ସର୍ଫରାଜଙ୍କ ବ୍ୟାଟିଂରେ ଅଶ୍ୱିନ ଖୁସ୍, କହିଲେ ସେ ସ୍ପିନରଙ୍କୁ ଯେମିତି ସଟ୍ ଖେଳୁଛନ୍ତି ତାହା...

NEWS7
three-elephant-died-in-sambalpur-redhakhol-forest-range

ନୂଆଦିଲ୍ଲୀ, ୦୧/୦୧ :ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି ସର୍ଫରାଜ୍ ଖାନ୍ । ବୁଧବାର ଗୋଆ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ସେ ଶତକୀୟ ଇନିଂସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ କରି ରୋହିତଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଆଇପିଏଲ ୨୦୨୬ ପୂର୍ବରୁ ସର୍ଫରାଜଙ୍କ ଏହି ବ୍ୟାଟିଂ ଦଳ ପାଇଁ ଭଲ ହେବ ବୋଲି କ୍ରିକେଟ୍ ବିଶେଷଜ୍ଞ କହୁଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ସ୍ପିନର୍ ଆର ଅଶ୍ୱୀନ ମଧ୍ୟ ଏନେଇ ମୁହଁ ଖୋଲିଛନ୍ତି ।

ବୁଧବାର ସର୍ଫରାଜଙ୍କ ପାଇଁ ଥିଲା ଖାସ୍ ଦିନ । ସେ ୭୫ ବଲରୁ ୧୭୫ ରନ୍ କରିଥିଲେ । ଷ୍ଟାଡିୟମରେ ଛକା ଚଉକା ବର୍ଷା କରିଥିଲେ । ତାଙ୍କ ବ୍ୟାଟରୁ ୧୪ଟି ଛକା ବାହାରିଥିଲା । ମାତ୍ର ୫୬ ବଲରୁ ସେ ସେଞ୍ଚୁରୀ ମାରିଥିଲେ । ଏହି ଇନିଂସ ଅଶ୍ୱିନଙ୍କୁ ଖୁସି କରିଛି ।

ଅଶ୍ୱିନ କହିଛନ୍ତି ଯେ, ବିଜୟ ହଜାରେ ଟ୍ରଫିରେ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି । ସବୁ ମ୍ୟାଚରେ ରନ୍ ବାହାରୁଛି । ଇନିଂସରେ ମିଡିଲ ଓଭରରେ ସେ ସ୍ପିନରଙ୍କୁ ଛାଡୁ ନାହାଁନ୍ତି । ବଡ ବଡ ସଟ୍ ଖେଳୁଛନ୍ତି । ବଲ୍ ଘୂରିଲେ ସେ ସ୍ୱିପ୍ ଏବଂ ସ୍ଲଗ୍ ସ୍ୱିପ୍ ଖେଳୁଛନ୍ତି । ଯାହା ସତରେ ପ୍ରଶଂସାର ହକଦାର୍ । ତାଙ୍କ ବ୍ୟାଟିଂରେ ଦଳରେ ସୁଯୋଗ ପାଇଁ ସେ ଏବେ କବାଟ ଠକ୍ ଠକ୍ କରୁନାହାଁନ୍ତି । ବରଂ କବାଟକୁ ଭାଙ୍ଗି ଦେଉଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏପରି ପ୍ରଦର୍ଶନ ଦ୍ୱାରା ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଚୂଡାନ୍ତ ଏକାଦଶରେ ନିଶ୍ଚୟ ସ୍ଥାନ ଦେବ । ସେ ହଳଦିଆ ଜର୍ସିରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି କହିଛନ୍ତି ଅଶ୍ୱିନ୍ ।

ରେଡ ବଲ୍ କ୍ରିକେଟରେ ସର୍ଫରାଜ୍ ହିଟ୍

ସର୍ଫରାଜ୍ ଭାରତୀୟ ଟେଷ୍ଟ ଦଳରେ ଅନେକ ଥର ସାମିଲ ହୋଇଛନ୍ତି । ଅନେକ ମୁକାବିଲାରେ ସେ ଟିମ୍ ଇଣ୍ଡିଆ ପାଇଁ ଭଲ ସ୍କୋର କରିଛନ୍ତି । ଫାଷ୍ଟ୍ କ୍ଲାସ୍ କ୍ରିକେଟରେ ତାଙ୍କର ଆଭରେଜ୍ ହେଉଛି ୬୩.୧୫ । ଏଥିରେ ୧୬ଟି ଶତକ ଏବଂ ୧୬ଟି ଅର୍ଦ୍ଧଶତକ ରହିଛି ।

୨୦୧୫ରେ ତାଙ୍କୁ ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କିଣିଥିଲା । ୧୭ ବର୍ଷ ବୟସରେ ସେ ଆଇପିଏଲ ଖେଳିଥିଲେ । ଏହାପରେ କିନ୍ତୁ ସେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଚଳିତ ଥର ତାଙ୍କୁ ଚେନ୍ନାଇ ୭୫ ଲକ୍ଷ ଟଙ୍କାରେ କିଣିଛି ।