ନୂଆଦିଲ୍ଲୀ: ଗୃହମନ୍ତ୍ରାଳୟ ବିଏସଏଫ ମହାନିର୍ଦ୍ଦେଶକ ଜେନେରାଲ ନିତିନ ଅଗ୍ରୱାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରି ତାଙ୍କୁ ପଦରୁ ହଟାଇ ଦେଇଥିବା ବେଳେ ଏହାର ଦିନକ ପରେ କେନ୍ଦ୍ର ଏହି ପଦବୀରେ ପ୍ରଭାରୀ ନିଯୁକ୍ତ କରିଦେଇଛି। ଜଣାପଡିଛି ଯେ ବିଏସଏଫ ମହାନିର୍ଦ୍ଦେଶକ ନିତିନ ଅଗ୍ରୱାଲଙ୍କୁ ତାଙ୍କ ରାଜ୍ୟ କ୍ୟାଡରକୁ ପଠାଇବାର ଦିନକ ପରେ ଏସଏସବି ମହାନିର୍ଦ୍ଦେଶକ ଦଲଜିତ ସିଂହ ଚୌଧୁରୀଙ୍କୁ ମହାନିର୍ଦ୍ଦେଶକ ବିଏସଏଫ ଭାବେ ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି।
କେନ୍ଦ୍ର ଏହି ବିଏସଏଫ ମହାନିର୍ଦ୍ଦେଶକ ପଦରେ ନିୟମିତ ପଦାଧିକାରୀଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଅଥବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚୌଧୁରୀ ଏହି ଦାୟିତ୍ୱରେ ରହିବେ। ଉଲ୍ଲେଖଯୋଗ୍ୟ ଯେ ଗୃହମନ୍ତ୍ରାଳୟ ଶୁକ୍ରବାର ରାତିରେ ବିଏସଏଫ ଡିଜି ନିତିନ ଅଗ୍ରୱାଲ ଓ ସ୍ପେଶାଲ ଡିଜି ୱାଇ.ବି. ଖୁରାନିଆଙ୍କୁ ପଦରୁ ହଟାଇ ଦେଇଥିଲେ ଓ ସେମାନଙ୍କୁ ସେମାନଙ୍କ ରାଜ୍ୟ କ୍ୟାଡରକୁ ପଠାଇ ଦେଇଥିଲେ। ଗୃହମନ୍ତ୍ରାଳୟଙ୍କ ଏହି ପଦକ୍ଷେପକୁ ‘ପ୍ରିମାଚ୍ୟୋର ରିପାଟ୍ରିଏସନ’ କହିଛି।
ମନେ କରାଯାଉଛି ଜମ୍ମୁ-କାଶ୍ମୀରରେ ଗତ ୧ ବର୍ଷ ହେଲା ହେଉଥିବା ନିୟମିତ ଆତଙ୍କବାଦୀ ଅନୁପ୍ରବେଶ ଡିଜି ବିଏସଏଫ ଓ ସ୍ପେଶାଲ ଡିଜି ବିଏସଏଫଙ୍କୁ ପଦରୁ ହଟାଇବାର ମୁଖ୍ୟକାରଣ। ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ନେଇ ଭାରତ ସରକାରଙ୍କର ଏହା ସବୁଠୁ ବଡ଼ ପ୍ରଶାସନିକ ଆକ୍ସନ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଜମ୍ମୁ ରିଜିୟନରେ ଆତଙ୍କବାଦୀ ଆକ୍ରମଣରେ ଲଗାତାର ହେଉଥିବା ବୃଦ୍ଧି ମଧ୍ୟରେ କେନ୍ଦ୍ର ସୁରକ୍ଷା ଗ୍ରିଡକୁ ମଜଭୁତ କରିବା ପାଇଁ ଆସାମ ରାଇଫଲର ଦୁଇଟି ବାଟାଲିୟନକୁ ଜମ୍ମୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଛି।
ମଣିପୁରରୁ ଆସାମ ରାଇଫଲର ୨ଟି ବାଟାଲିୟନ ଜମ୍ମୁ କ୍ଷେତ୍ରକୁ ସ୍ଥାନାନ୍ତରିତ ହେବେ। ନିକଟରେ ସୁରକ୍ଷା ଗ୍ରିଡକୁ ମଜଭୁତ କରିବା ପାଇଁ ଜମ୍ମୁ କ୍ଷେତ୍ରକୁ ଅତିରିକ୍ତ ୩ ହଜାର ସେନା ଜବାନ ଓ ୨ ହଜାର ବିଏସଏଫ କର୍ମୀଙ୍କୁ ମୁତୟନ କରାଯାଇଥିଲା। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ପାଖାପାଖି ୪୦-୫୦ ପ୍ରଶିକ୍ଷିତ ପାକ୍ ଆତଙ୍କବାଦୀ ଡୋଡା, ରାଜୌରୀ, ପୁଞ୍ଝ, ଉଦ୍ଧମପୁର ଓ ଅନ୍ୟ ସ୍ଥାନରେ ଆତ୍ମଗୋପନ କରିଛନ୍ତି। ଏଣୁ ଜମ୍ମୁ କ୍ଷେତ୍ରରେ ପ୍ରମୁଖ ଆତଙ୍କବାଦ ନିରୋଧୀ ଅଭିଯାନ ଅଂଶ ସ୍ୱରୂପ ଅତିରିକ୍ତ ସୈନିକ ମୁତୟନ ହୋଇଛନ୍ତି।