ଶନିବାର ଉପାସରେ ମହାପ୍ରଭୁ, ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ ଯୋଗୁଁ ଏଭଳି ସ୍ଥିତି

Published By : Prameya-News7 Bureau | August 18, 2024 IST

ଭୁବନେଶ୍ୱର ୧୮।୦୮ : ସତ ହେଲା ଆକଳନ । ପଇତା ଲାଗି ନୀତିକୁ ନେଇ ପୂଜାପଣ୍ଡା ନିଯୋଗ ଏବଂ ବଡୁ ନିଯୋଗ ବିବାଦ ଯୋଗୁଁ ଶନିବାର ସନ୍ଧ୍ୟା ଧୂପ ପରଠୁ ବନ୍ଦ ହୋଇଗଲା ମହାପ୍ରଭୁ  ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଏହିପରି ସମାନ ଅଚଳାବସ୍ଥା ବିଗତ ୫ ବର୍ଷ ହେଲା ଲାଗି ରହିଛି। ପ୍ରତିବର୍ଷ ଶିବ ପବିତ୍ରାରୋପଣର ଦିନକ ପୂର୍ବରୁ ନୀତି  ବନ୍ଦ ହୋଇଯାଉଛି ହେଲେ ଏଥର କିନ୍ତୁ ଏଥିରେ ରୋକ ଲଗାଇବାକୁ ମନ୍ଦିର ପ୍ରଶାସନ ତରଫରୁ ଚେଷ୍ଟା କରାଯାଇଥିଲା । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସହକାରୀ  ଦେବୋତ୍ତର କମିସନରଙ୍କ ଠାରେ ପବିତ୍ରାରୋପଣ ପାଳନ କରିବା ନିମନ୍ତେ ଏକ ଅନ୍ତରୀଣ ଆଦେଶ ପାଇଁ ଆବେଦନ କରାଯାଇଥିଲା । ସେ ଅନୁମତି ଦେଇଥିଲେ ନୀତି ପାଳନ  ହେବାର ଆଶା ଥିଲା । 

ହେଲେ ଶନିବାର ହଠାତ୍‌ ସହକାରୀ  ଦେବୋତ୍ତର କମିସନର ଏକ ଚିଠି ଯୋଗେ ଅନ୍ତରୀଣ  ଆଦେଶ ନ ଦେବା ଲାଗି ସ୍ପଷ୍ଟ କରିଛନ୍ତି । ସେ ଉକ୍ତ  ଚିଠିକୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ  ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କୁ ଲେଖିଛନ୍ତି ଯେ,  ପ୍ରସଙ୍ଗଟି ଅଦାଲତରେ ବିଚାରାଧୀନ ଥିବା ଅବସ୍ଥାରେ  ଅନ୍ତରୀଣ ଆଦେଶ ଅପ୍ରାସଙ୍ଗିକ । ଅନ୍ୟପଟେ ଆଜି  ଟ୍ରଷ୍ଟ ବୋର୍ଡ ବୈଠକରେ ମଧ୍ୟ ବିବାଦର ଦୁଇ ପକ୍ଷ  ପୂଜାପଣ୍ଡା ଓ ବଡୁ ନିଯୋଗ ପ୍ରତିନିଧିଙ୍କୁ ଅତିରିକ୍ତ  ଜିଲ୍ଲାପାଳ ମୌଖିକ ଭାବେ ନୀତି କରାଯିବ କି ନାହିଁ  ବୋଲି ପଚାରିଥିଲେ । ଉଭୟ ପକ୍ଷ ମାମଲା ବିଚାରାଧୀନ  ଥିବା କଥା କହି ଏଡାଇ ଯାଇଥିଲେ ।   

ସୂଚନାଯୋଗ୍ୟଯେ, ୨୦୧୯ ମସିହା ଶିବ ପବିତ୍ରାରୋପଣ ପର୍ବରେ ଶ୍ରୀଜିଉଙ୍କ ଠାରେ କେଉଁ  ନିଯୋଗ କେତୋଟି ପଇତା ଲାଗି କରିବ ତା’ର  ହିସାବ ବଡୁ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ  ତୁଟି ନଥିଲା । ଫଳରେ ସେବେ ଠାରୁ ଏହି ନୀତି  ବନ୍ଦ ପଡିଛି । ତେଣୁ ଶନିବାର କିଛି ଘଣ୍ଟା ଏବଂ  ରବିବାର ଦିନ ତମାମ ଠାକୁରଙ୍କ ନୀତି ବନ୍ଦ ରହିବ ।  ସୋମବାର ସକାଳେ ମହାସ୍ନାନ ପରେ ଶ୍ରୀଜିଉଙ୍କ ନୀତି  ସ୍ୱାଭାବିକ ହେବ ବୋଲି ମୌସମ ବଡୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.