ଓଡ଼ିଶାରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ, ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଡ଼ିଲା ଟ୍ରେନ୍

Published By : Prameya-News7 Bureau | September 15, 2024 IST

ବ୍ରହ୍ମପୁର ୧୫।୯: ଓଡ଼ିଶାରୁ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଛି । ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚ୍ଚୁଆଲ୍‌ରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗଡ଼ିଲା ଟ୍ରେନ୍ । ବ୍ରହ୍ମପୁରରୁ ଟାଟାନଗର, ରାଉରକେଲାରୁ ହାଓ୍ବଡାକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଓଡ଼ିଶା ଦେଇ ଯିବ ରାୟପୁର-ବିଶାଖାପାଟଣା ଟ୍ରେନ୍ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି କହିଥିଲେ, ବ୍ରହ୍ମପୁର ସହରରବାସୀଙ୍କୁ ଏହି ଶୁଭ ଅବସରରେ ଅନେକ ଅନେକ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆପଣମାନଙ୍କ ମଧ୍ୟରେ ଏଠାରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଯୋଗୁ ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱର ଅଗ୍ରଣୀ ବିକଶିତ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିଛି ଏବଂ ଦେଶରେ ବିକାଶର ଏକ ନୂଆ ଲହରି ଆରମ୍ଭ ହୋଇଛି । ମୋଦୀଙ୍କ ନେତୃତ୍ୱରେ ଆମ ଦେଶର ୧୪୦ କୋଟି ଜନ ସାଧାରଣ ଏକ  ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛନ୍ତି। 

ଏହି ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରେଶମ ସହର ବ୍ରହ୍ମପୁରକୁ ଇସ୍ପାତ ସହର ଟାଟା ସହିତ ସଂଯୋଗ କରିବ । ଏହି ଟ୍ରେନଟି ବ୍ରହ୍ମପୁର ଠାରୁ ଟାଟାକୁ ୯ ଘଣ୍ଟା ୫ ମିନିଟରେ ଅତିକ୍ରମ କରିବ ଏବଂ ଏହା ବାଲୁଗାଁ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଜଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ଼ ଇତ୍ୟାଦି ଷ୍ଟେସନ ଗୁଡିକରେ ମଧ୍ୟ ରହଣି କରିବ। 

ବ୍ରହ୍ମପୁର ଏକ ସମୃଦ୍ଧ ସହର ଯାହାକି ଏହାର ରେଶମ ଶାଢ଼ୀ ପାଇଁ ପ୍ରସିଦ୍ଧ, ଯାହାକୁ ବର୍‌ହମ୍‌ପୁରୀ ପାଟ କୁହାଯାଏ । ଏଥିପାଇଁ ବ୍ରହ୍ମପୁର "ରେଶମ ସହର" ଭାବରେ ପରିଚିତ । ଏହା ସହିତ ବ୍ରହ୍ମପୁର ମଧ୍ୟ ଆମ ରାଜ୍ୟର ଏକ ପ୍ରସିଦ୍ଧ ବାଣିଜ୍ୟିକ କେନ୍ଦ୍ର। ବନ୍ଦେ ଭାରତ ଏକ୍ସପ୍ରେସ ଯୋଗୁ ସହରର ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଆସିବ।

ବର୍ତ୍ତମାନ ପୁରୀ-ହାଓ୍ବାଡ଼ା, ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ବିଶାଖାପାଟନମ୍ ମଧ୍ୟରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁଛି ଏବଂ   ଆଉ ତିନୋଟି ବନ୍ଦେ ଭାରତ ବ୍ରହ୍ମପୁର-ଟାଟା, ରାଉରକେଲା-ହାୱଡା ଏବଂ ରାୟପୁର-ବିଶାଖାପାଟଣା ମଧ୍ୟରେ ଚଳାଚଳ କରିବ। ଏହି ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲାଇଫ୍ ଲାଇନ୍ ହେବ। ବିଶେଷ କରି ଆମର ଆଦିବାସୀ ବହୁଳ ଅଞ୍ଚଳରେ ଯୋଗାଯୋଗର ବିକାଶ ହେବ ଏବଂ ସେମାନେ ଆମର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସାମିଲ ହୋଇ ପାରିବେ । ଏହି ୬ଟି ବନ୍ଦେ ଭାରତ ଟ୍ରେନ୍ ଆମ ରାଜ୍ୟର ବିଭିନ୍ନ ସହରକୁ ପଡୋଶୀ ରାଜ୍ୟ ସହ ସଂଯୋଗ କରିବ । ଏହା ଓଡିଶାର ଦ୍ରୁତ ବିକାଶ ଏବଂ ପ୍ରଗତି କ୍ଷେତ୍ରରେ ସହାୟକ ହେବ ।

ଭାରତୀୟ ରେଳବାଇ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସେବା ବ୍ୟତୀତ ଓଡିଶାରେ ରେଳ ସଂଯୋଗକୁ ଘନୀଭୂତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ନିମନ୍ତେ ପଦକ୍ଷେପ ନେଇଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଆମ ରାଜ୍ୟରେ ଗୁଣପୁର-ଥେରୁବାଲି, ଜୁନାଗଡ-ନବରଙ୍ଗପୁର, ବାଦାମପାହଡ-କେନ୍ଦୁଝରଗଡ, ବାଙ୍ଗିରିପୋଷି-ଗୋରୁମହିଷାଣି, ମାଲକାନାଗିରି-ପାଣ୍ଡୁରଙ୍ଗପୁରମ୍, ବାମରା-ଚକୁଳିଆ, ବରଗଡ ରୋଡ-ନୂଆପଡା ଓ ସରଡେଗା-ଭାଲୁମୁଣ୍ଡା । ଏହିପରି ୮ଟି ନୂତନ ରେଳ ପଥ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏଥି ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ।

 

You Can Read:

ଲଗାଣ ବର୍ଷା ନେଲା ଜୀବନ, କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.