ଶୌଚାଳୟ ପାଇଁ ଜାପାନ ସାଂସଦ ହଟହଟା, ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

NEWS7
there-are-no-cotton-mills-functioning-in-the-state-at-present

ନୂଆଦିଲ୍ଲୀ ୦୨/୦୧: ଜାପାନ ସଂସଦରେ ମହିଳା ସାଂସଦଙ୍କ ପାଇଁ ନାହିଁ ଯଥେଷ୍ଟ ଶୌଚାଳୟ । ଏଥିଯୋଗୁ ସାଂସଦଙ୍କୁ ଅନେକ ସମୟରେ ହଟହଟା ହେବାକୁ ପଡ଼ୁଛି । ଏପରିକି ଶୌଚାଳୟ ଯିବା ଲାଗି ସେମାନଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି । ତେଣୁ ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚି ସଂସଦରେ ଅଧିକ ଶୌଚାଳୟ ବନାଇବାକୁ ଦାବି କରିଛନ୍ତି । ତାଙ୍କ ସହ ପ୍ରାୟ ୬୦ ମହିଳା ସାଂସଦ ଏହାକୁ ନେଇ ନିମ୍ନ ସଦନ କମିଟି ମୁଖ୍ୟ (ରୁଲ୍ସ ଆଣ୍ଡ ଆଡମିନିଷ୍ଟ୍ରେସନ) ୟାସୁକାଜୁ ହମାଦାଙ୍କ ନିକଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ଏଥିରେ ଦର୍ଶାଯାଇଛି, ସଂସଦରେ ମହିଳାଙ୍କ ସଂଖ୍ୟା ବଢ଼ିଛି । କିନ୍ତୁ ସେହି ଅନୁସାରେ ସେମାନଙ୍କ ପାଇଁ ସୁବିଧା ଉପଲବ୍ଧ ନାହିଁ । ଏବେ ସଂସଦର ନିମ୍ନ ସଦନରେ ୭୩ ମହିଳା ସାଂସଦ ଥିବାବେଳେ ସେଠାରେ ମାତ୍ର ଗୋଟିଏ ଶୌଚାଳୟ ରହିଛି । ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ସାଂସଦ ୟାସୁକୋ କୋମିୟାମା କହିଛନ୍ତି, ସଂସଦ ଅଧିବେଶନ ବେଳେ ମହିଳା ସାଂସଦଙ୍କୁ ଟଏଲେଟ ବାହାରେ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି । ଜାପାନ ସଂସଦ (ଡାଇଟ୍) ଅଟ୍ଟାଳିକା ୧୯୩୬ରେ ବନାଯାଇଥିଲା । ସେତେବେଳେ ଦେଶରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ବି ମିଳି ନ ଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପରାଜୟ ପରେ ୧୯୪୫ ଡିସେମ୍ବରରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ମିଳିଥିଲା । ବର୍ଷକ ପରେ ୧୯୪୬ରେ ଜାପାନରେ ହୋଇଥିବା ନିର୍ବାଚନରେ ମହିଳା ସାଂସଦମାନେ ନିର୍ବାଚିତ ହୋଇ ସଂସଦକୁ ଆସିଥିଲେ । ରିପୋର୍ଟ ଅନୁସାରେ, ସଂସଦର ନିମ୍ନ ସଦନ ଥିବା ସମ୍ପୂର୍ଣ୍ଣ କୋଠାରେ ମହିଳାଙ୍କ ଲାଗି ଉଦ୍ଦିଷ୍ଟ କେବଳ ୯ଟି ଶୌଚାଳୟ ରହିଛି । ପୁରୁଷଙ୍କ ପାଇଁ ୧୨ଟି ଟଏଲଟ ନିର୍ମାଣ ହୋଇଛି । ସଂସଦ ଅଧିବେଶନ ହେଉଥିବା ମେନ୍ ପ୍ଲେନରୀ ସେସନ ହଲ୍ରେ ମହିଳାଙ୍କ ପାଇଁ କେବଳ ଗୋଟିଏ ଶୌଚାଳୟ ରହିଛି । ତେଣୁ ଅଧିବେଶନ ଚାଲିବାବେଳେ ମହିଳା ସାଂସଦମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି ।

ସେମାନଙ୍କୁ ସେଠାରୁ ସେହି ବିଲ୍ଡିଂରେ ଥିବା ଅନ୍ୟ ଶୌଚାଳୟକୁ ଯିବାକୁ ପଡ଼ୁଛି । କିନ୍ତୁ ସେଠାରେ ପୁରୁଷ ସାଂସଦଙ୍କ ପାଇଁ ଯଥେଷ୍ଟ ଶୌଚାଳୟ ରହିଛି । ଲିଙ୍ଗଗତ ଅନୁପାତ ତୁଳନାରେ ଜାପାନ ବେଶ୍ ପଛରେ ରହିଛି । ୱାର୍ଲ୍ଡ ଇକୋନୋମିକ ଫୋରମର ଗ୍ଲୋବାଲ ଜେଣ୍ଡର ଗ୍ୟାପ୍ ରିପୋର୍ଟରେ ଜାପାନ ୧୪୮ ଦେଶ ମଧ୍ୟରୁ ୧୧୮ତମ ସ୍ଥାନରେ ରହିଛି । ଏଠାରେ ବ୍ୟବସାୟ, ଗଣମାଧ୍ୟମ ସମେତ ଅନେକ କ୍ଷେତ୍ରରେ ମହିଳା ଭାଗିଦାରୀଙ୍କ ସଂଖ୍ୟା ବେଶ୍ କମ୍ ।