ଏମ୍ସ ଗୋରଖପୁରରେ ନାଗାଲାଣ୍ଡର ଡାକ୍ତରଙ୍କ ସହ ଅସଦାଚରଣ, ୨ ଅଭିଯୁକ୍ତ ଗିରଫ; ମେଘାଳୟ ସିଏମ୍ କହିଲେ-ଲଜ୍ଜାଜନକ

NEWS7
uttarpradesh-and-punjab-to-supply-potato-seeds

ନୂଆଦିଲ୍ଲୀ: ଗୋରଖପୁର ଏମ୍ସରେ କାର୍ଯ୍ୟରତ ନାଗାଲାଣ୍ଡର ୨୫ ବର୍ଷୀୟା ଡାକ୍ତରଙ୍କ ସହ ଅସଦାଚରଣ ଓ ଦୁର୍ବ୍ୟବହାର ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ସୂଚନା ଅନୁସାରେ, ରବିବାର ସଂଧ୍ୟାରେ ଏହି ଘଟଣା ଘଟିଥିଲା । ଯୁବତୀ ଜଣକ ଶପିଂ ମଲରୁ ଫେରିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ପିଛା କରିଥିଲେ । ଏପରିକି ଯୁବତୀଙ୍କୁ ଅଭିଯୁକ୍ତମାନେ ଆପତ୍ତିଜନକ ଭାବେ ଛୁଇଁବାକୁ ଉଦ୍ୟମ କରିଥିଲେ ।

ଗୋରଖପୁର ଏସପି ଅଭିନବ ତ୍ୟାଗୀ କହିଛନ୍ତି, ଏହି ମାମଲାରେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ସେମାନଙ୍କୁ କୋର୍ଟରେ ହଜାର କରାଯିବ । ତୃତୀୟ ଅଭିଯୁକ୍ତର ସନ୍ଧାନ ଜାରି ରହିଛି । ସେପଟେ ଏହି ମାମଲାର ଗମ୍ଭୀରତାକୁ ଦେଖି ମେଘାଳୟ ମୁଖ୍ୟମନ୍ତ୍ରୀ କରନାଡ୍ ସଙ୍ଗମା ଏକ୍ସରେ ପୋଷ୍ଟ କରି ଚିନ୍ତା ବ୍ୟକ୍ତ କରିଛନ୍ତି ।

ମେଘାଳୟ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଉତ୍ତରପୂର୍ବୋର ମହିଳାଙ୍କ ସହ ବର୍ଣ୍ଣବୈଷମ୍ୟ ଭେଦଭାବ ଓ ଯୌନ ଉତ୍ପୀଡ଼ନ କେବଳ ଏକ ହେଡଲାଇନ୍ ନହେବା ଦରକାର, ଏହାକୁ ଚାଞ୍ଚଲ୍ୟକର ନକରାଯିବା ଦରକାର, ଏହାକୁ ନଭୁଲିବା ଦରକାର ଏବଂ ପ୍ରତିଥର ଯେତେବେଳେ କୌଣସି ନୂଆ ଘଟଣା ସାମନାକୁ ଆସିଲେ, ଏହାକୁ ପୁଣି ଥରେ ଜୀବିତ ନକରାଯିବା ଦରକାର । ଉତ୍ତର ପ୍ରଦେଶର ଗୋରଖପୁର ଏମ୍ସର ରେସିଡେଣ୍ଟ ଡାକ୍ତର ନାଗାଲାଣ୍ଡର ଝିଅ ସହ ବର୍ଣ୍ଣବୈଷମ୍ୟ ଭେଦଭାବ ଓ ଯୌନ ଶୋଷଣ ଅତ୍ୟନ୍ତ ଲଜ୍ଜାଜନକ । ଜଣେ ମହିଳାଙ୍କ ଇଜ୍ଜତକୁ ଆଘାତ ପହଞ୍ଚାଇବା ଏକ ସଭ୍ୟ ଦେଶ ବରଦାସ୍ତ କରିବ ନାହିଁ । ସେ ଆପଣଙ୍କ ବି ଭଉଣୀ ଓ ଝିଅ । ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍ କରୁଛି ।

ପୋଲିସର କହିବା ଅନୁଯାୟୀ, ସୋମବାର ଅଭିଯୋଗ ଦାଖଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ପୋଲିସ ଟିମ୍ ଏମ୍ସ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ । ପୀଡିତାଙ୍କ କହିବା ଅନୁଯାୟୀ, ସେ ଶପିଂ କରି କ୍ୟାମ୍ପସକୁ ଫେରୁଥିବା ସମୟରେ ଗୋଟିଏ ମୋଟରସାଇକେଲରେ ତିନି ଜଣ ବ୍ୟକ୍ତି ତାଙ୍କ ପିଛା କରିବାକୁ ଲାଗିଲେ । ଅଭିଯୁକ୍ତମାନେ ଅଶ୍ଳୀଳ ମନ୍ତବ୍ୟ ଦେବା ଏବଂ ହଇରାଣ କରିବା ଅଭିଯୋଗ ହୋଇଛି ।

ପୋଲିସ କହିଛି ଯେ ପୀଡିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଖରାପ ଭାବରେ ଛୁଇଁଥିଲେ ଏବଂ ସେ ଏମ୍ସର ଗେଟ୍ ନମ୍ବର ୨ରେ ପହଞ୍ଚିବା ପର୍ଯ୍ୟନ୍ତ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯେତେବେଳେ ପୀଡିତା ପ୍ରତିବାଦ କରିଥିଲେ, ଅଭିଯୁକ୍ତ ତାଙ୍କୁ ଭୟଙ୍କର ପରିଣାମ ଦେବାକୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପୀଡିତା ଭୟଭୀତ ହୋଇ ତାଙ୍କ ହଷ୍ଟେଲକୁ ଫେରି ତାଙ୍କ ସହପାଠୀମାନଙ୍କୁ ଘଟଣା ବିଷୟରେ କହିଥିଲେ, ଯେଉଁମାନେ ପରେ ପୋଲିସକୁ ଜଣାଇଥିଲେ ।