ନୂଆଦିଲ୍ଲୀ ୨୧/୦୧: ଆମେରିକାର ସ୍ବର୍ଣ୍ଣିମ ଯୁଗର ଆରମ୍ଭ । ପୁଣି ମହାନ ହେବ ଶକ୍ତିଶାଳୀ ରାଷ୍ଟ୍ର । ଆମେରିକାରେ ହେବ ନାହିଁ ଅବୈଧ ପ୍ରବେଶ । କେହି ଆମେରିକାକୁ ବ୍ୟବହାର କରିପାରିବେ ନାହିଁ। ଏଥିସହ ଦକ୍ଷିଣ ସୀମାରେ ଏମର୍ଜେନ୍ସି ଘୋଷଣା । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପ ଏବେ ଆକ୍ସନ ମୁଡରେ । କହିଛନ୍ତି ଦରବୃଦ୍ଧି ନିୟନ୍ତ୍ରଣ କରିବା ମୋ ଟିମ୍ର ପ୍ରାଥମିକତା । ସମସ୍ତଙ୍କୁ ନ୍ୟାୟ ମିଳିବ ଓ ରଙ୍ଗଭେଦ ନୁହେଁ । ପ୍ରତିଭାକୁ ସୁଯୋଗ ମିଳିବ ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ । ତେବେ ଜାଣିଛନ୍ତି କି, ରାଷ୍ଟ୍ରର ସର୍ବୋଚ୍ଚ ମୁଖିଆ ଭାବେ ମିଳେ କେଉଁ ସବୁ ସୁବିଧା? କେତେ ଥାଏ ତାଙ୍କର ଦରମା? କେବଳ ଦରମା ନୁହେଁ ଅନ୍ୟ ସୁବିଧା ସୁଯୋଗ ବି ମିଳେ ?
ରାଷ୍ଟ୍ରପତିଙ୍କ ବେତନ ନିର୍ଦ୍ଧାରିତ କରେ ଆମେରିକା କଂଗ୍ରେସ । ସଂଯୁକ୍ତ ରାଷ୍ଟ୍ର ଆମେରିକା ସଂଘୀୟ ସରକାରର ଗୋଟିଏ ଅଂଶ କଂଗ୍ରେସ । ଯାହାକି ସିନେଟ ଓ ପ୍ରତିନିଧି ସଭା ଦୁଇଟି ସଦନକୁ ନେଇ ଗଠିତ । ୨୦୦୧ରେ ରାଷ୍ଟ୍ରପତିଙ୍କ ଦରମା ବଢାଇବା ନିର୍ଣ୍ଣୟ ନେଇଥିଲା କଂଗ୍ରେସ । ସେତେବେଳେ ଆମେରିକା ରାଷ୍ଟ୍ରପତି ଥିଲେ ଜର୍ଜ ଡବ୍ଲ୍ୟୁ ବୁଶ୍ । ୨୦୦୧ ପରେ ରାଷ୍ଟ୍ରପତିଙ୍କ ଦରମା ଥିଲା ୪୦୦,୦୦୦ ଡଲାର୍ । ଭାରତୀୟ କରେନ୍ସି ଅନୁସାରେ ଯାହାର ମୂଲ୍ୟ ହେବ ୩ କୋଟି ୪୫ ଲକ୍ଷ ୮୧ ହଜାର ୪୨୦ ଟଙ୍କା । ଏସବୁ ବାଦ୍ ୟୁଏସ୍ ରାଷ୍ଟ୍ରପତିଙ୍କୁ ୫୦,୦୦୦ ଡଲାର ଖର୍ଚ୍ଚ ଭତ୍ତା ବି ମିଳେ ।
୩୧ ୟୁ.ଏସ୍ କୋଡ ସେକ୍ସନ ୧୫୫୨ ଅନୁଯାୟୀ ଯଦି ଭତ୍ତା ଟଙ୍କା ଖର୍ଚ୍ଚ ନହୁଏ ତେବେ ତାହା ସିଧାସଳଖ ଚାଲିଯାଏ ଟ୍ରେଜେରୀକୁ । ଏହି ଖର୍ଚ୍ଚ ଭତ୍ତା ରାଷ୍ଟ୍ରପତିଙ୍କ ଗ୍ରସ୍ ଇନକମ୍ରେ କରାଯାଏନି ସାମିଲ । ଏହା ବାଦ୍ ହ୍ୱାଇଟ ହାଉସ୍ରେ ଥିବା କାର୍ଯ୍ୟକାରୀ ବାସଭବନରେ ଥିବା ଆସବାବପତ୍ର ସହ ଅନ୍ୟ ଜିନିଷ ବ୍ୟବହାର କରିବାକୁ ବି ଥାଏ ରାଷ୍ଟ୍ରପତିଙ୍କ ଅଧିକାର । ରିପୋର୍ଟ କୁହେ ରାଷ୍ଟ୍ରପତିଙ୍କ ମନୋରଞ୍ଜନ, ଷ୍ଟାଫ୍, ଏବଂ କୁକଙ୍କ ପାଇଁ ବର୍ଷକୁ ଖର୍ଚ୍ଚ ହୁଏ ୧୯,୦୦୦ ଡଲାର । ଯାହାର ମୂଲ୍ୟ ପାଖାପାଖି ୬୦ ଲକ୍ଷ ଟଙ୍କା । ଏସବୁ ବାଦ୍ ହ୍ୱାଇଟ୍ ହାଉସ୍ରେ ଏଣ୍ଟ୍ରି ବେଳେ ୧,୦୦,୦୦ ଡଲାର ମାନେ ୮୪ ଲକ୍ଷ ଟଙ୍କା ହାତ ଖର୍ଚ୍ଚ ମିଳେ ।
ରାଷ୍ଟ୍ରପତି ଭାବେ ତାଙ୍କୁ ସୁରକ୍ଷା ପାଇଁ ମିଳେ ବଡ ସୁରକ୍ଷାବାହିନୀ । ଏହି ବାହିନୀ ସମଗ୍ର କାର୍ଯ୍ୟକାଳ ବେଳେ ପରିବାରଙ୍କ ସହ ହ୍ୱାଇଟ୍ ହାଉସ୍ରେ ରହିଥାନ୍ତି । ୟୁଏସ୍ ପ୍ରେସିଡେଣ୍ଟଙ୍କୁପରିବହନ, ହୋଟେଲ ସହ ମିଳେ ଅନ୍ୟ ସୁବିଧା ସୁଯୋଗ । ଆହୁରି ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଯୋଗାଇ ଦିଆଯାଏ ଲିମୋଜିନ୍ କାର, ମରିନ ହେଲିକପ୍ଟର, ଏୟାର ଫୋର୍ସ ଓ୍ୱାନ ନାମକ ଜାହାଜ ବି ମିଳେ । ଯାହାକି ଥାଏ ପୁରା ସୁରକ୍ଷା ବଳୟରେ ।
also read...
ଆମେରିକା ରାଷ୍ଟ୍ରପତିଙ୍କୁ କିଏ କରାନ୍ତି ଶପଥ ପାଠ, କାହିଁକି ଖାସ୍ ଜାନୁୟାରୀ ୨୦ ?