ୱାସିଂଟନ ୩୦।୧୧: ଆମେରିକାର ଉଚ୍ଚ ଶିକ୍ଷାନୁଷ୍ଠାନମାନେ ବିଦେଶୀ ଛାତ୍ର ଓ କର୍ମଚାରୀଙ୍କୁ ଜାନୁୟାରୀ ୨୦ ପୂର୍ବରୁ ଶୀତ ଅବକାଶରୁ ଫେରିବାକୁ ପରାମର୍ଶ ଦିଆଯାଇଛି। ଏହି ଦିନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ମାସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି (ଏମଆଇଟି) ସମେତ ଅନ୍ୟ ବିଶ୍ୱବିଦ୍ୟାଳୟଙ୍କ ପକ୍ଷରୁ ଏହି ପରାର୍ଶ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଅବୈଧ ଅପ୍ରବାସୀଙ୍କ ବଡ଼ଧରଣର ନିର୍ବାସନ ଚର୍ଚ୍ଚା ପ୍ରସଙ୍ଗରେ ସାମ୍ନାକୁ ଆସିଛି।
ଇଣ୍ଟରନ୍ୟାସନାଲ ଏଜୁକେସନାଲ ଏକ୍ସଚେଞ୍ଜ ଓପନ ଡୋଅର୍ସ ରିପୋର୍ଟରେ କୁହାଯାଇଛି ଯେ ଆମେରିକାରେ ୧୧ଲକ୍ଷ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ସର୍ବାଧିକ ୩ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀ କେବଳ ଭାରତର ଅଛନ୍ତି। ହାୟର ଏଡ ଇମିଗ୍ରେସନ ପୋର୍ଟାଲ ଅନୁମାନ କରିଛି ଯେ ଏପରି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ବିନା ଉଚିତ କାଗଜପତ୍ରରେ ଏଠାରେ ରହୁଛନ୍ତି। ତେବେ ଏମଆଇଟି ଦ୍ୱାରା କୁହାଯାଇଛି ଯେ ଯେଉଁମାନଙ୍କର ବୈଧ ‘ଏଫ’ ଭିସା ଅଛି ସେମାନେ ଟ୍ରମ୍ପ ପ୍ରଶାସନ ଦ୍ୱାରା କୌଣସି ଭିସା କଟକଣାରେ ପ୍ରଭାବିତ ହେବେ ନାହିଁ।
୨୦୧୭ରେ ଟ୍ରମ୍ପ ପ୍ରଶାସନର ଅଭିଜ୍ଞତାକୁ ନଜରରେ ରଖି ଏହି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଟ୍ରମ୍ପ ପ୍ରଶାସନ ୨୭ ଜାନୁୟାରୀ ୨୦୧୭ରେ ଏକ କାର୍ଯ୍ୟକାରୀ ଆଦେଶ ଜାରି କରି ୭ ମୁସଲମାନ ବହୁଳ ଦେଶଙ୍କ ଇମିଗ୍ରାଣ୍ଟ ଓ ଅଣ ଇମିଗ୍ରାଣ୍ଟଙ୍କୁ ୯୦ ଦିନ ନିମନ୍ତେ ଆମେରିକା ପ୍ରବେଶ ଉପରେ ରୋକ ଲଗାଇ ଦେଇଥିଲେ।