ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ବୁଡିଯାଇ ଦୁଇ ଛାତ୍ର ନିଖୋଜ

Published By : Prameya-News7 Bureau | September 17, 2024 IST

ବାରିପଦା ୧୭।୯: ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ ଜଣ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ନିଖୋଜ ଥିବା ଜଣାପଡିଛି । ମଞ୍ଚାବନ୍ଧା ସ୍ଥିତ ଏକ ଘରୋଇ ଆବସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏହି ଛାତ୍ର ଦ୍ବୟ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ନଦୀରେ ବୁଡ଼ି ଦୁଇ ଜଣ ନିଖୋଜ ହୋଇଛନ୍ତି । ନିଖୋଜ ଦୁଇ ଜଣ ହେଲେ ବାଦାମପାହାଡ଼ ଅଞ୍ଚଳର ଭଣ୍ଡନ ଗ୍ରାମର ଠାକୁର ସୋରେନ ଓ ଟାଟୋ ଅଞ୍ଚଳର ବଡ଼ଗାଁ ଗ୍ରାମର ଭାଗ୍ୟ ପ୍ରକାଶ ପାତ୍ର । ସେମାନେ ହଷ୍ଟେଲରେ ରହି ପାଠ ପଢୁଥିଲେ । ଦୁଇ ଜଣ ଛାତ୍ରୀଙ୍କ ଶରୀର ଅସୁସ୍ଥତା ପାଇଁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିବା ବେଳେ ଛାତ୍ରମାନେ ମୂର୍ତ୍ତି ବିସର୍ଜନ ପାଇଁ ବନ୍ଧକୁ ଆସିଥିଲେ । ଏହି ଛାତ୍ର ଦ୍ବୟ ସାଙ୍ଗମାନଙ୍କ ସହିତ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ତେବେ ମୂର୍ତ୍ତି ଭସାଇବା ବେଳେ ଭାଗ୍ୟ ପ୍ରକାଶ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଠାକୁର ପାଣିରେ ପଶି ଯାଇଥିଲେ । ଲଘୁଚାପଜନିତ ବର୍ଷା ପାଇଁ ଅଧିକ ପାଣି ଥିବାରୁ ଦୁଇ ଜଣ ଭାସି ଯାଇଛନ୍ତି । ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଗଣେଶ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ବାରିପଦା ସଦର ଥାନା ଅଧୀନ ଲକ୍ଷ୍ମୀପୋଷି ନିକଟ ସୁବର୍ଣ୍ଣରେଖା କେନାଲରେ ୨ ଜଣ ଛାତ୍ର ବୁଡିବାର ୪ ଦିନ ପରେ ପୁଣି ଏଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

You Can Read:

ରେଭେନ୍ସା ନାଁ ପରିବର୍ତ୍ତନ ଆନ୍ଦୋଳନ ଜାରି : ଉଠିଲା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.