ଭୁବନେଶ୍ବର ୨୯।୩: ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ସାରା ଓଡ଼ିଶା । ତାତିରୁ ନାହିଁ ନିସ୍ତାର । ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଟପିଲା ତାପମାତ୍ରା । ସେହିଭଳି ସମ୍ବଲପୁରରେ ୩୮.୮ ଡ଼ିଗ୍ରୀ, ଝାରସୁଗୁଡାରେ ୩୮ ଡ଼ିଗ୍ରୀ ଏବଂ ହୀରାକୁଦରେ ୩୭.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।
ସେପଟେ ଆସନ୍ତା ଦୁଇ ଦିନ ତାତିରୁ ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହରେ କଲବଲ ହେବ ଓଡ଼ିଶା । ୧ ତାରିଖ ବେଳକୁ ହାଲୁକା ଖସିପାରେ ପାରଦ । ସମ୍ଭବତଃ କାଳବୈଶାଖୀ କିଛି ଆଶ୍ୱସ୍ତି ଦେଇପାରେ । ବିଭିନ୍ନ ମଡେଲ୍ର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଚୀନ୍ ସାଗରରେ ଥିବା ଲଘୁଚାପର ଅଂଶ ବଙ୍ଗୋପସାଗରକୁ ଆସନ୍ତା ସପ୍ତାହରେ ପ୍ରବେଶ କରିବ । ଏହା ପ୍ରଭାବରେ ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର କିଛି ପରିମାଣରେ ସମ୍ଭାବନା ରହିଛି । ଏପରିକି ଆଉ ଏକ ମଡେଲ୍ ଗ୍ରୀଷ୍ମକାଳୀନ ବାତ୍ୟା ସମ୍ଭାବନା ନେଇ ମଧ୍ୟ ଆକଳନ କରିଛନ୍ତି । ମାତ୍ର ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ପାଣିପାଗ ବୈଜ୍ଞାନିକଙ୍କ ମତରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯେତେ ଶକ୍ତିଶାଳୀ ହେବ, ତାହା ସେତେ ଅଧିକ ଜଳୀୟବାଷ୍ପ ଟାଣି ନେବ । ଫଳରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିପାରେ ।
ପାଣିପାଗ ପୂର୍ବାନୁମାନ ଅନୁସାରେ ଶନିବାର ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଝାରସୁଗୁଡ଼ା ସମେତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ ସୋନପୁରରେ ପାରଦ ୪୩ ଡିଗ୍ରୀ ରହିପାରେ । ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ତାତି ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ରହିଛି ।
You Can Read:
ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ : ଆଇନ ମନ୍ତ୍ରୀ