Goa Night Club fire: ଲୁଥ୍ରା ବ୍ରଦର୍ସ କହିଲେ- ଆମେ ପଇସା ନେଇ ଫେରାର ହୋଇନୁ, ଆମକୁ ମିଳୁଛି ହତ୍ୟା ଧମକ

NEWS7
under-construction-bullet-train-bridge-collapses-in-gujarats-anand

ନୂଆଦିଲ୍ଲୀ: ଗୋଆରେ ୨୫ ଜଣଙ୍କ ଜୀବନ ଛଡ଼ାଇ ନେଇଥିବା ନାଇଟ୍ କ୍ଲବର ମାଲିକ ଗୌରବ ଓ ସୌରଭ ଲୁଥ୍ରାଙ୍କୁ ଥାଇଲାଣ୍ଡରେ ଗିରଫ କରାଯାଇଛି। ଉଭୟଙ୍କୁ ଭାରତ ଆଣିବା ପାଇଁ ପ୍ରକ୍ରିୟା ଆାରମ୍ଭ ହୋଇ ଯାଇଛି। ଅନ୍ୟପଟେ ଦିଲ୍ଲୀ ଅଦାଲତରେ ଲୁଥରା ବ୍ରଦର୍ସର ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ଗୌରବ ଓ ସୌରଭଙ୍କ ଓକିଲ କହିଛନ୍ତି, ସେମାନେ ମଧ୍ୟ ଜଣେ ମଣିଷ। ହଜାର ହଜାର ଲୋକଙ୍କୁ ରୋଜଗାର ଦେଉଛନ୍ତି। ଓକିଲ ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ମହକିଲ ବ୍ୟବସାୟିକ କାମରେ ଥାଇଲାଣ୍ଡ ଯାଇଥିଲେ।

ସୌରଭ ଲୁଥରା ଓ ଗୌରବ ଲୁଥରାଙ୍କ ପକ୍ଷରୁ ରୋହିଣୀ କୋର୍ଟରେ ହାଜର ବରିଷ୍ଠ ଆଇନଜୀବୀ ତନବୀ ଅହମ୍ମଦ ମୀର କହିଛନ୍ତି ଦୁଇ ଭାଇ ବ୍ୟବସାୟୀ। ଦୁହେଁ ସେହି ଅପରାଧୀ ନୁହନ୍ତି ଯିଏ ୫ ହଜାର କୋଟି ଟଙ୍କା ନେଇ ଦେଶରୁ ଫେରାର ମାରିଲେ। ସେ ଇସାରାରେ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ନେଇ ଫେରାର ହୋଇଥିବା ଅଭିଯୁକ୍ତ ବ୍ୟବସାୟୀ ନୀରବ ମୋଦୀ, ମେହଲୁ ଚୋକସି ଓ ବିଜୟ ମାଲ୍ୟାଙ୍କ ଉଦାହରଣ ଦେଇଛନ୍ତି।

ଆଡଭୋକେଟ୍ ମୀର କହିଛନ୍ତି, ଏହା ହତ୍ୟା ମାମଲା ନୁହେଁ ବରଂ ଅବହେଳାଜନିତ ମୃତ୍ୟୁ ମାମଲା। କିନ୍ତୁ ଏହାକୁ ଅପରାଧିକ ଅପରାଧ ଭାବେ ବିବେଚନା କରାଯାଉଛି।ଉଭୟ ଭାଇଙ୍କୁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଉଛି। ନିଆଁରେ ପୋଡ଼ି ମାରି ଦେବାକୁ ଧମକ ମିଳୁଛି।

ଗୋଆ ପୋଲିସ ଆଗୁଆ ଜାମିନ ଆବେଦନକୁ ବିରୋଧ କରିଛି। ପୋଲିସ କହିଛି, ଗୌରବ ଓ ସୌରଭ ତଦନ୍ତରେ ସହଯୋଗ କରୁ ନାହାନ୍ତି। ଦୁହେଁ ଡିସେମ୍ବର ୭ରେ ଭାରତ ଛାଡ଼ିଥିଲେ। ଦୁଇ ଭାଇ ଅଦାଲତକୁ ଭ୍ରମିତ କରୁଛନ୍ତି। ମେଡିକାଲ୍ କଥାକୁ ନେଇ ଯାହା କୁହାଯାଉଛି ସବୁ ଭୁଲ୍ ବୋଲି ପୋଲିସ କହିଛି। ଉଭୟଙ୍କ ପକ୍ଷଙ୍କ ତର୍କ ଶୁଣିବା ପରେ କୋର୍ଟ ଲୁ୍ଥ୍ରା ବ୍ରଦର୍ସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି।

ପାସପୋର୍ଟ ସସପେଣ୍ଡ ହେବାରୁ ଧରା ପଡ଼ିଲେ

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ଘଟଣାର କିଛି ଘଣ୍ଟା ପରେ ଭାରତରୁ ଫେରାର ହୋଇଥିବା ନାଇଟ୍ କ୍ଲବର ମାଲିକ ଗୌରବ ଓ ସୌରଭ ଲୁଥରାଙ୍କୁ ଥାଇଲାଣ୍ଡରେ ଅଟକ ରଖାଯାଇଛି। ଶୀଘ୍ର ତାଙ୍କୁ ଭାରତ ଅଣାଯିବ। ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ଉଭୟଙ୍କ ପାସପୋର୍ଟ ସସପେଣ୍ଡ ହେବାର ୨୪ ଘଣ୍ଟା ଭିତରେ ଦୁହିଁଙ୍କୁ ଗିରଫ କରାଯାଇଛି। ପାସପୋର୍ଟ ରଦ୍ଦ ହେବାରୁ ସେମାନଙ୍କ ଅନ୍ତର୍ଜାତୀୟ ଯାତ୍ରା ଉପରେ ରୋକ୍ ଲଗାଯାଇଥିଲା।