ନୂଆଦିଲ୍ଲୀ: ଭାରତର ଜମିକୁ ଚୀନ୍ ହଡ଼ପ କରିଛି ବୋଲି କେମିତି ଜାଣିଲେ ? ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥାନ୍ତେ ତେବେ ଆପଣ ଏହା କହିନଥାନ୍ତେ। ଏପରି କଡ଼ା ଟିପ୍ପଣୀ ଦେଇ ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଭାରତ ଯୋଡୋ ଯାତ୍ରା ସମୟରେ ଭାରତୀୟ ସେନା ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁଣାଣି ସମୟରେ ଏହା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ କହିଥିଲେ, ଆପଣ କିପରି ଜାଣିଲେ ଯେ ଚୀନ୍ ଭାରତର ୨ ହଜାର କିଲୋମିଟର ଜମି ହଡ଼ପ କରିଛି? ଯଦି ଆପଣ ଜଣେ ସଚ୍ଚା ଭାରତୀୟ ହୋଇଥାନ୍ତେ, ତେବେ ଆପଣ ଏହା କହି ନଥାନ୍ତେ। ଶୁଣାଣି ସମୟରେ, ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଏଜି ମସିହଙ୍କ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ବୟାନ ସହିତ ଅସହମତ ଥିଲେ।
ରାହୁଲ ଗାନ୍ଧୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପ୍ରଥମେ ଯୁକ୍ତି ଦେଇଥିଲେ ଯେ ଯଦି ଜଣେ ବିରୋଧୀ ନେତା ପ୍ରସଙ୍ଗ ଉଠାଇ ପାରିବେ ନାହିଁ, ତେବେ ଏହା ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ହେବ। ଯଦି ସେ ପ୍ରେସରେ ପ୍ରକାଶିତ ଏହି କଥା କହିପାରିବେ ନାହିଁ, ତେବେ ସେ ବିରୋଧୀ ଦଳ ନେତା ହୋଇପାରିବେ ନାହିଁ।
ଏହା ଉପରେ ଜଷ୍ଟିସ୍ ଦତ୍ତା ପଚାରିଲେ, 'ଆପଣ ସଂସଦରେ ଯାହା କହିବାକୁ ଚାହୁଁଛନ୍ତି ତାହା କାହିଁକି କହୁନାହାଁନ୍ତି? ସୋସିଆଲ ମିଡିଆ ପୋଷ୍ଟରେ ଆପଣଙ୍କୁ ଏହା କାହିଁକି କହିବାକୁ ପଡିବ?' ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ସହିତ ଅସହମତ ପ୍ରକାଶ କରି ଜଷ୍ଟିସ୍ ଦତ୍ତା ପଚାରିଲେ, 'ଆପଣ କୌଣସି ପ୍ରମାଣ ବିନା ଏହି ବୟାନ କାହିଁକି ଦେଉଛନ୍ତି। ଯଦି ଆପଣ ଜଣେ ସଚ୍ଚା ଭାରତୀୟ ହୋଇଥାନ୍ତେ, ତେବେ ଆପଣ ଏସବୁ କହି ନଥାନ୍ତେ।'
ପ୍ରକାଶଥାଉକି- ୨୦୨୩ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଦାବି କରିଥିଲେ ଯେ ଜଣେ ପୂର୍ବତନ ସେନା ଅଧିକାରୀ ତାଙ୍କୁ କହିଥିଲେ ଯେ ଚୀନ୍ ୨ ହଜାର ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳ ଦଖଲ କରିଛି। ତାଙ୍କ ବିବୃତ୍ତି ରାଜନୈତିକ ହଇଚଇ ସୃଷ୍ଟି କରିଥିଲା ଏବଂ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ଦାୟର ହୋଇଥିଲା। ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲାକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।