ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁ; କାହା ପାଖରେ ନାହିଁ ଜମି ପଟ୍ଟା, ଗୋଟିଏ ବି ନାହିଁ ସିମେଣ୍ଟ ଘର

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ ୨୭।୦୯: ଭାରତରେ ଗଳିକନ୍ଦିରେ ରହିଛି ଅନେକ ଗାଁ । ଏଗୁଡିକ ନିଜ ନିଜର ବିଶେଷତ୍ବ ପାଇଁ ପରିଚିତ । କିଛି ଲୋକଲୋଚନକୁ ଆସୁଛି ତ, ଆଉ କିଛି ଆଖି ଆଢୁଆଳରେ ରହିଯାଉଛି । କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠାରେ କାହାର ବି ନିଜ ରହୁଥିବା ସ୍ଥାନର ନାହିଁ ଜମି ପଟ୍ଟା ।

 ଏମିତିକି ଗାଁରେ ନା ତ ଅଛି ଛାତ ଘର, ନାଁ ଦୁଆରେ ଲାଗେ ତାଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏଠାକାର ବାସିନ୍ଧା ଆମିଷ ଓ ମଦକୁ ଛୁଅଁନ୍ତିନି । ଏମିତିକି ଜଳାହୁଏନି ନିମ୍ବ କାଠ, କିରୋସିନି । ବର୍ତ୍ତମାନ ଗାଁଟି ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁର ମାନ୍ୟତା ରହିଛି । ଏହି ଗାଁଟି ହେଉଛି ରାଜସ୍ଥାନ ବିୱାର ଜିଲ୍ଲାର ଦେବମାଲୀ ଗାଁ । 

ଗାଁଟିର ନାଁ ଆରାଧ୍ୟ ଦେବତା ପ୍ରଭୁ ଦେବନାରାୟଣଙ୍କ ନାମ ଅନୁସାରେ ନାମକରଣ ହୋଇଛି । ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଗାଁ ବେଶ୍‌ ଲୋକପ୍ରିୟ । ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ଆଧାରରେ ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ସମ୍ମାନ ପ୍ରଦାନ କରାଯାଉଛି । ସମୃଦ୍ଧ ସଂସ୍କୃତି ଓ ସାମାଜିକ ଜୀବନର ନିଚ୍ଛକ ଉଦାହରଣ ପ୍ରଦାନ କରୁଥିବା ଦେବମାଲୀ ୩ ହଜାର ବିଘାରେ ବିସ୍ତୃତ । 

ଗାଁର ପୂରା ସମ୍ପତ୍ତି ଦେବନାରାୟଣଙ୍କର ବୋଲି ମାନ୍ୟତା ରହିଛି । ଅନେକ ପିଢ଼ି ଧରି ଏହି ଗାଁରେ ରହି ଆସୁଥିବା ବାସିନ୍ଦାଙ୍କ ପାଖରେ କୌଣସି ଜମି ମାଲିକାନା ଦସ୍ତାବିଜ ନାହିଁ । ସମଗ୍ର ଗାଁର ସମ୍ପତ୍ତି କେବଳ ପ୍ରଭୁ ଦେବନାରାୟଣଙ୍କର ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ । 

କିମ୍ବଦନ୍ତୀ ଅନୁସାରେ, ଗାଁର କୌଣସି ଜାଗାକୁ ନିଜର ସ୍ଥାୟୀ ସମ୍ପତ୍ତି ଭାବେ ଜୀବନଶୈଳୀରେ ସାମିଲ ନ କରିବାକୁ ଗ୍ରାମବାସୀ ଭଗବାନ ଦେବନାରାୟଣଙ୍କ ପାଖରେ ସଂକଳ୍ପ କରିଥିଲେ । ପୂର୍ବପୁରୁଷମାନେ ଭଗବାନଙ୍କୁ ଦେଇଥିବା ଏହି ପ୍ରତିଶ୍ରୁତିକୁ ପିଢ଼ି ପରେ ପିଢ଼ି ନିଷ୍ଠାର ସହ ପାଳନ କରୁଛନ୍ତି । ଦେବମାଲୀ ଗାଁରେ ଗୋଟିଏ ବି ସିମେଣ୍ଟ ଘର ନାହିଁ । ସବୁ ଘର ମାଟି ଓ ଚାଳଛପରରେ ନିର୍ମିତ । 

ଗାଁରେ ଜଣେ ବି ବ୍ୟକ୍ତି ଆମିଷ ଖାଆନ୍ତିନି କିମ୍ବା ମଦ୍ୟପାନ କରନ୍ତି ନାହିଁ । କିରୋସିନ ଓ ନିମ୍ବ କାଠ ଜାଳିବା ଉପରେ ଗାଁରେ ରହିଛି କଡ଼ା କଟକଣା । ଗାଁର କୌଣସି ଘରେ ତାଲା ନପଡିବା ହେଉଛି  ଦେବମାଲୀ ବାସିନ୍ଦାଙ୍କ ଭାଇଚାରା ଓ ବିଶ୍ୱାସର ଜ୍ୱଳନ୍ତ ଉଦାହରଣ । 

ଦୀର୍ଘ ଦଶନ୍ଧି ଧରି ଗାଁରେ ଗୋଟିଏ ବି ଚୋରି ଘଟଣା ସାମ୍ନାକୁ ଆସିନି । ଗାଁର ମୁଖ୍ୟ ଆକର୍ଷଣ ହେଉଛି ପାହାଡ଼ ଶୀର୍ଷରେ ଅବସ୍ଥିତ ପ୍ରଭୁ ଦେବନାରାୟଣଙ୍କ ମନ୍ଦିର । ପ୍ରତିବର୍ଷ ଏଠାକୁ ଆସିଥାନ୍ତି ହଜାର ହଜାର ପର୍ଯ୍ୟଟକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.