LIVE TV

ବାତ୍ୟା ‘ମୋନ୍ଥା’ର ମୁକାବିଲା ପାଇଁ କେମିତି ଚାଲିଛି ପ୍ରସ୍ତୁତି ? ମନ୍ତ୍ରୀ ଦେଲେ ସବିଶେଷ ତଥ୍ୟ, ରେଡ୍ ଜୋନରେ ରହିଛି ରାଜ୍ୟର ୮ ଜିଲ୍ଲା

NEWS7
temprature-hike-on-morning-all-over-odisha

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ମୁକାବିଲା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ସଜାଗ । ଘନ ଘନ ବୈଠକ ସହ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ସମୁଦ୍ର କୂଳିଆ ଅଞ୍ଚଳରେ ଲୋକଙ୍କୁସମୁଦ୍ର ମଧ୍ୟକୁ ନଯିବାକୁ ଡାକବାଜି ଯନ୍ତ୍ର ସାହାଯୟରେ ସୂଚନା ଦିଆଯାଉଛି । କେଉଁଠି ମତ୍ସ୍ୟଜୀବୀ ନିଜ ଡଙ୍ଗା ଓଜାଲ ସଜାଡ଼ି ବନ୍ଧାବନ୍ଦା କରି ରଖୁଛନ୍ତି ତ’ ଆଉ କେଉଁଠି ଚାଷୀ ତାର ଫସଲକୁ ସୁରକ୍ଷିତ ରଖିବାରେ ଲାଗି ପଡ଼ିଛି।

ଏହିକ୍ରମରେ ରବିବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ର ମୁକାବିଲା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ବାତ୍ୟାର ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ଏବଂ ଆଗକୁ କିଭଳି ପ୍ରସ୍ତୁତି ହୋଇଛି ସେବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ମନ୍ତ୍ରୀ।  

ମନ୍ତ୍ରୀ କହିଛନ୍ତି, ‘‘ରାଜ୍ୟର ୮ ଟି ଜିଲ୍ଲା ରେଡ୍‌ ଜୋନରେ ରହିଛି। ଏହି ଜିଲ୍ଲାରେ ବାତ୍ୟାର ପ୍ରତିଫଳନ ରହିବ। ଏହା ସହ କୋରାପୁଟ, ନବରଙ୍ଗପୁର,ରାୟଗଡ଼ା, ଗଜପତି, ଗଞ୍ଜାମ,କନ୍ଧମାଳ,କଳାହାଣ୍ଡି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ପାଇଁ ଭୂସ୍ଖଳନ, ଅକସ୍ମିକ ବନ୍ୟା ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲାରେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ସରକାର ସମସ୍ତ ପ୍ରସ୍ତୁତ କରିଛନ୍ତି। ଗତକାଲି ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଥିଲୁ। ରବିବାର ମଧ୍ୟ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଙ୍କ ସହ କଥା ହୋଇଛୁ।’’

ସେ ଆହୁରି କହିଲେ, ଗଜପତି ଜିଲ୍ଲାରେ ଅଧିକ ଭୂସ୍ଖଳନ ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାର ସବୁଠାରେ ଓଡ଼ିଆରଏଫ୍ ଟିମ୍ ଟିମ୍ ପ୍ରସ୍ତୁତ ରହିଛନ୍ତି। ମାଲକାନଗିରିରେ ୩ ଓଡ୍ରାଫ ଓ ୧ ଏନଡିଆରଏଫ୍ ଟିମ୍ ସଜାଗ ରହିଛନ୍ତି। ୮ ଅଗ୍ନିଶମ ବାହିନୀ ଯନ୍ତ୍ରପାତି ସହ ସମସ୍ତ ଜିଲ୍ଲାରେ ପ୍ରସ୍ତୁତ ରହିଛନ୍ତି। ୮ ଜିଲ୍ଲାରେ ୧୨୮ ଟିମ୍ ନିୟୋଜିତ ହେଲେଣି। ସାମଗ୍ରୀ କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।’’

‘‘ଜିଲ୍ଲା,ବ୍ଲକ, ପଞ୍ଚୟତ ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଇଛି। ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅସୁସ୍ଥ, ଗର୍ଭବତୀ ମହିଳା ଓ ବୟସ୍କଙ୍କ ଏକ ତାଲିକା ଜିଲ୍ଲା ସ୍ତରରେ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ସୋମବାର ସଂଧ୍ୟା ୫ଟା ସୁଦ୍ଧା ଆସନ୍ନ ପ୍ରସବାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବ- ଆହୁରି ୨୪ ଘଣ୍ଟା ସମୟ ରହିଛି। ଚାଷ କ୍ଷେତ୍ରକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଅପିଲ କରାଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ।

ଏସବୁ ଦିଗ ଉପରେ ମଧ୍ୟ ନିଆଯାଇଛି ପଦକ୍ଷେପ

- ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପାହାଡ଼ିଆ ଅଞ୍ଚଳକୁ ଚିହ୍ନଟ କରି ପ୍ରତିଷେଧକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ପଥର ଖସିବାର ସମ୍ଭାବନା ଅଛି ସେଠାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ନବହାରିବା ପାଇଁ ସଚେତନ କରାଯାଇଛି।

- ରାଜ୍ୟର ସମସ୍ତ ଡାକ୍ତରଖାନା, ରିଲିଫ ସେଣ୍ଟର୍ ସବୁକୁ ଅତିରିକ୍ତ ଶକ୍ତି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଗଛ ପଡ଼ିବା ଭଳି ସମସ୍ୟା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ମେସିନ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ସମସ୍ତେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।

- ସମୁଦ୍ର ମଧ୍ୟକୁ ମତ୍ସଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସମସ୍ତେ ଏବେ ସ୍ଥଳଭାଗକୁ ଆସିଯାଇଛନ୍ତି । କେହି ରହି ଯାଇନାହାନ୍ତି ତ’ ସେଥିପାଇଁ ତଦାରଖ କରିବେ ପୋଲିସ ଅଧିକାରୀ । ସମୁଦ୍ର ନିକଟ ହୋଟେଲରେ ବାତ୍ୟା ସମୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

- ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରେ ରଖି ଯେଉଁ ଜୋନରେ ବି ହେଉ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଜିଲ୍ଲାରେ ବାତ୍ୟା ପହଁଞ୍ଚିବ ସେଠାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ମୁକାବିଲା କାର୍ଯ୍ୟ କରାଯିବ। ପଡ଼ୋଶୀ ଜିଲ୍ଲା ମଧ୍ୟ ପ୍ରଭାବିତ ଜିଲ୍ଲା ପାଇଁ କାର୍ଯ୍ୟ କରିବେ । ଏନେଇ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ଜାଗା ସ୍ଥାନାନ୍ତର ପାଇଁ ମହଜୁଦ ରହିଛି । ବାତ୍ୟା ଆଶ୍ରୟ ସ୍ତଳି ସବୁ କୁ ତଦାରଖ କରାଯାଇଛି । ସେଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଘର କିମ୍ବା କମ୍ୟୁନିଟି ହଲ୍‌କୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

- ବର୍ତ୍ତମାନ ସୁଦ୍ଧା ୨୦ ଜିଲ୍ଲାର ସମସ୍ତ ଛୁଟି ବାତିଲ କରାଯାଇଛି । ସମସ୍ତ ପ୍ରକାରର ପ୍ରାଣୀ ଉଭୟ ଗୃହପାଳିତ ଓ ଅନ୍ୟାନ୍ୟ ପଶୁମାନଙ୍କୁ ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ପଶୁଙ୍କୁ ମଧ୍ୟ ରଖିବାର ବ୍ୟବସ୍ଥା କରାଯିବ ।

- ବନ୍ୟା ସ୍ଥିତିକୁ ନେଇ ସମସ୍ତ ଜଳଭଣ୍ଡାରରେ ୮୮ ପ୍ରତିଶତ ଜଳ ସଂରକ୍ଷଣରୁ ଏବେ ଜଳ ଛଡ଼ାଯାଉଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ଜଳ ଛାଡ଼ିବାକୁ ଆରମ୍ଭ କରିଛି ଜଳସମ୍ପଦ ବିଭାଗ । ଉପରମୁଣ୍ଡରେ ବର୍ଷା ହେଲା ବେଳେ କିପରି ବନ୍ୟା ସ୍ଥିତିକୁ ହଟାଇବା ପାଇଁ ଜଳସମ୍ପଦ ବିଭାଗ ସହ ଯୋଗାଯୋଗରେ ରହିଛନ୍ତି ସରକାର ।

- ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ପାଇଁ ସମସ୍ତ ପୌରାଞ୍ଚଳ ପାଇଁ ୩ ସିଫ୍ଟରେ କାର୍ଯ୍ୟ କରିବେ ଅଧିକାରୀ । ସମସ୍ତ ମେସିନ ଯାଞ୍ଚ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୃତ୍ରିମ ବନ୍ୟାକୁ ରୋକିବା ପାଇଁ ନିଜର ମାନବ ସମ୍ବଳ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।