ଜଗତସିଂହପୁର/କେନ୍ଦ୍ରାପଡ଼ା ୨୦।୧୧ : ଜଗତସିଂହପୁର ଜିଲ୍ଲା ତିର୍ତୋଲ କଣ୍ଟାପଡ଼ା ଗାଁରେ ଅଘଟଣ । ବିଷକ୍ରିୟାରୁ ଚାଲିଗଲା ଦାଦା ଏବଂ ପୁତୁରାଙ୍କ ଜୀବନ । ମୃତକ କଣ୍ଟାପଡ଼ା ଗାଁର ଗୋପବନ୍ଧୁ ସାମଲ (୬୫) ଓ ତିର୍ତୋଲ ଅଞ୍ଚଳର ସିରସ୍ତା ଗାଁର ବିଭୂତି କୁମାର ସାମଲ (୫୨) ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, କଣ୍ଟାପଡ଼ା ଅଞ୍ଚଳର ଦାଦା ଏବଂ ପୁତୁରାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଗୁରୁତର ହୋଇପଡିଥିଲା । ଏହାପରେ ଉଭୟଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ମେଡିକାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖାଦ୍ୟ କିମ୍ବା ପାନୀୟରେ ବିଷକ୍ରିୟା କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସଂପର୍କରେ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଏହି ଘଟଣା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସଦର ଥାନା ପୋଲିସ ଉଭୟଙ୍କ ମୃତଦେହ ଶବ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।