମାସରେ ଅନ୍ୟୁନ ଥରେ ଟାସ୍କଫୋର୍ସର ବୈଠକ ବସିବ । ଦାଦନ ଦୂରୀକରଣ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବିଶେଷଜ୍ଞ, ଶିକ୍ଷାବିତ, ଉନ୍ନୟନ ବିଶେଷଜ୍ଞ, ମିଳିତ ଜାତିସଂଘ ଅନୁବନ୍ଧିତ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକକୁ ନିମନ୍ତ୍ରିତ କରାଯିବାର ବ୍ୟବସ୍ଥା ରହିଛି।

କେମିତି କାର୍ଯ୍ୟକରିବ ଏହି ଟାସ୍କ ଫୋର୍ସ । ଏହି ସ୍ଵତନ୍ତ୍ର ଟାସ୍କଫୋର୍ସ ଅଞ୍ଚଳ ଅନୁଯାୟୀ ବିସ୍ଥାପନର ପ୍ରକାରଭେଦ ନିରୀକ୍ଷଣ କରିବା ସହ ଆବଶ୍ୟକୀୟ ନିର୍ଦ୍ଦିଷ୍ଟ ପଦକ୍ଷେପ ପାଇଁ ସୁପାରିଶ କରିବ ।  ବିସ୍ଥାପନଜନିତ ଆଞ୍ଚଳିକ ବୈଷମ୍ୟତା, ସମାୟିକତା ତଥା ଏହାର ବିସ୍ତୃତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା 

ଦକ୍ଷତା ବିକାଶ, ରଣ ଉପଲବ୍ଧତା, ଦାରିଦ୍ର୍ୟ ନିରାକରଣ ଯୋଜନାରେ ପରିବାରମାନଙ୍କୁ ସାମିଲ କରାଯିବ । ଭିତ୍ତିଭୂମି ଯୋଗାଇ ଦେବା, ରୋଜଗାର ସୁଯୋଗ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସରକାରୀ ବିଭାଗ ଦ୍ଵାରା ନିଆଯିବାକୁ ଥିବା ନିର୍ଦ୍ଧିଷ୍ଟ ପଦକ୍ଷେପ ସଂପର୍କରେ ସୁପାରିଶ କରିବ । ଦାଦନ ସମସ୍ୟାର ସାମଗ୍ରିକ ଏବଂ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ, ଜିଲ୍ଲା, ପଞ୍ଚାୟତ ସମିତି ସ୍ତରରେ ଆବଶ୍ୟକୀୟ ଆନୁଷ୍ଠାନିକ ଢାଞ୍ଚା ଉପଲବ୍ଧ କରାଇବା ନିମନ୍ତେ ପରାମର୍ଶ ଦେବ ।  

ରାଜ୍ୟରେ ଦାଦନ ସମସ୍ୟା ବଢି ଚାଲିବା ପରେ ଏଥିପାଇଁ ରାଜ୍ୟ ସରକାର ଅନେକ ସମାଲୋଚିତ ହୋଇଛନ୍ତି । ବିଭିନ୍ନ ସମୟରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲେ ବି ଆଖି ଦୃଶିଆ ସୁଧାର ଆସିନାହିଁ । ତେବେ ନୂଆ ସରକାର ଆସିବା ପରେ ଏଥିପାଇଁ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ଦ୍ବାରା ସମସ୍ୟା ସମାଧାନ ହେବ ବୋଲି ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.