ଦାଦନ ଖଟିବାକୁ ଯାଇ ଫେରିଲେନି ସ୍ବାମୀ, ହାତରୁ ଚୁଡ଼ି କାଢିନଥିଲେ ସ୍ତ୍ରୀ : ୩୦ ବର୍ଷ ପରେ ଫେରିଲେ ଘରକୁ...

NEWS7
there-are-almost-no-major-border-disputes-except-kotia-in-odisha

ନୂଆପଡ଼ା ୧୩।୧୨: ଦାଦନ ଖଟିବାକୁ ଯାଇ ଦୀର୍ଘଦିନ ପରେ ବି ସ୍ବାମୀ ଆଉ ଘରକୁ ଫେରିଲେନି । ମୃତ ନା ଜୀବିତ ତାହା ମଧ୍ୟ ଜଣାପଡିଲା ନାହିଁ । ଗରିବ ପରିବାର ଆଉ କୋଳରେ ଦୁଇଟି ଶିଶୁକୁ ଧରି କୁଆଡେ ବା ଯିବେ ସ୍ବାମୀଙ୍କୁ ଖୋଜିବା ପାଇଁ । ହାତରେ ସେତିକି ଅର୍ଥ ମଧ୍ୟ ନଥିଲା, ଯାହା ପାଇଁ ଶେଷରେ ସାମାଜିକ ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା ମଧ୍ୟ ସାରିଦେଲେ । ହେଲେ ଦିନେ ନା ଦିନେ ସ୍ବାମୀ ଘରକୁ ଫେରିବେ ବୋଲି ଆଶା ରଖି ନଥିବା ନୀରିହ ସ୍ତ୍ରୀର ଚୁଡି ରଖିବା ହେଲା ସତ । ହିନ୍ଦୁ ପରମ୍ପରା ଅନୁସାରେ ସ୍ବାମୀ ମୃତ୍ୟୁ ପରେ ହାତରୁ ଚୁଡି, ଶଙ୍ଖାକୁ ଅଲଗା କରିଦିଅନ୍ତି । ହେଲେ ସେ କିନ୍ତୁ ଏମିତି କରିନଥିଲେ । ତାହା ଆଜି ପୁଣିଥରେ ହସି ଉଠିଲା । ଶେଷରେ ତାହା ସତ ମଧ୍ୟ ହେଲା । ଦୀର୍ଘ ୩୦ ବର୍ଷ ପରେ ମୃତ ଭାବୁଥିବା ଲୋକ ଘରକୁ ଫେରି ଆସିଛି । ଏବେ ପରିବାର ଓ ଗାଁ ଲୋକଙ୍କ ଖୁସି କହିଲେ ନସରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସଦର ବ୍ଲକ ଭାଣପୁର ଶବର ପଡାରେ ।

ଘରକୁ ଫେରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଦମ ଶବର, ବୟସ ୬୨ ବର୍ଷ । ୧୯୯୫ରେ ଦୁଇ ସାଙ୍ଗଙ୍କ ସହ ରାୟପୁର କାମ ଅନ୍ବେଷଣରେ ବାହାରି ଜଣେ ଆନ୍ଧ୍ର ଠିକାଦାରଙ୍କ କଥାରେ ପଡି କଲିକତା ଆସନସୋଲର ଏକ ମେଟାଲ ଫ୍ୟାକ୍ଟ୍ରିରେ କାମ ଆରମ୍ଭ କଲେ । କେବଳ ଖାଇବା ଦେଉଥିବା ବେଳେ ପାରିଶ୍ରମିକ ବାବଦକୁ କିଛି ଦେଉ ନଥିଲେ । ଯାହା ପାଇଁ କଡା ସିକୁରିଟି ଭିତରେ ମଧ୍ୟ ଦୁଇ ସାଙ୍ଗ ଫେରି ଆସିଥିବା ବେଳେ ଅଦମ ସେଠାରେ ବନ୍ଧା ପଡି ଯାଇଥିଲେ । ସେହିଦିନ ଠାରୁ ତାଙ୍କୁ କାମ କରାଇ ରଖିଥିଲା ଫ୍ୟାକ୍ଟ୍ରି ମାଲିକ । ଯେତେ ଚେଷ୍ଟା କଲେ ବି ସେଠାରୁ ବାହାରି ପାରୁ ନଥିଲେ । କାହାକୁ ବି ବାହାରକୁ ଛାଡୁ ନଥିଲେ, ଆଦମ ଭଳି ଆହୁରି ଅନେକ ଲୋକ ମଧ୍ୟ ଅଛନ୍ତି ।

ତେବେ ଗତ ୯ ତାରିଖ ଦିନ ଶ୍ରମିକ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସମୟରେ ସେଠାରୁ ଖସି ଆସିବାରେ ସଫଳ ହୋଇଛନ୍ତି ଅଦମ । ହାତ ଖର୍ଚ୍ଚ ବାବଦକୁ ମାଲିକ ୩ ଶହ ଟଙ୍କା ଦେଇଥିବା ବେଳେ ସେହି ଟଙ୍କାରୁ ଅସନସୋଲରୁ ହାୱାଡା, ହାୱାଡାରୁ ବିଲାସପୁର, ବିଲାସପୁରରୁ ରାୟପୁର ଓ ସେଠାରୁ ନୂଆପଡା ଜିଲ୍ଲା ଖରିଆର ରୋଡ ପାଇଁ ଟିକେଟ କରି ଟ୍ରେନରେ ଆସିଥିଲେ । ସେଠାରୁ ବସ୍ ଯୋଗେ କୁଲିଆବନ୍ଧା ଆସିଥିବା ବେଳେ ଭାନପୁର ନିଜ ଶ୍ବଶୁର ଘରକୁ ଚାଲି ଚାଲି ଯାଇଥିଲେ । ଶ୍ବଶୁର ଘର ଲୋକେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ବଡ ପୁଅଙ୍କୁ ଫୋନ ଯୋଗେ ଜଣାଇବା ପରେ ଏବେ ଅଦମ ଗାଁରେ ପହଞ୍ଚିଛନ୍ତି ।

ଏହାରି ଭିତରେ ଦୁଇ ପୁଅଙ୍କ ବିବାହ ସରିଥିବା ବେଳେ ବିବାହ ପୂର୍ବରୁ ପ୍ରଥା ପରମ୍ପରା ଅନୁସାରେ ସାମାଜିକ କଟକଣା ଯୋଗୁଁ ଅଦମଙ୍କୁ ମୃତ ଭାବି ପରିବାର ଲୋକେ ଶୁଦ୍ଧି ହେବା ସହ ସେହି ଦିନ ଠାରୁ ଆଉ ମନେ ପକାଇ ନଥିଲେ । ହେଲେ ସ୍ତ୍ରୀ ମଇନୀ ବାଇ ଶବର ହାତରୁ ଚୁଡି ଭାଙ୍ଗି ନଥିଲେ । ଆସିବେ ବୋଲି ଭାବୁ ନଥିଲେ କିନ୍ତୁ ଭଗବାନ ସ୍ବାମୀଙ୍କୁ ଫେରାଇ ଆଣିଛନ୍ତି ବୋଲି କୁହନ୍ତି ମଇନୀ । ସ୍ବାମୀଙ୍କୁ ପ୍ରଥମେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ, କେହି ଜଣେ ଠକିବାକୁ ଆସିଛି ବୋଲି ଭାବୁଥିଲେ । ପରେ ପରିବାର ଓ ସମ୍ପର୍କୀୟଙ୍କୁ ଚିହ୍ନିବା ସହ ସମସ୍ତ ପୁରୁଣା କଥାକୁ ମନେ ପକାଇବା ପରେ ପରିବାର ଲୋକେ ବିଶ୍ବାସ କରିଥିଲେ ।