ଦେବଗଡ଼: ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମରେ ଘଟିଥିବା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ତ୍ରିକୋଣୀୟ ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ଦେବଗଡ ଏସପି ଅନୀଲ କୁମାର ମିଶ୍ର ଦେବଗଡ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସପିଙ୍କ ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ସୁଶୀଲ ମୁଣ୍ଡା ନାମକ ଯୁବକର ଚାରି ପାଞ୍ଚ ବର୍ଷ ପୂର୍ବେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତୁଙ୍ଗାମାଳ ଗ୍ରାମର ଜଣେ ଯୁବତୀର ପ୍ରେମ ସମ୍ପର୍କ ରହିଥିଲା। ଗତ ତିନି ଚାରି ମାସ ତଳେ ସଂପୃକ୍ତ ଯୁବତୀ ଙ୍କ ସହ ସେହି ଗ୍ରାମର ମୃତ ଅମିତ ମୁଣ୍ଡାର ସମ୍ପର୍କ ଗଢିଉଠିଥିଲା। ଯାହାକୁ ପୂର୍ବତନ ପ୍ରେମିକ ସୁଶୀଲ ସହିପାରିନଥିଲେ। ସେ ପ୍ରତିଶୋଧ ପରାୟଣ ହୋଇ କୁରଡପୋଷୀ ଗ୍ରାମର ଅମନ ନାଏକ ସହ ମିଶି ଅମିତକୁ ଜୀବନରୁ ମାରି ଦେବା ପାଇଁ ଯୋଜନା କରିଥିଲା।
ଯୋଜନା ମୁତାବକ ଗତ ୨୪ ତାରିଖ ସୋମବାର ଦିନ ସନ୍ଧ୍ୟା ସମୟରେ ଅମନ ମୃତ ଅମିତକୁ ଫୋନ କରି ଡାକିଥିଲା। ଅମନ କଥାରେ ଅମିତ ଘରୁ ବାହାରି ଯାଇ ଗ୍ରାମ ନିକଟସ୍ଥ ଗିର୍ଧିନୀ ରୁଗୁଡି ଜଙ୍ଗଲ ନିକଟରେ ପହଞ୍ଚିଥିଲା। ସେଠାରେ ପୂର୍ବରୁ ଛପି ରହିଥିବା ସୁଶୀଲ ଓ ଅମନ ମିଶି ଅମିତର ତଣ୍ଟି କୁ ଦଉଡି ସାହାଯ୍ୟରେ ଚିପି ମାରିଦେଇଥିଲେ। ମାରିବାପରେ ଉଭୟ ମିଶି ଅମିତର ମୃତଦେହକୁ ନିକଟସ୍ଥ ଏକ ମହୁଲ ଗଛ ମୂଳରେ ପକାଇ ଦେଇ ଶୁଖିଲା ପତ୍ର ଘୋଡାଇ ଦେଇ ଚାଲିଯାଇଥିଲେ।
ମୃତ ଅମିତ ଘରକୁ ନଫେରିବାରୁ ତାଙ୍କ ପରିବାର ମଙ୍ଗଳବାର କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୁଧବାର ଦିନ ଶୁଖିଲା ପତ୍ର ମଧ୍ୟରୁ ଅମିତଙ୍କ ମୃତଦେହର ଗୋଡ ବାହାରକୁ ଦେଖାଯିବା ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ଅନୁସନ୍ଧାନ ବେଳେ ସମସ୍ତ ଘଟଣା ସାମ୍ନା ଆସିଥିଲା। ବୁଧବାର ନାବାଳକଙ୍କ ମୃତଦେହ ଶୁଖିଲା ପତ୍ର ଘୋଡାଯାଇଥିବା ଅବସ୍ଥାରେ ଠାବ କରାଯାଇଥିଲା।
ମୃତକ ଅମିତ ମୁଣ୍ଡା ହେଲେ ସେହିଗ୍ରାମର ବିଜୟ ମୁଣ୍ଡା ଙ୍କ ପୁଅ ସତର ବର୍ଷ ବୟସ୍କ ନାବାଳକ ପୁଅ। ମୃତ ଅମିତ ଦୁଇ ଦିନ ହେଲା ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ଗ୍ରାମ ନିକଟସ୍ଥ ଗିର୍ଧିନୀ ରୁଗୁଡି ଜଙ୍ଗଲ ରେ ତାଙ୍କର ମୃତଦେହ ମହୁଲ ଗଛ ମୂଳରେ ପତ୍ର ଘୋଡାଯାଇଥିବା ଅବସ୍ଥାରେ ଠାବ କରାଯାଇଥିଲା। ଖବର ପାଇ କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ଅନୁସନ୍ଧାନ କରିଥିଲେ। ପରେ ସବୁ ଘଟଣାର ପର୍ଦ୍ଦାଫାସ ହୋଇଥିଲା।