ଅପରାଧୀ ରବି ଦାସ ହତ୍ୟା ମାମଲା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | March 17, 2025 IST

ଖଲ୍ଲିକୋଟ ୧୭।୦୩ : ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସ ହତ୍ୟା ମାମଲା । ୧୨ ଦିନ ପରେ ପୋଲିସକୁ ମିଳିଲା ସଫଳତା । ରବି ଦାସ ହତ୍ୟା ମାମଲାରେ ସଂପୃକ୍ତି ଥିବା ୩ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ଥାନା ପୋଲିସ । ଗିରଫ ତିନି ଜଣ ମୃତ ରବି ଦାସଙ୍କ ପୁତୁରା ବୋଲି ଜଣାପଡିଛି । 

ଚଳିତ ମାସ ୫ ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସକୁ ହତ୍ୟା କରାଯାଇଥିଲା । ବେଆଇନ ମଦ ବ୍ୟବସାୟ ନେଇ ରବି ଦାସ ଏବଂ ତାଙ୍କ ପୁତୁରାଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏପିରିକି ପୂର୍ବରୁ ରବି ଦାସ ଦୁଇ ପୁତୁରାଙ୍କ ଉପରକୁ ବୋମା ମାଡ଼ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ପୁତୁରା । ମାର୍ଚ୍ଚ ୫ ତାରିଖ ସକାଳୁ ରବି ଦାସଙ୍କୁ ଘର ସାମ୍ନାରେ ହତ୍ୟା କରି ଫେରାର ହୋଇଯାଇଥିଲେ ପୁତୁରା । ଯାହାକୁ ନେଇ ରବିଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ରବିବାର ଛତ୍ରପୁର ଅଞ୍ଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ୩ଟି ମୋବାଇଲ୍‌, ଗୋଟିଏ ବୁଲେଟ୍‌ ଜବତ ମଧ୍ୟ କରିଥିଲା ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେଇଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.