ବ୍ରହ୍ମପୁର ୧୯।୩: ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଅମାନବୀୟ ମଣିଷ । ବିଜ୍ଞାନ ଯୁଗରେ ବି ଅନ୍ଧ ବିଶ୍ୱାସର ହେଉଛନ୍ତି ବଶବର୍ତ୍ତୀ । ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ ଓ ପ୍ରତି ଆକ୍ରମଣ । ୩ ଜଣଙ୍କର ମୃତ୍ୟୁ । ୧୩ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ ଥାନା ବାହାରପୁର ପଞ୍ଚାୟତ ଖାରିପଲ୍ଲୀ ଗ୍ରାମରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଗାଁରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।
ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ବାପା-ପୁଅଙ୍କୁ ହତ୍ୟା ମୃତ ବାପା ପୁଅ ହେଲେ ଖଦାଳ ବେହେରା, ରତ୍ନାକର ବେହେରା l ଅପର ପକ୍ଷରେ ବାପା-ପୁଅଙ୍କ ପାଲଟା ଆକ୍ରମଣରେ ଗାଁର ଅନ୍ୟ ଜଣେ ରମେଶ ବେହେରାଙ୍କ ମୃତ୍ୟୁ ହୋଇଛି । ତିନି ଜଣ ଗ୍ରାମବାସୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ଗାଁରେ ପୋଲିସ ମୁତୟନ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସାଇଣ୍ଟିଫିକ ଟିମ୍ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ୧୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । ଆଗାମୀ ଦିନରେ ଯେଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । କେହି ଭୟଭୀତ ନହୋଇ ଗାଁରେ ଶାନ୍ତି ଶୃଙ୍ଖଳାର ସହ ରହିବାକୁ ଏସପି ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୨-୨୩ ମସିହାରେ ଗଣ୍ଡଗୋଳ ହୋଇଥିଲା । ଏହାର ସମାଧାନ କରାଯାଇଥିଲା । ଏବେ ଏହା ଉଗ୍ର ରୂପ ନେଇ ଏଭଳି ଅଭାବନୀୟ ଘଟଣା ଘଟିଗଲା । ଏବେ ଗାଁରେ ସ୍ଥିତି ନିୟନ୍ତ୍ରଣ ଥିବାବେଳେ ସ୍ୱତନ୍ତ୍ର ନଜର ରଖିଛୁ ବୋଲି ଗଞ୍ଜାମ ଏସ୍ପି କହିଛନ୍ତି । ଗ୍ରାମରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ତିନି ଜଣଙ୍କ ମୃତଦେହକୁ ପୋଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ପଥରକୁ ପୋଲିସ ଜବତ କରିଛି ।
ତିନି ବର୍ଷ ପୂର୍ବରୁ ଗ୍ରାମବାସୀ ମାନେ ବାପା-ପୁଅକୁ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରୁ ବାସନ୍ଦ କରିଥିଲେ l ପରବର୍ତ୍ତୀ ସମୟରେ ପୋଲିସ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ବାସନ୍ଦ ପରିବାରକୁ ଗାଁକୁ ଫେରାଇ ଆଣିଥିଲେ । କିଛି ଦିନ ପରେ ବାପା-ପୁଅ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଯାହାର ପରିଣାମ ଦେଖିବାକୁ ମିଳିଛି l ବାପା-ପୁଅଙ୍କ ଆକ୍ରମଣରେ ରମେଶ ବେହେରା ନାମକ ଜଣେ ଗ୍ରାମବାସୀଙ୍କ ଧରାକୋଟ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗ୍ରାମବାସୀ ଗୁରୁତର ହୋଇଛନ୍ତି । ସେହିପରି ଗ୍ରାମବାସୀଙ୍କ ସଂଘବଧ ଆକ୍ରମଣରେ ଖଦାଳ ବେହେରା ଓ ରତ୍ନାକର ବେହେରା ଉଭୟ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା l ଗାଁ ଠାରୁ ମେଡିକାଲ ପର୍ଯ୍ୟନ୍ତ ସବୁଠି ଶୋକାକୁଳ ପରିବେଶ ।
You Can Read:
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ଦିନ ୧୧ଟାରୁ ୩ଟା ଶ୍ରମିକଙ୍କ ପାଇଁ କାମ ବନ୍ଦ