ଦିଲ୍ଲୀ: ଟ୍ରେନରୁ ନଗଦ ୪କୋଟି ଟଙ୍କା ସହ ୩୬୫ କେଜି ରୂପା ଜବତ

Published By : Prameya-News7 Bureau | September 07, 2024 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଆରପିଏଫ ଶନିବାର ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ଼ ଧରଣର ତଲାସୀ ଅଭିଯାନ ଚଳାଇବା ବେଳେ ଟ୍ରେନରୁ ନଗଦ ୪ କୋଟି ଟଙ୍କା ଓ ୩୬୫ କେଜି ରୂପା ଜବତ କରିଛି। ରିପୋର୍ଟ ଅନୁସାରେ ମୁମ୍ବାଇ-ରାଜଧାନୀ ଓ ପୂର୍ବା ଏକ୍ସପ୍ରେସ୍‌ରେ ବିପୁଳ ପରିମାଣରେ ଅବୈଧ କ୍ୟାସ୍ ଓ ସୁନା,ରୂପା ଅଣାଯାଉଥିବା ନେଇ ଆରପିଏଫକୁ ସୂଚନା ଥିଲା। ସେହି ଅନୁସାରେ ଟ୍ରେନ ଦିଲ୍ଲୀ ଷ୍ଟେସନରେ ପହଞ୍ଚିବାମାତ୍ରେ ପାର୍ସଲ କୋଚ୍‌ ଯାଞ୍ଚ କରାଯିବା ବେଳେ ଏହି ନଗଦ ମିଳିଛି। 

ପାର୍ସଲ କୋଚ୍ ଯାଞ୍ଚ କାଳରେ ୨୪ଟି ପ୍ୟାକେଟ୍ ସନ୍ଦିଗ୍ଧ ମିଳିଥିଲା। ସବୁ ପ୍ୟାକେଟ୍ ଯାଞ୍ଚ କରାଯିବା ବେଳେ ସେଥିରୁ ୮୫ ଲକ୍ଷ ଟଙ୍କାର ନଗଦ ଟଙ୍କା, ୩୮ ଲକ୍ଷର ସୁନା ଓ ୩୬୫ କେଜି ରୂପା ମିଳିଛି। ଏ ସମ୍ପର୍କରେ ଆୟକର ଓ ଜିଏସଟି ଅଧିକାରୀଙ୍କୁ ସୂଚିତ କରାଯାଇଛି। ଯାହାର ଏବେ ଯାଞ୍ଚ ହେଉଛି। ତେବେ ଜବତ ହୋଇଥିବା ନଗଦ ଟଙ୍କା ଅଥବା ସୁନା ରୂପା ଉପରେ କେହି ନିଜର ଦାବି ଉପସ୍ଥାପନ କରି ନାହାନ୍ତି। ଏବେ ଯାଞ୍ଚ ଅଧିକାରୀ ଏଗୁଡିକର ଅସଲ ମାଲିକଙ୍କ ସନ୍ଧାନ କରୁଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଜମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବା ବେଳେ ଏଥିରେ ୨୪ଟି ଆସନ ନିମନ୍ତେ ଭୋଟ ଗ୍ରହଣ କରାଯିବ। ସେହିପରି ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ୨୬ଟି ଆସନ ନିମନ୍ତେ ଭୋଟ ଗ୍ରହଣ ହେବ।  ୧ ଅକ୍ଟୋବରରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏଥିରେ ୪୦ ଆସନ ପାଇଁ ଭୋଟ ପଡିବ। 

ହରିୟାଣା ବିଧାନସଭା ନିମନ୍ତେ ଅକ୍ଟୋବର ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥିରେ ରାଜ୍ୟର ସମସ୍ତ ୯୦ଟି ଆସନ ନିମନ୍ତେ ଭୋଟଗ୍ରହଣ କରାଯିବ। ଦୁଇଟି ରାଜ୍ୟର ବିଧାନସଭା ନିର୍ବାଚନ ନିମନ୍ତେ ସୁରକ୍ଷା ଏଜେନ୍ସୀଙ୍କ ଚଢଉ ଓ ତଲାସୀ ଅଭିଯାନ ବଢାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.