ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତିର ଐତିହାସିକ ବିଜୟ ହୋଇଛି । ବିଜେପି ୧୪୮ ଆସନରେ ନିଜ ପ୍ରାର୍ଥୀ ଦେଇଥିବା ବେଳେ ୧୨୮ରେ ବିଜୟୀ ହୋଇଛି । ଅନ୍ୟପଟେ ମହାୟୁତି ୨୩୦ ଆସନରେ ବିଜୟୀ ହେଉଥିବା ନଜର ଆସୁଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ପାଇଁ ୧୪୫ ଆସନ ଦରକାର ।
ନିର୍ବାଚନ ପରିଚାଳନା ପଛର ରଣନୀତିକାର
ମହାୟୁତିର ଅପ୍ରତ୍ୟାଶିତ ବିଜୟ ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ନାଁକୁ ନେଇ ଚର୍ଚ୍ଚା । ବିଜେପିର ଏହି ବିଜୟ ପଛରେ ଦୁହେଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରରେ ବିଜେପିର ମହାବିଜୟ ପଛରେ ଏହି ଦୁଇ ନେତା ଖୁବ୍ ପରିଶ୍ରମ ବି କରିଛନ୍ତି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବି ସାମ୍ୱାଦିକ ସମ୍ମିଳନୀରେ ଦୁହିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁହେଁ ଯଥାକ୍ରମେ ମହାରାଷ୍ଟ୍ର ନିର୍ବାଚନରେ ବିଜେପିର ପ୍ରଭାରୀ ଏବଂ ସହପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ । ଲୋକସଭା ନିର୍ବାଚନରେ ଏନଡିଏର ବିଜୟ ପରେ ପରେ ଦୁହିଁଙ୍କୁ ନୂଆ ଦାୟିତ୍ୱ ଦେଇଥିଲା ବିଜେପି । ରିପୋର୍ଟ ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ନଭେମ୍ୱର ୧୦ରେ ବିଜେପିର ସଂକଳ୍ପ ପତ୍ର ଜାରି କରିଥିଲେ, ସେହି ସମୟରେ ଉଭୟ କେନ୍ଦ୍ରମନ୍ତ୍ରୀ ଦର୍ଶକଙ୍କ ମଧ୍ୟରେ ବସିଥିଲେ ।
୨୦୨୪ ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପିକୁ ଜୋରଦାର ଝଟକା ଲାଗିଥିଲା । ରାଜ୍ୟର ୩୯ ଲୋକସଭା ଆସନ ମଧ୍ୟରୁ କେବଳ ୯ଟି ଆସନ ଜିତିବାରେ ସଫଳ ହୋଇଥିଲା । ଅନ୍ୟପଟେ କଂଗ୍ରେସ ୧୩ ଆସନ ସହ ରାଜ୍ୟର ସବୁଠୁ ବଡ଼ ଦଳ ହୋଇଥିଲା । ରାଜ୍ୟରେ କ୍ଷମତାରେ ଥିବା ମହାୟୁତି ସରକାର ପାଇଁ ଏହା ବହୁତ ବଡ଼ ଝଟକା ଥିଲା । ଏହାସହ ନଭେମ୍ୱରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବଡ଼ ଚ୍ୟାଲେଞ୍ଜ କରିଥିଲା । ଭୂପେନ୍ଦ୍ର ଯାଦବ ଏବଂ ଅଶ୍ୱିନୀ ବୈଷ୍ଣବ ଏହି ଚ୍ୟାଲେଞ୍ଜକୁ ସଫଳତା ସହ ସାମନା କରିଥିବା ଆଜିର ରେଜଲ୍ଟ କହୁଛି । ଗତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ଏକପାଖିଆ ବିଜୟ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରେୟ ଦିଆଯାଇଥିଲା ।