ମୁମ୍ବାଇ ୧୨।୧: ବଲିଉଡ ଓ ଟେଲିଭିଜନର ପ୍ରଶିଦ୍ଧ କଳାକାର ଟିକୁ ତଲସାନିୟାଙ୍କୁ ଜାନୁୟାରୀ ୧୦ ତାରିଖ ଦିନ ମୁମ୍ବାଇର କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଝିଅ ଶିଖା ତଲସାନିୟା ସୋସିଆଲ ମିଡିଆରେ ତାଙ୍କ ପିତାଙ୍କ ହେଲଥ୍ ଅପଡେଟ୍ ଦେଇଛନ୍ତି। କହିଛନ୍ତି ତାଙ୍କ ପିତା ଟିକୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ପୂର୍ବାପେକ୍ଷା ଭଲ ଅଛି। ତାଙ୍କୁ ବ୍ରେନ ଷ୍ଟ୍ରୋକ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା।
ଶିଖା ତାଙ୍କର ଏହି ପୋଷ୍ଟ ମାଧ୍ୟମରେ ପିତାଙ୍କ ହାଲଚାଲ ପଚାରୁଥିବା ଓ ତାଙ୍କ ପାଇଁ ପ୍ରାର୍ଥନା କରୁଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟିକୁଙ୍କ ଝିଅ ତାଙ୍କ ଇଂଷ୍ଟା ଷ୍ଟୋରୀରେ ପିତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅପଡେଟ୍ ଦେଇଛନ୍ତି। ସେ ଲେଖିଛନ୍ତି ଆପଣଙ୍କ ପ୍ରାର୍ଥନା ଓ ଚିନ୍ତା ପାଇଁ ଅନେକ ଅନେକ ଧନ୍ୟବାଦ। ଏହା ଆମ ସମସ୍ତଙ୍କ ନିମନ୍ତେ ବାସ୍ତବିକ ଏକ ଇମୋସନାଲ ଟାଇମ ଥିଲା। ହେଲେ ଏବେ ସୂଚିତ କରିବାକୁ ଖୁସି ଲାଗୁଛି ଯେ ବାପା ଏବେ ଠିକ୍ ହେଉଛନ୍ତି।
ସେ କୋକିଲାବେନ ହସ୍ପିଟାଲର ଷ୍ଟାଫ ଓ ଡାକ୍ତରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଟିକୁ ତଲସାନିୟାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ବେଳେ ଟିକୁଙ୍କୁ ହୃଦଘାତ ହୋଇଥିବା ପ୍ରଥମେ ପ୍ରଚାରିତ ହୋଇଥିଲା। ତେବେ ତାଙ୍କ ପତ୍ନୀ ଦିପ୍ତି ତଲସାନିୟା ଗଣମାଧ୍ୟମ ସହ ଆଲୋଚନାରେ ହୃଦଘାତ ନୁହେଁ ମସ୍ତିଷ୍କାଘାତ ହୋଇଥିବାର କହିଥିଲେ। ଟିକୁ ଏକ ଫିଲ୍ମର ସ୍କ୍ରିନିଂକୁ ଯାଇଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ଏଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଟିକୁ ତଲସାନିୟା ଟିଭି ଓ ବଲିଉଡ ଫିଲ୍ମରେ ଏକ ଜଣାଶୁଣା ନାଁ। ସେ ବଲିଉଡର ପାଖାପାଖି ସବୁ ବଡ଼ ଅଭିନେତାଙ୍କ ସହ କାମ କରିଛନ୍ତି। କୁଲି ନମ୍ବର ୱାନ, ରାଜା ହିନ୍ଦୁସ୍ତାନୀ, ଅନ୍ଦାଜ ଆପନା ଆପନା, ବଡେମିଆଁ ଛୋଟେମିଆଁ, ହଙ୍ଗମା, ଧମାଲ ଓ ଢୋଲ ଭଳି ହିଟ୍ ଫିଲ୍ମରେ ଟିକୁ କାମ କରିଛନ୍ତି। ଏହା ଛଡା ସେ ଅନେକ ଫେମସ ଟିଭି ସୋରେ ମଧ୍ୟ କାମ କରିଛନ୍ତି।