ଆଗାମୀ ୫ ବର୍ଷରେ ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ ସେଠି ହେବ : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 13, 2024 IST

ଭୁବନେଶ୍ବର ୧୩।୧୨: ଭୁବନେଶ୍ବର ଲୋକସେବା ଭବନରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୮୫ ହୋମିଓପାଥିକ ମେଡିକାଲ ଅଫିସର, ୨୩୯ ରେଡିଓଗ୍ରାଫର, ୫୨ ଜଣ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଏହି ନିଯୁକ୍ତି ମେଳା ନୂଆ ସରକାରଙ୍କ ଷଷ୍ଠ ନିଯୁକ୍ତି ମେଳା । ଏହା ଅପୂର୍ବ ସଂଯୋଗ ଆଣିଛି କାରଣ ଆମ ସରକାର ଗତକାଲି ଛ’ ମାସ ପୂରଣ କରିଛି । ଏ ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପତ୍ର ପାଇଲେ । ଏହା ନିଶ୍ଚିତ ଭାବେ ଜୀବନର ଅଭୁଲା ସ୍ମୃତି । ଆମ ସରକାର ଏହି ସୁଯୋଗ ଆପଣ ମାନଙ୍କୁ ଦେଇଛି । ଗତ ୨୪ ବର୍ଷ ଭିତରେ ଏହା ହୋଇ ପାରିଥାନ୍ତା । କାହିଁକି ହେଲାନି ? ଆପଣ ପରିଶ୍ରମ କରି ସ୍ବପ୍ନ ଦେଖିଲେ । ଗତ ୨୪ ବର୍ଷ ଭିତରେ ଯେଉଁମାନେ ସରକାରୀ ନିଯୁକ୍ତିରୁ ବଞ୍ଚିତ ହେଉଥିଲେ । ଶିକ୍ଷା ସ୍ୱାସ୍ଥ୍ୟ ଓ ଗୃହ ପରି ସରକାରୀ ପଦବୀ ପୂରଣ ଆଭିମୁଖ୍ୟ ରଖି କାହିଁକି ପୂରଣ କରି ପାରିଲେ ନାହିଁ । ଯେଉଁଥି ପାଇଁ ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ବହୁ ପଛରେ ପଡିଗଲା । ବୋଧେ ଏହି ଶୁଭ କାର୍ଯ୍ୟ ନୂଆ ସରକାର କରିବେ ବୋଲି ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡିଲା । ଶିକ୍ଷିତ ସମାଜ ସେତିକି ବିକଶିତ । ଆଜି ଯଦି ଏହି ଗୁରୁତ୍ୱ ଅନୁଭବ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ମାନଦଣ୍ଡରେ ଆଗକୁ ଯାଇପାରିନୁ । ମୁଖ୍ୟମନ୍ତ୍ରୀ ଭାବେ ମୁଁ ଏହା ସ୍ପଷ୍ଟ ଭାବେ କହୁଛି । ଗୋଟେ ସରକାର ନିରନ୍ତର ଭାବେ ୨୪ ବର୍ଷ ଶାସନ କରିବା, ହେଲେ ଲକ୍ଷ୍ୟ ହାସଲ ପାଇଁ ଦୀର୍ଘ ମିଆଦି ଯୋଜନା ନ କଲେ ଲକ୍ଷ୍ୟ ହାସଲ କରିପାରିବା ନାହିଁ । 

ରାଜ୍ୟ ଶାସନ ମୁଖ୍ୟ ଭାବେ ରାଜ୍ୟର ଏହି ଅବସ୍ଥାକୁ ମୁଁ ଅଣଦେଖା କରି ପାରିବି ନାହିଁ । ନୀତି ଆୟୋଗର ସ୍ୱାସ୍ଥ୍ୟ ରେଟିଂରେ ଆମେ ଶେଷ ଆଡୁ ତୃତୀୟ ଅଛି । ଏହାକୁ ନେଇ ଗର୍ବ କରି ହେବନି । ମୁଁ ବିଧାନସଭାରେ ଏଥିପାଇଁ ଲଢେଇ କରିଛି । ଲଢେଇ ଛୋଟ ନଥିଲା, ଗତ ସରକାରଙ୍କୁ କାଠଗଡାରେ ଠିଆ କରିଥିଲି । ହେଲେ ସେ ସରକାର ଶୁଣିଲେ ନାହିଁ । ଓଡ଼ିଶାକୁ ଆଗକୁ ନେଲେ ନାହିଁ । ସତରେ କ’ଣ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ମିଳୁଛି । ଗୋଟେ ସରକାର ୨୪ ବର୍ଷ ରହି କହୁଛି ବିଶ୍ୱସ୍ତରୀୟ ସେବା ପାଇଁ ଚିନ୍ତା କରୁଛୁ । ୪୦ ପଏଣ୍ଟ ପାଇ ଆମେ ଥାର୍ଡ଼ ଡିଭିଜନ ପାଇଛୁ । ଯାହାକୁ ଫାଷ୍ଟ ଡିଭିଜନ ରଖିବାକୁ ପଡ଼ିବ । ଆପଣ ମାନଙ୍କୁ ଏହି ଆହ୍ୱାନ ଦେଉଛି । ସଂକଳ୍ପ ନିଅନ୍ତୁ ଯେ ସରକାରଙ୍କ ଆଭିମୁଖ୍ୟ ପୂରଣ କରିବାକୁ ଫାଷ୍ଟ ଡିଭିଜନ ଆଣିବୁ । 

ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆମ ଭିଜନ । ୨୧,୨୦୦ କୋଟି ବଜେଟ୍ ସ୍ୱାସ୍ଥ୍ୟ ପାଇଁ । ଯାହା ଗତ ସରକାରଙ୍କ ବଜେଟରୁ ୩୨% ଅଧିକ । ଏହି ଅର୍ଥ ଅଧିକାଂଶ ଭିତିଭୂମି ପାଇଁ ରଖାଯାଇଛି । ଭିତିଭୂମି ଭଲ ନଥିଲେ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେଇ ହେବନି । ଆଉଟସୋର୍ସିଂରେ ବି କାମ କରୁଥିଲେ ଆପଣ ମାନଙ୍କ ଭିତରୁ । ଭବିଷ୍ୟତ ନଥିଲା, କେବଳ ଦରମା । ଠିକା କାମରେ କେମିତି ଉତ୍ତମ ସେବା ଯୋଗାଇଥାନ୍ତେ ? ନିରାମୟ, ନିଦାନ ଯୋଜନା ଚାଲିଛି । ସିଟି ସ୍କାନ ପରି ପାଥୋଲୋଜି ସେବା ମାଗଣାରେ ଦିଆଯାଉଛି । ଏକା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ସହ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ । ଗତ ସରକାର ଆୟୁଷ୍ମାନ ଯୋଜନା ଲାଗୁ କଲେନି । ନିଜସ୍ୱ ଯୋଜନା ବି ଠିକ୍ ଭାବେ କାର୍ଯ୍ୟକାରୀ କଲେନି । ଦେଶର ୨୭,୦୦୦ରୁ ବଡ଼ ହସ୍ପିଟାଲରେ ମାଗଣା ସେବା ମିଳିବ ଆୟୁଷ୍ମାନ ଭାରତରେ । ୧୨ ମେଡିକାଲ କଲେଜ ଅଛି । ଏହା ପର୍ଯ୍ୟାପ୍ତ ନୁହେଁ । ଆଗାମୀ ପାଞ୍ଚ ବର୍ଷରେ ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ, ସେଠି ମେଡିକାଲ କଲେଜ ହେବ । ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ । ଉତ୍ତମ ଡାକ୍ତର ଓ ଚିକିତ୍ସା ସେବା ମିଳିବ । 

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଯୋଜନାରେ ମେଡିକାଲ କଲେଜ ଭିତିଭୂମି ସୁଦୃଢ କରିବାକୁ ୨୦୦ କୋଟିର କର୍ପସ ଫଣ୍ଡ କରାଯାଇଛି । ଯାହା ଗତ ୨୪ ବର୍ଷରେ ଚିନ୍ତା କରାଯାଇ ନଥିଲା । ଆମ ସରକାର ଦାୟିତ୍ୱ ନେବା ପରେ ନୂତନ ନିଯୁକ୍ତି ଦେବାରେ ପ୍ରୟାସ ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର ସରକାରୀ ଫାର୍ମାସି ଅଫିସର ନିଯୁକ୍ତି ହେବେ । ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ହେବ ହୋମିଓପାଥି ମେଡିକାଲ କଲେଜ । ରେଡ଼ିଓଗ୍ରାଫର କ୍ୟାଡର ପୁନର୍ଗଠନ କରାଯାଇଛି । ଗଣତନ୍ତ୍ରିକ ରାଜ୍ୟରେ ଯୁବ ସମାଜ ବିକାଶ ଆମ ଲକ୍ଷ୍ୟ । ନିର୍ବାଚନ ପୂର୍ବରୁ ଯେବେ ଆମ ଇସ୍ତାହାରରେ କୁହାଯାଇଥିଲା ଯେ ଗତ ସରକାର ନୂଆ ପଦବୀ ସୃଷ୍ଟି କଲେନି, ଆମ ସରକାର ଆସିଲେ ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣର ପ୍ରତିଶୃତି ଦେଇଛୁ । ୨୦,୦୦୦ରୁ ଅଧିକ ସରକାରୀ ନିଯୁକ୍ତି ଏହି ୬ ମାସରେ ନିରପେକ୍ଷତା ସହ କରାଯାଇଛି । ଅଧ୍ୟାପକ ମାନେ ମଣିଷ ତିଆରି କାରଖାନାରେ ଯୁବ ସମାଜ ଗଢିବେ । ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ମାର୍ଗ ଦେଖାଇ ରାଷ୍ଟ୍ରକୁ ଯଶସ୍ବୀ କରାଯିବ । 

ଗତ ସରକାର ନିଯୁକ୍ତିରେ ଦୁର୍ନୀତି କରିଥିଲେ । JEE, ASO ପରୀକ୍ଷାରେ ସ୍ୱଚ୍ଛତା ନଥିଲା । ଗରିବଙ୍କ ଭରସା ସରକାର ଓ ଭଗବାନଙ୍କ ଉପରୁ ଉଠି ଯାଇଥିଲା । ପାଠପଢି ଚାକିରି ପାଇଲି ନାହିଁ । ପଛ ବେଞ୍ଚ ପିଲା ଚାକିରି କେମିତି ପାଇଲା ? ଆଜି ଭଗବାନ ଆପଣଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆସିଛନ୍ତି । ନିଯୁକ୍ତିରେ ସ୍ୱଚ୍ଛତା ଆଣିବା ପାଇଁ ବିଲ୍ ଆସିଛି । ଏହା ଆଇନରେ ପରିଣତ ହେଲା । ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ । ଲାଞ୍ଚ ନେଇ ଚାକିରି କଲେ ଏକା କୋଟି ଜରିମାନା ଓ ଜେଲ୍ । ୨୦୩୬ ଓ ୨୦୪୭ରେ ଆପଣ ମାନେ ଦେଶ ଓ ରାଜ୍ୟର ମଙ୍ଗ ଧରିବେ । ସମାଜକୁ ଆପଣ ମାନେ ଉଚିତ ପଥ ପ୍ରଦର୍ଶନ କଲେ, ବିକାଶ ହେବ । ଅନ୍ତର୍ଜାତୀୟ ମାନ ମିଳିପାରିବ । ସରକାରୀ ଚାକିରିକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ । ସ୍ୱଚ୍ଛତା ସହ କାମ କରନ୍ତୁ ।

You Can Read:

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ : ଜିଲ୍ଲାପାଳ କହିଲେ- ‘ଜିପିଆର୍ ଓ ରାଡାର ସର୍ଭେ ତଥ୍ୟକୁ ନେଇ ମରାମତି’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.