ଉତ୍ତର ପଶ୍ଚିମକୁ ପ୍ରଭାବିତ କରିବ ପଶ୍ଚିମାଝଡ଼, ରାତି ତାପମାତ୍ରା ବଢ଼ିବ ଶୀତ କମିଯିବ

NEWS7
theme-song-and-logo-of-71st-senior-national-kabaddi-unveiled

ଭୁବନେଶ୍ୱର,୧୯/୦୧: ସୋମବାର ଓ ବୁଧବାର ରାତିରୁ ଲଗାତାର ଦୁଇଟି ପଶ୍ଚିମାଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବ । ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କମିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।

ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିପାରେ । ପୁରୀରେ ପାରଦ ୧୬ ଡିଗ୍ରୀ, ଭଦ୍ରକ ଓ ଛତ୍ରପୁରରେ ୧୫, ପାରଳାଖେମୁଣ୍ଡି, ଖୋର୍ଦ୍ଧା, ଚାନ୍ଦବାଲି ଓ ଭଦ୍ରକରେ ୧୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୦ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୨୨ ଓ ୨୩ ତାରିଖରେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ଆହୁରି ବଢ଼ିବ । ପଶ୍ଚିମା ଝଡ଼ ପ୍ରଭାବରେ ଗତ କିଛି ଦିନ ଭିତରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ଓ କେନ୍ଦୁଝରରେ ଶୀତ କମିଛି । ରବିବାର ସକାଳ ସାଢ଼େ ୫ଟାରେ ଝାରସୁଗୁଡ଼ାରେ ୮.୮ ଡିଗ୍ରୀ ଓ କେନ୍ଦୁଝରରେ ପାରଦ ୧୦.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ଡିଗ୍ରୀ ଓ କେନ୍ଦୁଝରରେ ୧.୨ ଡିଗ୍ରୀ ଅଧିକ ରହିଛି । ପାରଳାଖେମୁଣ୍ଡିରେ ୧୨.୮, କେନ୍ଦ୍ରାପଡ଼ାରେ ୧୨.୪, ଭୁବନେଶ୍ୱରରେ ୧୦.୯, କଟକରେ ୧୦.୨ ଡିଗ୍ରୀ ରେକର୍ଡ ହୋଇଥିଲା ।