ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’କୁ ମୋଦୀ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି । କ୍ୟାବିନେଟ୍ ମଞ୍ଜୁରି ପରେ ବିଧେୟକକୁ ଗୃହରେ ଉପସ୍ଥାପନ କରାଯାଇପାରେ । ସୂତ୍ର ଅନୁସାରେ କେନ୍ଦ୍ର ସରକାର ଏହି ବିଧେୟକକୁ ଚଳିତ ଶୀତକାଳୀନ ଅଧିବେଶନରେ ଆଗତ କରିପାରନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ୱାନ୍ ନେସନ ୱାନ୍ ଇଲେକ୍ସନ ପାଇଁ କମିଟି ଗଠନ କରାଯାଇଥିଲା । ଏହି କମିଟି କିଛି ମାସ ପୂର୍ବେ ନିଜ ରିପୋର୍ଟ ହସ୍ତାନ୍ତର କରିଥିଲା ।
ସୂତ୍ର ଅନୁସାରେ ସରକାର ଏହି ବିଲ୍ ଉପରେ ସର୍ବସମ୍ମତି ହାସଲ କରିବାକୁ ଚାହୁଁଛନ୍ତି । ଏହା ଉପରେ ବିସ୍ତୃତ ଆଲୋଚନା ପାଇଁ ବିଲ୍କୁ ସଂଯୁକ୍ତ ସଂସଦୀୟ କମିଟି (ଜେପିସି) ନିକଟକୁ ପଠାଇବାକୁ ଚାହୁଁଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କ ନେତୃତ୍ୱାଧୀନ ବିଶେଷଜ୍ଞ କମିଟିର ୧୮,୬୩୬ ପୃଷ୍ଠାର ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା କରିବା ପାଇଁ ସରକାର ଚାହୁଁଛନ୍ତି । ଖବର ଅନୁସାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, କିରଣ ରିଜିଜୁ ଏବଂ ଅର୍ଜୁନରାମ ମେଘୱାଲଙ୍କୁ ବିରୋଧୀ ନେତାଙ୍କ ସହ ବୈଠକ କରି ସମ୍ମତି ସ୍ଥାପନ ପାଇଁ ଦାୟିତ୍ୱ ଦିଆଯାଇଛି ।
ସୂତ୍ର ଅନୁସାରେ ଜେପିସି ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏହି ବିଲ୍ ଉପରେ ଚର୍ଚ୍ଚା କରିବ । ଏହି ପ୍ରକ୍ରିୟାରେ ଅନ୍ୟ ପକ୍ଷମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ଏହି ପ୍ରକ୍ରିୟାରେ ସାରା ଦେଶର ବୁଦ୍ଧିଜୀବୀଙ୍କ ସହ ସବୁ ରାଜ୍ୟର ବିଧାନସଭା ଅଧ୍ୟକ୍ଷଙ୍କୁ ମଧ୍ୟ ସାମିଲ କରାଯିବ । ଏହା ବ୍ୟତୀତ ସାଧାରଣ ଜନତାଙ୍କ ରାୟ ମଧ୍ୟ ନିଆଯାଇପାରେ । କାରଣ ସର୍ବସମ୍ମତି ବିନା ବର୍ତ୍ତମାନ ନିର୍ବାଚନ ବ୍ୟବସ୍ଥାକୁ ଦଳାଇବା ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ହେବ ।
ବିଶେଷଜ୍ଞଙ୍କ କହିବା ଅନୁସାରେ ଏକ ଦେଶ, ଏକ ନିର୍ବାଚନ ଯୋଜନା ଲାଗୁ କରିବା ପାଇଁ ସମ୍ୱିଧାନରେ ସଂଶୋଧନ ପାଇଁ ଅତି କମରେ ଛଅ ବିଧେୟକ ଆଗତ କରିବାକୁ ପଡ଼ିବ । ଏଥିପାଇଁ ସରକାରଙ୍କୁ ସଂସଦରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ପଡ଼ିବ । ବର୍ତ୍ତମାନ ଏନଡିଏ ପାଖରେ ସଂସଦର ଉଭୟ ଗୃହରେ ସାଧାରଣ ସଂଖ୍ୟାଗରିଷ୍ଠତା ରହିଛି । ତେଣୁ ସଂସଦରେ ଦୁଇ-ତୃତୀୟାଂଶ ବହୁମତ ହାସଲ କରିବା ସରକାରଙ୍କ ପାଇଁ ଏକ କଠିନ କାମ ହେବ । ରାଜ୍ୟସଭାରେ ଏନଡିଏ ପାଖରେ ୧୧୨ ଏବଂ ବିରୋଧୀଙ୍କ ପାଖରେ ୮୫ ଆସନ ରହିଛି । ଦୁଇ-ତୃତୀୟ ବହୁମତ ପାଇଁ ସରକାରଙ୍କୁ ଅତି କମରେ ୧୬୪ ଭୋଟ୍ ଦରକାର ।