ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ମାଡ଼, ହୁତୁହୁତୁ ହୋଇ ଜଳିଲା ତୈଳ ଟ୍ୟାଙ୍କ: ବିମାନ ଉଡ଼ାଣ ବାତିଲ

NEWS7
udaipur-yuvraj-lakshyaraj-singh-campaign-at-patnagarh

ଦୁବାଇ: ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ଉତ୍ତେଜନା ମଧ୍ୟରେ ସୋମବାର ଦିନ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଘଟିଛି। ଏକ ଡ୍ରୋନ୍ ମାଡ଼ ଯୋଗୁଁ ବିମାନବନ୍ଦର ନିକଟସ୍ଥ ଏକ ଇନ୍ଧନ ଟ୍ୟାଙ୍କରେ ନିଆଁ ଲାଗିଯାଇଛି। ଏହି ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଦୁବାଇ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣକୁ ସାମୟିକ ଭାବେ ବାତିଲ କରିଦିଆଯାଇଛି।

ଆୟତ୍ତ ହେଲା ନିଆଁ, କେହି ମୃତାହତ ନାହାନ୍ତି

ଦୁବାଇ ସିଭିଲ୍ ଡିଫେନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଦୁବାଇ ମିଡିଆ ଅଫିସ୍ 'X' ରେ ପୋଷ୍ଟ କରି କହିଛି ଯେ, "ଡ୍ରୋନ୍ ଆକ୍ରମଣରେ ଗୋଟିଏ ଇନ୍ଧନ ଟ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛି ଏବଂ ଆଖପାଖ ଅଞ୍ଚଳରେ ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିଆଁ ସମ୍ପୂର୍ଣ୍ଣ ଆୟତ୍ତରେ ଅଛି।" ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆକାଶମାର୍ଗରୁ ଏକ ବସ୍ତୁ ଆସି ଟ୍ୟାଙ୍କରେ ବାଜିବା ପରେ କଳା ଧୂଆଁ ଏବଂ ବିଶାଳ ଅଗ୍ନିଶିଖା ବାହାରୁଥିବା ଦେଖିବାକୁ ମିଳିଛି।

ବିମାନ ଉଡ଼ାଣ ଉପରେ ରୋକ୍

ଏହି ଆକ୍ରମଣ ପରେ ଦୁବାଇ ସିଭିଲ୍ ଆଭିଏସନ୍ ଅଥରିଟି ବିମାନବନ୍ଦରରେ ସମସ୍ତ ବିମାନ ଚଳାଚଳକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି।

ଯାତ୍ରୀ ଏବଂ ବିମାନବନ୍ଦର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

ଯାତ୍ରୀମାନଙ୍କୁ ସେମାନଙ୍କର ଫ୍ଲାଇଟ୍ ଅପଡେଟ୍ ଜାଣିବା ପାଇଁ ବିମାନବନ୍ଦରକୁ ନଆସି ସିଧାସଳଖ ନିଜ ନିଜର ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

​​​​​​​Also Read: Arvind Kejriwal In Supreme Court: ଦିଲ୍ଲୀ ଅବକାରୀ ନୀତି ମାମଲାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ଅରବିନ୍ଦ କେଜ୍ରିୱାଲ

ମଧ୍ୟପ୍ରାଚ୍ୟରେ ଭୟଙ୍କର ସ୍ଥିତି

ସୂଚନାଯୋଗ୍ୟ ଯେ, ଆମେରିକା ଏବଂ ଇସ୍ରାଏଲ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇରାନ ଏବେ ଉପସାଗରୀୟ (ଗଲ୍ଫ) ଅଞ୍ଚଳରେ ଥିବା ଆମେରିକାର ସମ୍ପତ୍ତି ଏବଂ ବେସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ କରୁଛି। ବିଶେଷକରି ବିମାନବନ୍ଦର, ବନ୍ଦର ଏବଂ ତୈଳ କାରଖାନାଗୁଡ଼ିକ ଉପରେ ଲଗାତାର ଟାର୍ଗେଟ୍ କରାଯାଉଛି। ଏହି କ୍ରମରେ ଦୁବାଇ ବିମାନବନ୍ଦର ନିକଟରେ ହୋଇଥିବା ଏହି ଡ୍ରୋନ୍ ଷ୍ଟ୍ରାଇକ୍ ଯୋଗୁଁ ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ଆହୁରି ଉଦ୍‌ବେଗଜନକ ହୋଇପଡ଼ିଛି।