ଅବପାତର ରୂପ ନେବ ଲଘୁଚାପ ! ଆଜିଠୁ ୧୬ ଯାଏଁ ବଡ଼ ବର୍ଷା, ଉତ୍ତରରୁ ପଶ୍ଚିମ ପର୍ଯ୍ୟନ୍ତ ଭିଜିବ

Published By : Prameya-News7 Bureau | September 13, 2024 IST

ଭୁବନେଶ୍ୱର,୧୩/୦୯: ରାଜ୍ୟକୁ ଆସୁଛି ପୁଣି ବଡ଼ ବର୍ଷା  । ଶୁକ୍ରବାର ଅର୍ଥାତ୍ ଆଜି ଠାରୁ ବଢ଼ିବ ବର୍ଷା । ୧୬  ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୩ ତାରିଖରେ ଉତ୍ତର ଓଡ଼ିଶା ଓ ଏହା  ପାଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକ ତୁହାକୁ ତୁହା ବର୍ଷାରେ ଭିଜିବ । ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ବି ବର୍ଷା ହେବ । ୧୪ରୁ  ୧୬ ଯାଏ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଛତିଶଗଡ଼ରେ ବି ଲଗାଣ ବର୍ଷା ଆଶଙ୍କା ଅଛି ।   ସମ୍ଭାବ୍ୟ ଲଘୁଚାପରୁ ଅବପାତ ସୃଷ୍ଟି ହେବା ସମ୍ଭାବନା ଥିବାରୁ ଏଭଳି ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯଦି ଏମିତି ହୁଏ,   ତେବେ ମହାନଦୀ ଫୁଲିବାର ସମ୍ଭାବନା ରହିଛି । 

ଦକ୍ଷିଣ ପୂର୍ବ ବାଂଲାଦେଶ  ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ଏହା ଘନୀଭୂତ ହୋଇ ଶୁକ୍ରବାର  ବେଳକୁ ଉପକୂଳ ବାଂଲାଦେଶ ଓ ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ । ଅଧିକ   ଘନୀଭୂତ ହୋଇ ପରବର୍ତ୍ତୀ ୪୮  ଘଣ୍ଟାରେ ଅବପାତରେ ପରିଣତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ   ଦିଗରେ ପଶ୍ଚିମବଙ୍ଗ ଉପକୂଳ ଏବଂ   ଉତ୍ତର-ପଶ୍ଚିମ ବଙ୍ଗୋପସାଗର  ଆଡ଼କୁ ଆସିବ । ଏହା ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ ।  

ସୋଆ ଜଳବାୟୁ ଓ ପରିବେଶ  କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ, ସମ୍ଭାବ୍ୟ ଅବପାତ ପ୍ରଭାବରେ ୧୬ ଯାଏ ବର୍ଷା  ଲାଗି ରହିବ । ଶୁକ୍ରବାରଠାରୁ ଉତ୍ତର  ଓଡ଼ିଶାରେ ବଢ଼ିବ । ୧୪ରୁ ୧୬ ଯାଏ  ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ରେ  ଅଧିକ ବର୍ଷିବ ।   

ପାଣିପାଗ ବିଭାଗ ଆକଳନ କରିଛି, ଶୁକ୍ରବାର ରାଜ୍ୟର ଅଧିକାଂଶ  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । କଳାହାଣ୍ଡିରେ ପ୍ରବଳରୁ ଆତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,  ରାୟଗଡ଼ା ଓ ଗଜପତିରେ ପ୍ରବଳ  ବର୍ଷା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେତେକ  ଜିଲ୍ଲାରେ ବଜ୍ରପାତ ଆଶଙ୍କା ଅଛି । ୧୪ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତରର   ଅଧିକାଂଶ ଓ ଦକ୍ଷିଣର ଅନେକ  ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.