ବିଜେଡି ଅଛି ଓ ଶହେ ବର୍ଷ ରହିବ : ଓଡ଼ିଶାରେ ଏବେ ଡବଲ୍ ଇଞ୍ଜିନ ସରକାର, ବିକାଶ କାଇଁ ବୋଲି ପ୍ରଶ୍ନ କଲେ ନବୀନ

NEWS7
unique-rukuna-rath-yatra-at-athagarh-odisha

ଭୁବନେଶ୍ବର ୨୬।୧୨: ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ସୁପ୍ରିମୋ । ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ । ୧୯୯୭ରୁ ଆମେ ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କ ସେବା କରି ଆସୁଛୁ । ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ମନ୍ତ୍ର । ବିକାଶ ଆମର ପରିଚୟ । ୨୦୦୦ ରୁ ୨୦୨୪ ଥିଲା ଓଡ଼ିଶା ବିକାଶ ଇତିହାସର ଗୋଲଡେନ୍ ପିରିୟଡ୍ । ଦାରିଦ୍ର୍ୟ, ଅନାହାର, ଶିଶୁ ମୃତ୍ୟୁ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସହ ଆମେ ଲଢିଛୁ । ସଫଳ ମଧ୍ୟ ହୋଇଛୁ । ଓଡ଼ିଶାକୁ ନୂଆ ପରିଚୟ ଦେଇଛୁ । ମାଆ ମାନଙ୍କୁ ସଶକ୍ତ କରିଛୁ । ଚାଷୀର ରୋଜଗାର ବୃଦ୍ଧି କରିଛୁ । BSKY ପରି ମାଗଣା ସ୍ୱାସ୍ଥ୍ୟସେବା ଦେଇଛୁ । ରାଜ୍ୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିଛୁ । ରାଜ୍ୟକୁ ନିବେଶ ଆଣିଛୁ । ଯୁବପିଢ଼ିଙ୍କୁ ନିଯୁକ୍ତି ବି ଦେଉଛୁ ।

ପ୍ରତିଷ୍ଠା ଦିବସରେ କଲେ କଡ଼ା କାଉଣ୍ଟର । କହିଲେ, ବିଜେଡି ଅଛି ଓ ଶହେ ବର୍ଷ ରହିବ । କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି । କିନ୍ତୁ ବିଜେଡି ଅଛି ଓ ରହିବ । ବିଜେଡି ଶହେ ବର୍ଷ ଓଡ଼ିଶାବାସୀଙ୍କ ସ୍ବର ହୋଇ ରହିବ । ବିଜେଡି ଗୋଟିଏ କିମ୍ବା ଦୁଇ ନେତା ଥିବା ଦଳ ନୁହେଁ । ବିଜେଡି ଓଡ଼ିଶାବାସୀଙ୍କ ଭାବାବେଗ ଓ ଗର୍ବ । ବିଜୁଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କ ସେବା କରିବ ବିଜେଡି ।

ଏହି ଅବସରରେ ଶାସକ ଦଳକୁ କଡ଼ା ସମାଲୋଚନା କଲେ ନବୀନ । ଓଡ଼ିଶାରେ ଏବେ ଡବଲ୍ ଇଞ୍ଜିନ ସରକାର, ବିକାଶ କାଇଁ ବୋଲି ନବୀନ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ସରକାର ଥିବା ଭଳି ଅନୁଭବ ହେଉନି । ସାର ପାଉନି ଚାଷୀ, ରାଜ୍ୟରେ ମଣ୍ଡି ଖୋଲୁନି । ମିଶନ ଶକ୍ତି ମାଆ ହଇରାଣ ହେଉଛନ୍ତି, ଯୁବ ସମାଜ ହତାଶ ହେଉଛନ୍ତି । ଆଇନଶୃଙ୍ଖଳା କଥା ନ କହିବା ଭଲ ବୋଲି ନବୀନ କହିଛନ୍ତି । ମହିଳା ଅତ୍ୟାଚାର ବଢ଼ିଚାଲିଛି । ଏପରିକି ନାବାଳିକା ମାନେ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ନବୀନ କହିଛନ୍ତି ।

ଯୁବପିଢ଼ି ଆମ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି । ମୁଁ ଆଶା କରିବି ଯେ ସେମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବେ ଏବଂ ଭୁଲ ସୂଚନାର ପ୍ରତିବାଦ କରିବେ । ରାଜନୀତିରେ ଧର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଆମେ ଏକାଠି ଆଜିର ଆହ୍ୱାନକୁ ଆସନ୍ତାକାଲିର ସୁଯୋଗରେ ପରିଣତ କରିବୁ ଏବଂ ଏକ ସଶକ୍ତ ଓଡ଼ିଶା ପାଇଁ ଆମର ପ୍ରୟାସ ଜାରି ରଖିବୁ । ଶେଷରେ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ନବୀନ ।

ତେବେ ଦଳର ନେତୃତ୍ବ ପରିବର୍ତ୍ତନ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେ ନେଇ କିଛି ସ୍ପଷ୍ଟ କଲେନି ନବୀନ । କୁହାଯାଉଥିଲା କି ପ୍ରତିଷ୍ଠା ଦିବସରେ ନବୀନ ଏ ସମ୍ପର୍କରେ ସୂଚନା ଦେଇପାରନ୍ତି । କିନ୍ତୁ ସେ ନେଇ ନବୀନ କିଛି ଡକହିଲେନି ।